
ମୟୂରଭଞ୍ଜ(ଘାସିରାମ ବେହେରା): ହେଲମେଟ ଓ ମାସ୍କ ଚେକିଂ ବେଳେ ପୋଲିସର ଦାଦାଗିରି । ପୋଲିସର ଲାଠି ମାଡରେ ଯୁବକର ମୁଣ୍ଡ ଫାଟିଲା। ତେବେ ଏଭଳି ଘଟଣା ଦିନକୁଦିନ ବଢ଼ିବା ମୟୂରଭଞ୍ଜ ପୋଲିସ ପାଇଁ ଲଜ୍ୟାଜନକ ପରିସ୍ଥିତି ସୃଷ୍ଟି କରୁଥିବା ଲକ୍ଷ୍ୟ କରାଯାଉଛି। ଅନ୍ୟପଟେ ୨୪ ଘଣ୍ଟା ନ ପୁରୁଣୁ ପୁଣି ଏପରି ଘଟଣା ଦେଖିବାକୁ ମିଳିଛି କରଞ୍ଜିଆ ଥାନା ଅନ୍ତର୍ଗତ ସାହାରପୋଡା ବାଇପାସ ଛକ ନିକଟରେ । ଆଜି ସନ୍ଧ୍ୟା ୭ ଘଟିକା ସମୟରେ କରଞ୍ଜିଆ ଥାନା ପୋଲିସ ପକ୍ଷରୁ ସାହାରପୋଡା ବାଇପାସ ଛକ ନିକଟରେ ହେଲମେଟ ଏବଂ ମାସ୍କ ଚେକିଂ ବେଳେ ଜଣେ ଯୁବବ୍ୟବସାୟୀ ନିଜ ଘରକୁ ଯାଉଥିବା ସମୟରେ ଚେକିଂ କରୁଥିବା ପୋଲିସର ଲାଠି ମାଡରେ ମୁଣ୍ଡ ଫାଟି ରକ୍ତାକ୍ତ ହୋଇଯାଇଥିବା ଦେଖିବାକୁ ମିଳିଛି । ତେବେ ଗତକାଲି ଘଟିଥିବା ଶରତ ଥାନା ଅଞ୍ଚଳର ଘଟଣା ମନରୁ ନ ଲିଭୁଣୁ ପୁଣି ଆଜି ମୟୂରଭଞ୍ଜ ପୋଲିସର ଦାଦାଗିରି ସାମ୍ନାକୁ ଆସିଛି । ତେବେ ପୋଲିସର ଚେକିଂ ଆଳରେ ଏପରି ପ୍ରତ୍ୟେକ ଦିନ ଛୋଟ ମୋଟ ଘଟଣାରେ ଲୋକେ ଅତିଷ୍ଠ ହେଲେଣି । ଏଇଘଟଣା ପରେ ଆଜି ସାହାରପୋଡା ଛକ ନିକଟରେ ପୋଲିସର ଏପରି ଅମାନବିକକାର୍ୟ୍ୟକୁ ଲୋକେ ନାପସନ୍ଦ କରିବା ସହ ବିରୋଧ କରି ପୋଲିସ ବିରୁଦ୍ଧରେ ନାରାବାଜି କରିବା ସହିତ ଚେକିଂ କରୁଥିବା ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରିଛନ୍ତି ଉତ୍ତ୍ୟକ୍ତଲୋକେ । ତେବେ ପ୍ରଶ୍ନ ଉଠୁଛି ଆଇନଶୃଙ୍ଖଳା ପରିସ୍ଥିତି ରକ୍ଷା କରି ସାଧାରଣ ଲୋକଙ୍କ ଧନଜୀବନ ସୁରକ୍ଷିତ କରିବାର ଗୁରୁଦାୟିତ୍ବ ବହନ କରୁଥିବା ପୋଲିସ ଦାୟିତ୍ବପାଳନ ନାମରେ ବିଶୃଙ୍ଖଳା ପ୍ରଦର୍ଶନ ଆଦୌ ଗ୍ରହଣଯୋଗ୍ୟ ନୁହେଁ ବୋଲି ମତପ୍ରକାଶ ପାଉଛି। ସେହିପରି ଆଜିର ଘଟଣାରେ ସଂପୃକ୍ତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତୁରନ୍ତ ଗିରଫ ସହ ବହିଷ୍କାର କରାଯିବା ଆବଶ୍ୟକ ବୋଲି ଦାବି ହେଉଛି।


Comments are closed, but trackbacks and pingbacks are open.