ଚେନ୍ନାଇରୁ ଜଳପଥରେ ଫେରିଲେ ୩୮ ମତ୍ସ୍ୟଜୀବୀ

Get real time updates directly on you device, subscribe now.

ଖଲ୍ଲିକୋଟ,(ବି.ବି.ନୁ୍ୟଜ୍): ଜଳପଥରେ ପୁଣି ଚେନ୍ନାଇରୁ ଫେରିଲେ ୩୮ ଜଣ ମତ୍ସ୍ୟଜୀବୀ । ଦୀର୍ଘ ୬ ଦିନ ସମୁଦ୍ର ପଥରେ ଯାତ୍ରା କରିବା ପରେ ଶନିବାର ବିଳମ୍ବିତ ସନ୍ଧ୍ୟାରେ ଆନ୍ଧ୍ର ଓଡ଼ିଶା ସୀମା ଗଞ୍ଜାମ ଜିଲ୍ଲା ଉପକୂଳ ପାତିସୁନାପୁର ତଟରେ ପହଞ୍ଚିଛନ୍ତି । ଗତ ୨୦ ତାରିଖରେ ୩୮ ଜଣ ମତ୍ସ୍ୟଜୀବୀ ଚେନ୍ନାଇ ଉପକୂଳରୁ ଏକ ଇଞ୍ଜିନ ଚାଳିତ ଡଙ୍ଗାରେ ଯାତ୍ରା ଆରମ୍ଭ କରିଥିଲେ । ସେମାନଙ୍କ ମଧ୍ୟରୁ ୨୯ ଜଣ ଓଡ଼ିଆ ଓ ଅବଶିଷ୍ଟ ୯ ଜଣ ଆନ୍ଧ୍ର ପ୍ରଦେଶର ମତ୍ସ୍ୟଜୀବୀ । ଓଡ଼ିଶାର ସମସ୍ତ ମତ୍ସ୍ୟଜୀବୀ ଗଞ୍ଜାମ ଜିଳ୍ଲା ଚିକିଟି ବ୍ଲକ୍ର । ଏହି ବ୍ଲକ୍ ଅନ୍ତର୍ଗତ ପାତିସୁନାପୁର ୨୪, ଏକସିଙ୍ଗି ଗ୍ରାମର ୩, ଗୋପାଳପୁରର ୨ ଏବଂ ଆନ୍ଧ୍ରପ୍ରଦେଶ ଡଙ୍କରୁର ୭, ତାବେଶପୁଟା ଓ ଲାଲପଲ୍ଲୀ ଗ୍ରାମର ଜଣେ ଲେଖାଏଁ ରହିଛନ୍ତି । ମତ୍ସ୍ୟଜୀବୀମାନେ ସମୁଦ୍ର ପଥରେ ଫେରୁଥିବା ପୂର୍ବ ସୂଚନା ପାଇ ଚିକିଟି ତହସିଲଦାର ହର ପ୍ରସାଦ ଭୋଇ, ବିଡିଓ ଫାଲଗୁନି ମାଝି, ମେରାଇନ ଥାନା ଅଧିକାରୀ ଗୌରାଙ୍ଗ ସାହୁ, ସ୍ଥାନୀୟ ସରପଞ୍ଚ ମଞ୍ଜୁଳା ବେହେରା, ଜିଲ୍ଲା ପରିଷଦ ସଭ୍ୟ ଗୋବିନ୍ଦ ବେହେରା, ଗୋଳନ୍ଥରା ଥାନା ଅଧିକାରୀ ବାବୁଲି ନାୟକ, ମତ୍ସ୍ୟଜୀବୀ ସଂଘ ଉପସଭାପତି ବି. କୋଟେସୁ, ସମ୍ପାଦକ ଏଲ. ବାଗି ରାଜୁ ପ୍ରମୁଖ ଉପସ୍ଥିତ ଥିଲେ । ସମୁଦ୍ର ତଟରେ ପହଞ୍ଚିବା ପରେ ୨୪ ଜଣଙ୍କୁ ସୁନାପୁର ପଞ୍ଚାୟତର କ୍ୱାରେଣ୍ଟାଇନ କେନ୍ଦ୍ର ଓ ୩ ଜଣଙ୍କୁ ଏକସିଙ୍ଗିି ପଞ୍ଚାୟତ କ୍ୱାରେଣ୍ଟାଇନ କେନ୍ଦ୍ରରେ ପଞ୍ଜୀକରଣ ପରେ ରଖାଯିବା ବ୍ୟବସ୍ଥା ହୋଇଥିବା ଚିକିଟି ବିଡିଓ ମାଝି କହିଛନ୍ତି । ଆନ୍ଧ୍ରପ୍ରଦେଶର ୯ଜଣଙ୍କୁ ପାତିସୁନାପୁର ସଙ୍ଗରୋଧ କେନ୍ଦ୍ରରେ ରଖାଯିବ । ଆସନ୍ତାକାଲି ଆନ୍ଧ୍ରପ୍ରଦେଶ ପ୍ରଶାସନ ସହ ଆଲୋଚନା ପରେ ସ୍ଥାନାନ୍ତର ହେବେ ବୋଲି ବିଡିଓ କହିଛନ୍ତି । ପୁଣି ଆହୁରି ୨ଟି ଡଙ୍ଗା ଚେନ୍ନାଇ ଉପକୂଳରୁ ୨ଦିନ ବାହାରି ଥିôବା ସୂଚନା ମିଳିଛି । ସେମାନେ ସମସ୍ତେ ସୁନାପୁର, ରାମେୟାପଣା ଗ୍ରାମର । ଆସନ୍ତା ୩/୪ ଦିନ ଭିତରେ ସେମାନେ ଓଡ଼ିଶା ଉପକୂଳରେ ପହଞ୍ଚିବେ ।
ଚେନ୍ନାଇରୁ ଓଡ଼ିଶା ଉପକୂଳ ପ୍ରାୟ ୬୦୦ କିଲୋମିଟର । ପ୍ରାୟ ଦୁଇ ଲକ୍ଷ ଟଙ୍କାରେ କିଣିଛନ୍ତି ଇଞ୍ଜିନ ଚାଳିତ ଡଙ୍ଗା । ଆସିବା ସମୟରେ ପାଣି ଓ ଶୁଖିଲା ଖାଦ୍ୟ ସହ ଚାଉଳ, ଡାଲି, ଆଳୁ, ପିଆଜ କିଣି ଆଣିଥିଲେ । ଡଙ୍ଗାରେ ରୋଷେଇ କରି ଖାଇଥିଲେ । ସେମାନେ ଚେନ୍ନାଇର ଏକ କମ୍ପାନିରେ କାମ କରିବାକୁ ଗତବର୍ଷ ଚେନ୍ନାଇ ଯାଇଥିଲେ । ଲକ୍ଡାଉନ୍ ପରେ ଘରକୁ ଫେରିବାକୁ ସମସ୍ତ ରାସ୍ତା ବନ୍ଦ ହେବା ପରେ ସମୁଦ୍ର ପଥରେ ଆସିବାକୁ ନିଷ୍ପତ୍ତି ନେଇଥିଲେ । ତେଣୁ ସେମାନେ ମୁଣ୍ଡପିଛା ୪ରୁ ୫ ହଜାର ଟଙ୍କା ଲେଖାଏଁ ଚାନ୍ଦା ସଂଗ୍ରହ କରି ଏକ ପୁରୁଣା ଡଙ୍ଗାକୁ ପ୍ରାୟ ୨ ଲକ୍ଷ ଟଙ୍କାରେ କିଣିଥିଲେ । ଗତ ୧୯ ତାରିଖରେ ୨୭ ଜଣ ମତ୍ସ୍ୟଜୀବୀ ଆନ୍ଧ୍ର-ଓଡ଼ିଶା ଉପକୂଳ ଡଙ୍କୁରୁ ସମୁଦ୍ରତଟରେ ଓହ୍ଲାଇଥିଲେ । ସେମାନଙ୍କ ମଧ୍ୟରେ ଚିକିଟି ବ୍ଲକ୍ର ୯ଜଣ, ପୁରୀ କୃଷ୍ଣପ୍ରସାଦର ଜଣେ ଓ ଆନ୍ଧ୍ରର ୧୭ ଜଣ ଥିଲେ ସେମାନଙ୍କୁ ପୁସ୍ତପୁର କ୍ୱାରେଣ୍ଟାଇନ୍ରେ ଭର୍ତ୍ତି ହୋଇଛନ୍ତି । ଏହି ଲୋକମାନେ ନିରାପଦରେ ପହଞ୍ଚିବା ପରେ ସେମାନଙ୍କ ସହ ଯୋଗାଯୋଗ କରି ଆଉ ୩୮ ଜଣ ଆଜି ପହଞ୍ଚିଛନ୍ତି । କୂଳକୁ ଲାଗିବାକୁ ୧୦୦ ମିଟର ଦୂରରେ ପ୍ରବଳ ଲୋକଙ୍କୁ ଦେଖି ଡଙ୍ଗା କୂଳରେ ଲାଗିନଥିଲା । ପରେ ପ୍ରଶାସନ ଫୋନ୍ କରି କୌଣସି ଅସୁବିଧା ହେବ ନାହିଁ ବୋଲି ପ୍ରତିଶ୍ରୁତି ମିଳିବା ପରେ କୂଳରେ ପହଞ୍ଚିଥିଲେ । ଏମାନଙ୍କୁ କ୍ୱାରେଣ୍ଟାଇନ୍ କେନ୍ଦ୍ର ଧାର୍ଯ୍ୟ ହୋଇ ନଥିବାରୁ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ସୁନାପୁର ମେରାଇନ୍ ଥାନାରେ ଆଗରେ ଜମା ହୋଇଛନ୍ତି । ଚିକିଟି ତହସିଲଦାର ଓ ବିଡିଓ ଉପସ୍ଥିତ ଅଛନ୍ତି । ସ୍ୱାସ୍ଥ୍ୟ ଟିମ୍ ମଧ୍ୟ ଜଗି ରହିଛନ୍ତି । ଗୋପାଳପୁର ୨ ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ଗୋପାଳପୁର କ୍ୱାରେଣ୍ଟାଇନ୍ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons