ଛତ୍ରପୁର, (ବି.ବି.ନୁ୍ୟଜ୍): ପୁଣି ଜଳପଥ ଦେଇ ଚେନ୍ନାଇରୁ ଡଙ୍ଗାରେ ଆସିଛନ୍ତି ୩୩ ମତ୍ସ୍ୟଜୀବୀ । ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ଆର୍ଜିପଲ୍ଲୀ ସମୁଦ୍ର ଉପକୂଳରେ ସୋମବାର ମଧ୍ୟରାତ୍ରରେ ସେମାନେ ପହଞ୍ଚିଥିଲେ । ସେମାନଙ୍କୁ ଆର୍ଜିପଲ୍ଲୀ ହାଇସ୍କୁଲରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ ୧୪ ଦିନ ପାଇଁ ରଖାଯାଇଛି । ତେବେ ସମୁଦ୍ରରେ ଆସିବା ବେଳେ ବର୍ଷା ହେବା କାରଣରୁ ସେମାନଙ୍କ ମଧ୍ୟରୁ ୪ ଜଣ ଜ୍ୱରରେ ପୀଡ଼ିତ ହୋଇଥିବା ଜଣାଯାଇଛି ।
ଏମାନେ ସମୁଦ୍ରତଟରେ ପହଞ୍ଚିବା ପୂର୍ବରୁ ସାମୁଦ୍ରିକ ଥାନାଧିକାରୀ ଶର୍ମିÂା ପ୍ରଧାନ, ବିଡିଓ ଅମ୍ବିକା ପ୍ରସାଦ ଦାସ ଉପସ୍ଥିତ ଥିଲେ । ଆର୍ଜିପଲ୍ଲୀ କ୍ୱାରେଣ୍ଟାଇନ୍ ସେଣ୍ଟର୍ରେ ସେମାନଙ୍କ ରହଣୀ ଓ ଖାଦ୍ୟ ବ୍ୟବସ୍ଥା ପଞ୍ଚାୟତ ପକ୍ଷରୁ କରାଯାଇଛି । ସମସ୍ତଙ୍କ ନାମ ଓ ଠିକଣା ରେକର୍ଡ କରାଯାଇଛି । ମୁନିସିପେଣ୍ଠ ଜନସ୍ୱାସ୍ଥ୍ୟ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ ଥର୍ମୋମିଟର୍ ଦ୍ୱାରା ସେମାନଙ୍କ ତାପମାତ୍ରା ପରୀକ୍ଷା କରିବା ପରେ ୪ ଜଣ ଅସୁସ୍ଥ ଥିବା ଜଣାଯାଇଥିଲା ।
ଚେନ୍ନାଇର କାସିମେଡ଼ା ମାଛଧରା ହର୍ବର୍ରେ ସେମାନେ ଗତ ୪ ମାସ ହେଲା କାମ କରୁଥିଲେ । ଲକ୍ଡାଉନ୍ କାରଣରୁ ସେହି କାମ ବନ୍ଦ ହୋଇଯିବା ପରେ ସେମାନେ ଖାଇବାକୁ ମଧ୍ୟ ପାଇ ନଥିଲେ । ଏଣୁ ୧ ଲକ୍ଷ ୮୦ ହଜାର ଟଙ୍କା ଦେଇ ସେମାନେ ଡଙ୍ଗା କିଣି ଗତ ୨୪ ତାରିଖରୁ ଚେନ୍ନାଇରୁ ସମୁଦ୍ର ପଥ ଦେଇ ବାହାରିଥିଲେ । ସାଥିରେ ଖାଦ୍ୟ ସାମଗ୍ରୀ ଓ ଡିଜେଲ୍ ଆଣିଥିଲେ । ତେବେ ବୋଟ୍ର ଦୁଇଟି ଇଞ୍ଜିନ ମଧ୍ୟରୁ ଗୋଟିଏ ଆନ୍ଧ୍ର ସୀମା ପରେ ଖରାପ ହୋଇଯାଇଥିଲା । ତଥାପି ଗୋଟିଏ ଇଞ୍ଜିନ୍ ସାହାଯ୍ୟରେ ସେମାନେ ଆର୍ଯ୍ୟପଲ୍ଲୀ ପର୍ଯ୍ୟନ୍ତ ଆସିପାରିଥିଲେ । ବୋଟ୍ ପହଞ୍ଚିବା ପୂର୍ବରୁ ପରିବାର ଲୋକ ଜେଟି ନିକଟରେ ପହଞ୍ଚିଥିଲେ । ମାତ୍ର ପୁଲିସ ଓ ପ୍ରଶାସନ ମତ୍ସ୍ୟଜୀବୀଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟର୍କୁ ନେଇ ଯାଇଥିଲା । ମଙ୍ଗଳବାରକୁ ମିଶାଇ ୪ଟି ବୋଟ୍ରେ ପର୍ଯ୍ୟାୟକ୍ରମେ ୧୦୩ ଜଣ ଓଡ଼ିଆ ମତ୍ସ୍ୟଜୀବୀ ଗଞ୍ଜାମ ଫେରିଛନ୍ତି । ଗତ ୧୯ ତାରିଖରେ ୧୦ ଓଡ଼ିଆ ଓ ୧୭ ଜଣ ଆନ୍ଧ୍ରର, ୨୫ରେ ୨୯ ଓଡ଼ିଆ ଓ ୯ ଜଣ ଆନ୍ଧ୍ରର, ୨୭ରେ ୩୧ ଓଡ଼ିଆ ଓ ୮ ଜଣ ଆନ୍ଧ୍ରର ଏବଂ ଏଥର ସମସ୍ତ ୩୩ ଓଡ଼ିଆ ଚେନ୍ନାଇରୁ ଫେରିଛନ୍ତି ।


Comments are closed, but trackbacks and pingbacks are open.