ଭୁବନେଶ୍ୱର,(ବି.ବି.ବୁ୍ୟରୋ): ୨୦ ବର୍ଷ ହେଲା ରାଜ୍ୟରେ କ୍ଷମତାଠାରୁ ବହୁ ଦୂରରେ କଂଗ୍ରେସ । ମାଳମାଳ ନେତା ଦଳ ଛାଡ଼ି ଚାଲିଗଲେଣି । ଦିନକୁ ଦିନ ଭୁଶୁଡ଼ି ଚାଲିଛି ସଂଗଠନ । ବିଶୃଙ୍ଖଳା ଚରମସ୍ତରରେ । ଏଭଳି ସଙ୍କଟ ସମୟରେ ଓଡ଼ିଶାରେ କଂଗ୍ରେସକୁ ନୂଆ ଜୀବନ ଦେବାକୁ ଦାୟିତ୍ୱ ନେଇଛନ୍ତି ନବନିଯୁକ୍ତ ରାଜ୍ୟ ପ୍ରଭାରୀ ଡକ୍ଟର ଏ. ଚେଲ୍ଲା କୁମାର । ରାଜ୍ୟରେ ପୁଣି ଥରେ କଂଗ୍ରେସକୁ ଛିଡ଼ା କରାଇବାକୁ ଚେଲ୍ଲା ଆରମ୍ଭ କରିଛନ୍ତି ‘ମିଶନ ଓଡ଼ିଶା’ । ଚେଲ୍ଲା କୁମାରଙ୍କ ଆଗମନ କଂଗ୍ରେସ ନେତା ଓ କର୍ମୀଙ୍କ ମଧ୍ୟରେ ନୂଆ ଆଶା ଭରିଛି ।
ଅତୀତରେ ଜାତୀୟସ୍ତରର ପ୍ରଭାବଶାଳୀ ଓ ଜଣାଶୁଣା ନେତାଙ୍କୁ ଏଆଇସିସି ଓଡ଼ିଶା ପାଇଁ ପ୍ରଭାରୀ ନିଯୁକ୍ତ କରିଥିଲା । ମାତ୍ର କେହି କମାଲ୍ ଦେଖାଇପାରିଲେନି । ନା ନେତାଙ୍କୁ ଏକାଠି ପାରିଲେ ନା ସଂଗଠନକୁ ସଜାଡ଼ିବାକୁ ସକ୍ଷମ ହେଲେ । ରାଜ୍ୟରେ ଦଳର ଅବସ୍ଥା ଅତି ଶୋଚନୀୟ ଥିବାବେଳେ ଚେଲ୍ଲା କୁମାରଙ୍କୁ ଓଡ଼ିଶା ପ୍ରଭାରୀ ନିଯୁକ୍ତ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ।
ପ୍ରଭାରୀ ନିଯୁକ୍ତ ହେବା ପରେ କରୋନା ସଂକ୍ରମିତ ହେବାରୁ ସେ ଓଡ଼ିଶା ଆସିପାରିନଥିଲେ । ସୁସ୍ଥ ହେବା ପରେ ନିକଟରେ ଚେଲ୍ଲା କୁମାର ୪ ଦିନିଆ ଓଡ଼ିଶା ଗସ୍ତରେ ଆସି ଫେରିଯାଇଛନ୍ତି । ସେ ଓଡ଼ିଶା ଆସିବା ପୂର୍ବରୁ ଦଳର ବରିÂ, ଯୁବ, ମହିଳା ଓ ଛାତ୍ର ସଂଗଠନର ପ୍ରାୟ ୨୫୦ରୁ ଅଧିକ ନେତାଙ୍କ ସହ କଥା ହୋଇଥିଲେ । ଓଡ଼ିଶା ଆସିବା ପରେ ସେ ଦଳର ପ୍ରମୁଖ ବରିÂ ନେତାମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନା ପରେ ଚେଲ୍ଲା କୁମାର ନିଜେ କହିଛନ୍ତି, ଅତୀତରେ ଆମେ ଭୁଲ୍ କରିଥିଲୁ । ଦଳର ପୁରୁଖା ନେତାମାନେ ମଧ୍ୟ ଏହାକୁ ସ୍ୱୀକାର କରୁଛନ୍ତି । ଏବେ ଭୁଲ୍ ସୁଧାରି ସଂଗଠନକୁ ସଜାଡ଼ିବୁ । ଏକାଠି ହୋଇ ଲୋକଙ୍କ ପାଖକୁ ଯିବୁ ।
ଚେଲ୍ଲା କୁମାରଙ୍କ ସହ ଆଲୋଚନା କରିଥିବା ରାଜ୍ୟ କଂଗ୍ରେସର କେତେକ ନେତାଙ୍କ କହିବା କଥା ହେଲା, ଚେଲ୍ଲା ଫାଇଲ୍ ଚାଷ କରୁଥିବା ନେତା ନୁହନ୍ତି । ସେ ଜଣେ ଦୃଢ଼ ସଂଗଠକ । ତାମିଲନାଡ଼ୁର ଏହି ସାଂସଦ ଅତୀତରେ ନିଜ ରାଜ୍ୟରେ ଛାତ୍ର ଓ ଯୁବ କଂଗ୍ରେସ ସଭାପତି ଥିଲେ । ତୃଣମୂଳ ସ୍ତରରୁ ସେ ଆସିଛନ୍ତି । ସମସ୍ୟା କେଉଁଠି ଅଛି ଓ ତା’କୁ କେମିତି ସଜଡ଼ାଯିବ, ସେ ମନ୍ତ୍ର ତାଙ୍କୁ ଜଣା ।
ପ୍ରାୟତଃ ଖାଁ ଖାଁ ଦିଶୁଥିବା କଂଗ୍ରେସ ଭବନ ଚେଲ୍ଲା କୁମାରଙ୍କ ଆଗମନ ପରେ କିଛି ମାତ୍ରାରେ ଚଳଚଞ୍ଚଳ ହୋଇଛି । ଦଳ ଚାଷୀ ପ୍ରସଙ୍ଗକୁ ରାଜ୍ୟରେ ଆହୁରି ତେଜିଛି । ତିର୍ତ୍ତୋଲ, ବାଲେଶ୍ୱର ସଦର ଉପନିର୍ବାଚନ ପରେ ଦଳର ସାଂଗଠନିକ ପ୍ରକ୍ରିୟା ଆରମ୍ଭ ହେବ । ଚେଲ୍ଲା କୁମାର କହିଛନ୍ତି, ମାସକ ଭିତରେ ପିସିସିରୁ ନେଇ ଜିଲ୍ଲା ଓ ବ୍ଲକ ସ୍ତରରେ ସାଂଗଠନିକ କର୍ମକର୍ତ୍ତା ନିଯୁକ୍ତ କରାଯିବ । ପିସିସି ସଭାପତି ପରିବର୍ତ୍ତନ ଅପେକ୍ଷା ଦଳକୁ ଏକାଠି ରଖିବାକୁ ସେ ବେଶି ଗୁରୁତ୍ୱ ଦେଉଛନ୍ତି । ଚେଲ୍ଲା କୁମାର ଲକ୍ଷ୍ୟ ରଖିଛନ୍ତି, ଆଗାମୀ ୩ ମାସ ଭିତରେ ରାଜ୍ୟରେ କଂଗ୍ରେସ ସବୁ ନେତାଙ୍କୁ ସେ ଏକଜୁଟ କରିବେ । ଏକତା ସୂତ୍ରରେ ବାନ୍ଧି ଦଳକୁ ନୂଆ ରୂପ ଦେବେ । ଏକାଠି ହେଲେ ହିଁ ଦଳ ଲୋକଙ୍କ ଆସ୍ଥାଭାଜନ ହୋଇପାରିବ ।
ଆଗାମୀ ଉପନିର୍ବାଚନ ପରେ ଦଳରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ସେ ନେଇ ଖସଡ଼ା ପ୍ରସ୍ତୁତ କରୁଛନ୍ତି ଚେଲ୍ଲା କୁମାର । ଚେଲ୍ଲା କୁମାରଙ୍କ ମିଶନ ଓଡ଼ିଶା ଫଳାଫଳ କ’ଣ ହେବ, ତାହା ଆଗାମୀଦିନରେ ଜଣାପଡ଼ିବ ।
Comments are closed, but trackbacks and pingbacks are open.