କୋରାପୁଟ: ଘରର ଛାତ ଭାଙ୍ଗି ସ୍ଥାନୀୟ ଆରିଇଓ କଲୋନିର ଯନ୍ତ୍ରୀ ସଞ୍ଜନା ମଣ୍ଡଳଙ୍କ ଘରୁ ହୋଇଥିବା ଚୋରି ମାମଲାରେ ଟାଉନ୍ ପୁଲିସ ଆଜି ଜଣଙ୍କୁ ଗିରଫ କରି । ଗିରଫ ବ୍ୟକ୍ତିଜଣଙ୍କ ହେଲେ କୋରାପୁଟ ସହର ମିଶନକମ୍ପାଉଣ୍ଡ ର କିଶୋର କୁମାର ହିଆଲ । ଅଭିଯୁକ୍ତ ପାଖରୁ ଏକ ଲ୍ୟାପଟପ ସହ ନକଲି ସୁନା ଅଳଙ୍କାର ଓ ଏକ ହାର୍ଡଡିକ୍ସ ଉଦ୍ଧାର କରାଯାଇଛି । ଏନେଇ ଥାନାରେ ୧୫୦/୨୧ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ପୁଲିସ କହିଛି ।
କୋରାପୁଟ ଟାଉନ ଥାନା ଆଇଆଇସି ଧୀରେନ ପଟ୍ଟନାୟକ କହିଛନ୍ତି, ଆରିଇଓ କଲୋନିରେ କନିÂ ଯନ୍ତ୍ରୀ ସଞ୍ଜନା ମଣ୍ଡଳ ଏକ ସରକାରୀ କ୍ୱାର୍ଟରରେ ରହୁଛନ୍ତି । ଗତ ୨୫ ତାରିଖ ସକାଳେ ଯନ୍ତ୍ରୀ ଶ୍ରୀମତୀ ମଣ୍ଡଳ ଅଫିସ ଯାଇଥିଲେ । ସେହି ଦିନ ମଧ୍ୟାହ୍ନରେ ତାଙ୍କ ସ୍ୱାମୀ ଘରେ ଚାବି ପକାଇ ତାଙ୍କୁ ଆଣିବାକୁ କାର୍ଯ୍ୟାଳୟ ଯାଇଥିଲେ । ଅପରାହ୍ନରେ ଘରକୁ ଫେରିବା ବେଳେ ଘର ଛପର ଭାଙ୍ଗି ଭିତରୁ ଲ୍ୟାପଟପ ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ଥାନାରେ ଅଭିଯୋଗ କରାଯାଇଥିଲା । ଏହି ଘଟଣାର ତଦନ୍ତ କରି ପୁଲିସ କିଶୋରକୁ ଗିରଫ କରିଛି । ଘରେ କେହି ନଥିବା ସୁଯୋଗ ନେଇ ଯନ୍ତ୍ରୀଙ୍କ ଘରେ ପଶି ମୂଲ୍ୟବାନ ସାମଗ୍ରୀ ଚୋରି କରି ନେଇଥିବା ଜେରାବେଳେ କିଶୋର ସ୍ୱୀକାର କରିଥିବା ପୁଲିସ କହିଛି । ପୂର୍ବରୁ ଏକ ଚୋରି ମାମଲାରେ କିଶୋର ଜେଲରେ ଥିଲା । ୨୦୨୦ରେ ଜେଲରୁ ମୁକୁଳିଥିଲା । ସେ ଜଣେ ଅଭ୍ୟାସଗତ ଚୋର । ତା’ନାଁରେ ଥାନାରେ ଏକାଧିକ ମାମଲା ରହିଛି । ଯନ୍ତ୍ରୀଙ୍କ ଘରୁ ଚୋରିକରି କିଶୋର ଚମ୍ପଟ ମାରିଥିଲା ବୋଲି ସବ୍ଇନ୍ସପେକ୍ଟର ଚିତ୍ତରଞ୍ଜନ ପ୍ରଧାନୀ କହିଛନ୍ତି । ଏହାପୂର୍ବରୁ ରେଲୱେ କଲେନିର ଏକ ଚୋରି ମାମଲାରେ କିଶୋର ସହିତ ୩ଜଣଙ୍କୁ ଗିରଫ କରାଯାଇଥିଲା । ଜେଲରୁ ଫେରିବା ପରେ କିଶୋର ପୁଣିଥରେ ଚୋରି ଆରମ୍ଭ କରିଥିଲା । ଆଜି ତାକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଫିସର ଶ୍ରୀ ପ୍ରଧାନୀ କହିଛନ୍ତି ।
ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ


Comments are closed, but trackbacks and pingbacks are open.