ଜଗତସିଂହପୁର/କେନ୍ଦ୍ରାପଡ଼ା, (ବି.ବି.ନୁ୍ୟଜ୍): ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ‘କରୋନା’ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ଗୋଟିଏ ଦିନରେ ଉଭୟ ଜିଲ୍ଲାରୁ ଏକାବେଳକେ ୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକରୁ ୪ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ନାଉଗାଁ ବ୍ଲକରୁ ୫ ଜଣ, ବିରିଡ଼ି ବ୍ଲକରୁ ଜଣେ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଙ୍କୁ ଭୁବନେଶ୍ୱର କିମ୍ସ କୋଭିଡ୍-୧୯ ହସ୍ପିଟାଲ୍କୁ ପଠାଇ ଦିଆଯାଇଛି । ଚିହ୍ନଟ ୧୦ ଜଣଙ୍କ ଭିତରୁ ଦୁଇ ଜଣଙ୍କର ତାମିଲନାଡ଼ୁ ଲିଙ୍କ୍ ରହିଥିବା ବେଳେ ଅନ୍ୟମାନେ କୋଲକାତା ଫେରନ୍ତା ବୋଲି ସୂଚନା ମିଳିଛି ।
ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରୁ ପୁଣି ୯ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ରାଜନଗର ଓ ରାଜକନିକା ବ୍ଲକର ୩ ଜଣ ଲେଖାଏଁ, ପ;ାମୁଣ୍ଡାଇ ବ୍ଲକରୁ ୨ ଜଣ ଏବଂ ଡେରାବିଶ ବ୍ଲକ ଅଞ୍ଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ରାଜନଗରରୁ ଚିହ୍ନଟ ୩ ଜଣଙ୍କ ମଧ୍ୟରୁ ଏକ ଦମ୍ପତି ରାଜନଗରରେ ପଞ୍ଜିକୃତ ହୋଇଥିଲେ ମଧ୍ୟ ମହିଳାଙ୍କ ଦେହ ଅସୁସ୍ଥ ହେବାରୁ ସେ କେନ୍ଦ୍ରାପଡ଼ା ସହରରେ ସ୍ୱାମୀଙ୍କ ସହ ଚିକିତ୍ସାଧୀନ ଥିଲେ । ସେମାନେ ମହାରାଷ୍ଟ୍ରରୁ ଫେରି ହୋମ୍ କ୍ୱାରେଣ୍ଟାଇନ୍ରେ ରହୁଥିଲେ । ଡେରାବିଶ, ପ;ାମୁଣ୍ଡାଇ ଓ ରାଜକନିକାର ଅନ୍ୟ ଆକ୍ରାନ୍ତମାନେ ପଶ୍ଚିମବଙ୍ଗ, ସୁରଟ୍, ତେଲେଙ୍ଗାନାରୁ ଫେରିଥିଲେ । ଆକ୍ରାନ୍ତମାନଙ୍କୁ ଛତାସ୍ଥିତ କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ଏମାନଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୫ ଛୁଇଁଛି ।
Comments are closed, but trackbacks and pingbacks are open.