ଜଗତସିଂହପୁର,(ବି.ବି.ନ୍ୟୁଜ୍): ମନଇଚ୍ଛା ବଣ୍ଟନ କରାଯାଇଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ । ଆବଶ୍ୟକ ଯାଞ୍ଚ ଅଭିଯାନ କରାନଯାଇ ଅଯୋଗ୍ୟଙ୍କୁ ଏହି ସରକାରୀ ଗୃହ ଯୋଜନାରେ ସାମିଲ କରାଯାଇଛି । କୌଣସି ଉପାନ୍ତ ଅଞ୍ଚଳ ନୁହେଁ, ଜଗତସିଂହପୁର ସହରରେ ଆଖିରେ ଅଙ୍ଗୁଳି ଗେଞ୍ଜି ଏଭଳି କାରସାଦି କରାଯାଉଛି । ଲଗାତାର ଏଭଳି ଚଞ୍ଚକତାପୂର୍ଣ୍ଣ କାର୍ଯ୍ୟ ସାମ୍ନାକୁ ଆସୁଥିଲେ ସୁଦ୍ଧା ଜିଲ୍ଲାପାଳଙ୍କ ଏଥିପ୍ରତି ନିଘା ରହୁନାହିଁ । ପୌର ନିର୍ବାହୀ ଅଧିକାରୀ, ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ମଧ୍ୟ ଏଭଳି ଅଯୋଗ୍ୟ ହିତାଧିକାରୀଙ୍କୁ ଫାଇନାଲ ବିଲ୍ ପ୍ରଦାନ ପୂର୍ବରୁ କୌଣସି ପ୍ରକାର ଛାନ୍ଭିନ୍ କରୁନଥିବା ଜଳ ଜଳ ବାରି ହୋଇପଡ଼ିଛି ।
ପୌର କାର୍ଯ୍ୟାଳୟରେ ସକ୍ରିୟ ଅଛନ୍ତି ଏକ ର୍ୟାକେଟ୍ । ର୍ୟାକେଟ୍ରେ ଯୋଡ଼ି ହୋଇ ରହିଛନ୍ତି ନିର୍ଦ୍ଦିିଷ୍ଟ କିଛି ଦୁର୍ନୀତିଗ୍ରସ୍ତ କର୍ମଚାରୀ । ସେମାନେ ହାତ ସଫେଇ କରି ଗୃହ ନିର୍ମାଣର ଫଟୋ ଉଠାଉଛନ୍ତି । ବେଶ ସତର୍କତାର ସହ ଫଟୋ ଉଠାଇ ଏସବୁକୁ ଜିଓ ଟ୍ୟାଗିଂ କରାଯାଉଛି । ପରେ ଏଭଳି ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ହାତଗୁଞ୍ଜା ନେଇ ସେମାନଙ୍କର ବିଲ୍ ବା କିସ୍ତି ଟଙ୍କା ପ୍ରଦାନ କରାଯାଉଛି । ଏଭଳି ଜାଲିଆତି କାମ କିଛି ବର୍ଷ ତଳୁ ଚାଲି ଆସୁଛି । ଏବେ ଯେଉଁ ଚଞ୍ଚକତାଭରା କାର୍ଯର୍୍ୟ ହାତରେ ଲାଗିଛି ତାହା ଅନେକଙ୍କୁ ଜଳକା କରି ଦେଇଛି । ଏହାଛଡ଼ା କେତେ ଲାଞ୍ଚ ନେଇ କାଉକୁ ଧଳା କରାଯିବା ଭଳି କାର୍ଯ୍ୟ ଏଠାରେ ଜାରି ରହିଛି ତାହାର ଖୋଳତାଡ଼ ଜରୁରି ହୋଇପଡ଼ିଛି ।
ଅଭିଯୋଗ ମୁତାବକ, ୧୨ ନମ୍ବର ୱାର୍ଡ଼(ଗାଲୁପଡ଼ା)ରେ ରହିଛି ଏକ କୋଠାଘର । କୋଠାଘରର ସମ୍ମୁଖ କାନ୍ଥରେ ଲେଖାଯାଇଛି ଓଡ଼ିଶା ସରକାରଙ୍କ ବାସଗୃହ ମିଶନ୍ । ଏହାସହ ହିତାଧିକାରୀଙ୍କ ନାମ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିଥିବା ସହାୟତା ରାଶି ବିଷୟରେ ମଧ୍ୟ କିଛି ସୂଚନା ପ୍ରଦାନ କରାଯାଇଛି । କିନ୍ତୁ ଚକିତ କରିବା ଭଳି ବିଷୟ, ଏହି କୋଠାଟି ଦି’ତାଲା ଅର୍ଥାତ୍ ଦ୍ୱିତଳ ବିଶିଷ୍ଟ । ଏତଦ୍ବ୍ୟତୀତ ଘର ଆଗରେ ଯେଉଁ ଗ୍ରୀଲ ଲାଗିଛି ତାହା ବେଶ ଦାମୀ । କେବଳ ସେତିକି ନୁହେଁ ଆବାସ ଯୋଜନାର ରୂପରେଖ ଠାରୁ କାହିଁ କେତେଗୁଣ ଅଧିକ ଘର ଏହି କୋଠାରେ ରହିଛି । ଅଥଚ ଏଭଳି ଜଣେ ଲୋକଙ୍କୁ ଯୋଗ୍ୟ ହିତାଧିକାରୀ ଭାବେ ଚୟନ କରାଯାଇ ଆବାସ ଯୋଜନା ଘର ପ୍ରଦାନ କରାଯାଇଛି । ଘରର କାର୍ଯ୍ୟାଦେଶ ଦିଆଯିବା ସହ ଚୂଡାନ୍ତ କିସ୍ତି ମଧ୍ୟ ଦିଆଯାଇଥିବା କୁହାଯାଉଛି । ମାତ୍ର ଜଗତସିଂହପୁର ପୌର କାର୍ଯ୍ୟାଳୟରେ କିଭଳି ଏସବୁ ସମ୍ଭବ ହୋଇପାରୁଛି ତାହାକୁ ନେଇ ନାନା କୌତୂହଳ ପ୍ରକାଶ ପାଇଛି ।
ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଏ ବିଷୟରେ ଅବଗତ କରାଯାଇଛି । ଜିଲ୍ଲାପାଳ ପୌର ପ୍ରଶାସନ ମୁଖ୍ୟ ହେତୁ ତାଙ୍କର ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି । କେବଳ ୧୨ ନମ୍ବର କାହିଁକି ପୌରାଞ୍ଚଳର ବିଭିିନ୍ନ ୱାର୍ଡ଼ରେ ଅଯୋଗ୍ୟଙ୍କୁ ଆବାସ ଯୋଜନା ଦିଆଯାଇଛି । କିଛି କର୍ମଚାରୀଙ୍କ ଇଙ୍ଗିତରେ ଏଭଳି ଜାଲିଆତି କରାଯାଇଛି । ପୂର୍ବରୁ ଦେଉଳିଗ୍ରାମେଶ୍ୱରରେ ଆବାସ ଘର ନିର୍ମାଣର ଢାଞ୍ଚା ପରିବର୍ତ୍ତନ କରାଯାଇ ଘର ନିର୍ମାଣ କରାଯାଇଥିଲେ ସୁଦ୍ଧା କିସ୍ତି ଅର୍ଥ ପ୍ରଦାନ କରାଯାଇଥିଲା । ସେହିପରି ଗୃହ ନିର୍ମାଣ ସଂପୂର୍ଣ୍ଣ ହୋଇନଥିଲେ ସୁଦ୍ଧା ସମୟ ଭିତରେ ଘର କାମ କରିଥିବା ଦର୍ଶାଇ ହିତାଧିକାରୀମାନଙ୍କୁ ଅଧିକ ୨୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦେବାକୁ ମସୁଧା କରାଯାଇଥିବା ନଜିର ରହିଛି । ଏଭଳି ଜାଲିଆତିକୁ ଶେଷ ସମୟରେ ପୌର ନିର୍ବାହୀ ଅଧିକାରୀ ବଳଦେବ ବେହେରା ମାଡ଼ି ବସିଥିଲେ । ହେଲେ ଯେଉଁ କର୍ମଚାରୀମାନେ ଏଭଳି ଫାଇଲ ପ୍ରସ୍ତୁତ କରିଥିଲେ ସେମାନଙ୍କ ବିରୋଧରେ କୌଣସି କାର୍ଯାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା ।
ଏବେ ଗାଲୁପଡ଼ାରେ ଦୁଇ ମହଲା କୋଠା ବାଲାଙ୍କୁ ଆବାସ ଯୋଜନା ମିଳିଥିବା କଥା ବିଜୁଳି ବେଗରେ ପ୍ରଘଟ ପରେ ଜଗତସିଂହପୁର ତହସିଲ ମଧ୍ୟ ବିବାଦଘେରକୁ ଆସିଛି । କାରଣ ଆବାସ ଯୋଜନାରେ ଆୟ ପ୍ରମାଣପତ୍ର ଆବଶ୍ୟକ । ଯାହାଙ୍କ ଆୟ ବର୍ଷକୁ ୧ ଲକ୍ଷ ୬୦ ହଜାର ଭିତରେ ହୋଇଥିବ ସେମାନେ ଯୋଗ୍ୟ ହିତାଧିକାରୀ ଭାବେ ଗଣତି ହେବେ । କିନ୍ତୁ ଗାଲୁପଡ଼ାରେ ଦୁଇ ମହଲା କୋଠା ନିର୍ମାଣ କରିପାରୁ ଥିବା ବ୍ୟକ୍ତିଙ୍କ ଆୟ ଏତେ କମ୍ କିଭଳି ହେଲା ବୋଲି ପ୍ରଶ୍ନ ଉଠିଛି । ଏହି ଘର ପାଇଁ ବହୁ ଥିଲାବାଲା ଲୋକ ନିଜ ପିଲା ପରିବାର ଠାରୁ ପୃଥକ ବୋଲି ଦସ୍ତାବିଜ୍ ପ୍ରସ୍ତୁତ କରୁଛନ୍ତି । ଉକ୍ତ ଦସ୍ତାବିଜ୍ ଆଳରେ ଏମାନେ ଘର ପାଇବା ପାଇଁ ଯୋଗ୍ୟ ବୋଲି ଚୟନ କରାଯାଉଛି । ସକ୍ରିୟ ଥିବା ର୍ୟାକେଟ୍ ଟେବୁଲ ତଳେ ମୋଟା ଲାଞ୍ଚ କାରବାର କରି ଏହିଭଳି ଅଯୋଗ୍ୟଙ୍କୁ ଯୋଗ୍ୟ କରି ଦେଉଛନ୍ତି । ଆସନ୍ତା ମଙ୍ଗଳବାର ଦିନ ନୂତନ ଆବାସ ଯୋଜନା ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିବେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି । ତେବେ ବଣ୍ଟନ ହେବାକୁ ଥିବା କାର୍ଯ୍ୟାଦେଶରେ ଅଯୋଗ୍ୟ ରହିଛନ୍ତି ନା ନାହିଁ ତାହା ଯାଞ୍ଚ କରିବା ଜରୁରି । ନଚେତ୍ ବିଧାୟକଙ୍କ ମୁଣ୍ଡରେ ନଡିଆ ବାଡ଼େଇଲା ଭଳି ଦୁର୍ନୀତିଗ୍ରସ୍ତ ପୌର କର୍ମଚାରୀମାନେ ପୂର୍ବଭଳି ଖସିଯିବା ଉପାୟରେ ରହିବେ । ଏ ସଂପର୍କରେ ପୌର ନିର୍ବାହୀ ଅଧିକାରୀ ଶ୍ରୀ ବେହେରାଙ୍କ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରାଯାଇଥିଲା । ହେଲେ ତାଙ୍କ ମୋବାଇଲ ଫୋନ୍ ବନ୍ଦ ଥିଲା ।
Comments are closed, but trackbacks and pingbacks are open.