ଜଗତସିଂହପୁରରେ ୪ ପଜିଟିଭ୍

Get real time updates directly on you device, subscribe now.

ଜଗତସିଂହପୁର,(ବି.ବି.ନୁ୍ୟଜ୍): ଗ୍ରୀନ୍ ଜୋନ୍ରେ ରହିଥିବା ଜଗତସିଂହପୁର ଜିଲ୍ଲାର ନାଉଗାଁ ବ୍ଲକ ଅଞ୍ଚଳରେ ଆଜି ଏକକାଳୀନ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତେ ସୁରଟ ଫେରନ୍ତା ବୋଲି ଜଣାପଡ଼ିଛି । ଜିଲ୍ଲାରେ ପଜିଟିଭ୍ ଚିହ୍ନଟ ହେବାରେ ଏହା ପ୍ରଥମ ଘଟଣା ।
ଦୁଇ ଦିନ ତଳେ ସଂକ୍ରମିତମାନେ ଗୁଜରାଟର ସୁରଟରୁ ଆସି ଜଗତସିଂହପୁରରେ ପହଞ୍ଚିଥିଲେ । ପ୍ରଶାସନ ପକ୍ଷରୁ ଏମାନଙ୍କୁ ସ୍ୱତନ୍ତ୍ର ଗାଡ଼ିରେ କଟକରୁ ଅଣାଯାଇ ନାଉଗାଁ ବ୍ଲକ କଣ୍ଟୁଣିଆ ହାଇସ୍କୁଲ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଥିଲା । ଗତକାଲି ଜଗତସିଂହପୁରସ୍ଥିତ ସରଳା ଦେବୀ କଲ୍ୟାଣ ମଣ୍ଡପକୁ ଅଣାଯାଇ ଏମାନଙ୍କର ସ୍ୱାବ୍ ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ କଟକ ପଠାଯାଇଥିଲା । ଆଜି ସମସ୍ତ ଚାରି ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ଜିଲ୍ଲାରେ ହଇଚଇ ଖେଳିଯାଇଛି । ତେବେ ପ୍ରଶାସନର ସମୟୋପଯୋଗୀ ପଦକ୍ଷେପ ଯୋଗୁଁ ସମସ୍ତ କରୋନା ଆକ୍ରାନ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବାରୁ ଆଖପାଖ ଅଞ୍ଚଳବାସୀ ଭୟଭୀତ ନ ହେବାକୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜଣାଇଛନ୍ତି ।
କୌଣସି ଲକ୍ଷଣ ନ ଥାଇ ସୁଦ୍ଧା ଏହି ଚାରି ଜଣଙ୍କ ସ୍ୱାବ୍ ରିପୋର୍ଟ ପଜିଟିଭ୍ ଆସିଛି । ଏମାନଙ୍କ ଭିତରୁ ତିନି ଜଣ ଗୋଟିଏ ପରିବାରର ହୋଇଥିବା ବେଳେ ଅନ୍ୟ ଜଣେ ତାଙ୍କ ସଂପର୍କୀୟ ହୋଇଥିବା ପ୍ରଶାସନ ସୂତ୍ରରୁ ପ୍ରକାଶ । ଗୁଜରାଟ ଫେରନ୍ତା ଏହି ପରିବାର ସଦସ୍ୟମାନଙ୍କ ଘର ଜାମୁଗାଁ ପଞ୍ଚାୟତ ଅଞ୍ଚଳରେ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଘର ତିରୁଣା ପଞ୍ଚାୟତରେ । ତେବେ ସେମାନେ ସିଧାସଳଖ ନିଜ ଘରକୁ ଫେରି ନ ଥିବାରୁ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ନଥିବା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଅନ୍ୟପଟେ ଯେଉଁ ଗାଡ଼ିରେ ଏହି ଚାରି ଜଣ ଆସିଥିଲେ, ଉକ୍ତ ଗାଡ଼ିର ଚାଳକଙ୍କୁ କ୍ୱାରେଣ୍ଟାଇନ୍ରେ ରଖାଯାଇଛି । ଏବେ ଚାରି ଜଣଙ୍କ ଶରୀରରେ କରୋନା ଲକ୍ଷଣ ଯଥା ଥଣ୍ଡା, କାଶ, ଜ୍ୱର, ଛିଙ୍କ ନ ଥିବାରୁ ସେମାନଙ୍କୁ ପାରାଦୀପ କୋଭିଡ଼୍ ହସ୍ପିଟାଲକୁ ନିଆଯିବ କି ନାହିଁ ତାହା ଉପରେ ନିଷ୍ପତ୍ତି ନିଆଯାଇ ନାହିଁ । କାରଣ ରୋଗର ଲକ୍ଷଣ ନ ଥିଲେ କି ଶରୀର ଅଧିକ ଅସୁସ୍ଥ ନ ଥିଲେ ସେମାନଙ୍କୁ ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ ରଖାଯାଇ ପାରିବ ବୋଲି ଜିଲ୍ଲାପାଳ ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି । ଜିଲ୍ଲାପାଳଙ୍କ ସୂଚନା ମୁତାବକ, ଆକ୍ରାନ୍ତଙ୍କ ଭିତରେ ରହିଥିବା ଗୋଟିଏ ପରିବାରର ସଦସ୍ୟମାନଙ୍କ ବୟସ ଯଥାକ୍ରମେ ୩୦, ୪୭ ଓ ୩୨ । ସେହିପରି ଅନ୍ୟ ଆକ୍ରାନ୍ତଙ୍କ ବୟସ ୨୬ ବର୍ଷ । ପୂର୍ବରୁ ଏମାନେ ଘରକୁ ଫେରିବା ପାଇଁ ସରକାରୀ ସ୍ତରରେ ପଞ୍ଜିକରଣ କରିଥିଲେ । ସେ ଦୃଷ୍ଟିରୁ ସମସ୍ତ ଗୁଜରାଟ ଫେରନ୍ତାଙ୍କୁ ଗାଁକୁ ଯିବା ପରିବର୍ତ୍ତେ କଣ୍ଟୁଣିଆ ହାଇସ୍କୁଲର ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଏହି ପରିବାର ସଦସ୍ୟମାନଙ୍କ ସହ ଜଣେ ମହିଳା ଓ ଏକ ଶିଶୁ ଥିବା ଜଣାପଡ଼ିଛି । ତେବେ ଏମାନଙ୍କ ସ୍ୱାବ୍ ପରୀକ୍ଷା ରିପୋର୍ଟ ନେଗେଟିଭ୍ ରହିଥିବାରୁ ପ୍ରଶାସନ ପକ୍ଷରୁ ଅଧିକ ସୂଚନା ଦିଆଯିବାକୁ ମନା କରି ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons