ନୂଆଦିଲ୍ଲୀ: ଅରୁଣ ଜେଟ୍ଲୀ ଦେଶର ରାଜନୈତିକ ସ୍ତମ୍ଭ ଥିଲେ । ଭରପୂର ଜ୍ଞାନର ଅଧିକାରୀ ଓ ଆଇନର ବିଦ୍ୱାନ ଥିଲେ । ଦେଶର ବିକାଶରେ ତାଙ୍କର ଅବିସ୍ମରଣୀୟ ଅବଦାନ ରହିଛି । ତାଙ୍କର ପରଲୋକ ଯନ୍ତ୍ରଣା ଦେଇଛି । ଆଜି ମୁଁ ଜଣେ ମୂଲ୍ୟବାନ ବନ୍ଧୁ ହରାଇଲି । ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଜେଟ୍ଲୀଙ୍କ ପାଇଁ ଏଭଳି ଶୋକପ୍ରକାଶ କରିଛନ୍ତି ।ନିଜର ପୁରୁଣା ବନ୍ଧୁ ଜେଟ୍ଲୀଙ୍କୁ ହରାଇ ମୋଦି ବିଦେଶରେ ବିବ୍ରତ ହୋଇପଡ଼ିଥିବା ତାଙ୍କ ସିରିଜ୍ ଟ୍ୱିଟ୍ରୁ ଏହା ସ୍ପଷ୍ଟ ବାରି ହୋଇପଡ଼ିଥିଲା । ୫ଥର ଟ୍ୱିଟ୍ କରିଥିଲେ ମୋଦି । ପ୍ରଥମ ଟ୍ୱିଟ୍ରେ ସେ ଜେଟ୍ଲୀଙ୍କ ପରିବାର ସଦସ୍ୟଙ୍କୁ ଫୋନ୍ କରି ସମବେଦନା ଜ୍ଞାପନ କରିଥିବା ଜଣାଇଥିଲେ । ଜେଟ୍ଲୀ ଜଣେ ସ୍ପଷ୍ଟବାଦୀ ନେତା ଥିଲେ । ଦେଶ ପ୍ରତି ତାଙ୍କର ଅବଦାନ ଚିରଦିନ ପାଇଁ ମନେରହିବ । ତାଙ୍କର ଏଭଳି ପରଲୋକରେ ମୁଁ ଅତ୍ୟନ୍ତ ଦୁଃଖିତ ।ଜେଟ୍ଲୀଙ୍କ ବ୍ୟକ୍ତିତ୍ୱକୁ ବଖାଣି ପରବର୍ତ୍ତୀ ଟ୍ୱିଟ୍ରେ ମୋଦି ଲେଖିଥିଲେ, ଜେଟ୍ଲୀ ଅନେକ ଗୁଣର ଅଧିକାରୀ ଥିଲେ । ବୁଦ୍ଧିରେ ଭରପୂର ଏବଂ ଜଣେ ଖୁସି ମିଜାଜ୍ର ଲୋକ ଥିଲେ । ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ଦ୍ୱାରା ସେ ଆଦୃତ ଥିଲେ । ଭାରତୀୟ ସମ୍ବିଧାନ, ଇତିହାସ, ସାଧାରଣ ନୀତି ଓ ପ୍ରଶାସନ ଏବଂ ଗଭର୍ଣ୍ଣାନ୍ସ କ୍ଷେତ୍ରରେ ତାଙ୍କର ଗଭୀର ଜ୍ଞାନ ରହିଥିଲା ।ନିଜର ଲମ୍ବା ରାଜନୈତିକ କ୍ୟାରିୟରରେ ଜେଟ୍ଲୀ ଅନେକ ସଫଳତା ହାସଲ କରିଛନ୍ତି । ଏକାଧିକ ମନ୍ତ୍ରାଳୟରେ ରହି ଦାୟିତ୍ୱକୁ ନିଖୁଣ ଭାବେ ନିର୍ବାହ କରିଛନ୍ତି । ଭାରତର ଅର୍ଥନୀତିକୁ ସୁଦୃଢ଼ କରିବା ଓ ପ୍ରତିରକ୍ଷା କ୍ଷମତାକୁ ଶକ୍ତିଶାଳୀ କରିବାରେ ତାଙ୍କର ଭୂମିକା ଉଲ୍ଲେଖନୀୟ ରହିଥିଲା । ଏହାଛଡ଼ା ଜନତା ଅନୁକୂଳ ଆଇନ ପାଇଁ ଖସଡ଼ା ପ୍ରସ୍ତୁତ କରିବାରେ ସେ ସିଦ୍ଧହସ୍ତ ଥିଲେ । ବିଦେଶୀ ରାଷ୍ଟ୍ର ସହ ବାଣିଜ୍ୟ ସମ୍ପର୍କ ଯୋଡ଼ିବା ଏବଂ ସେହି ସମ୍ପର୍କକୁ ବଳିଷ୍ଠ କରିବାରେ ସେ ଗଠନମୂଳକ ନୀତି ଆଣିଥିଲେ ।ମୋଦି ଆହୁରି କହିଛନ୍ତି, ଜେଟ୍ଲୀ ଜୀ ଏବଂ ବିଜେପି ମଧ୍ୟରେ ଅତୁଟ ବନ୍ଧନ ରହିଥିଲା । ଛାତ୍ର ନେତା ଥିଲା ବେଳେ ମଧ୍ୟ ଦେଶର ଗଣତନ୍ତ୍ରକୁ ସୁରକ୍ଷା ଯୋଗାଇବା କ୍ଷେତ୍ରରେ ସେ କାର୍ଯ୍ୟ କରିଥିଲେ । ବିଶେଷକରି ଜରୁରୀ ପରିସ୍ଥିତି ବେଳେ ସେ ଯେଉଁ କାର୍ଯ୍ୟ କରିଛନ୍ତି, ତାହାକୁ ଭୁଲିହେବ ନାହିଁ । ଦଳରେ ତାଙ୍କର ଗୁରୁ ଦାୟିତ୍ୱ ରହିଥିଲା । ଦଳର ବିଭିନ୍ନ କାର୍ଯ୍ୟକ୍ରମ ପ୍ରସ୍ତୁତିରେ ତାଙ୍କର ଭୂମିକା ଅବିସ୍ମରଣୀୟ ଥିଲା ।ଜେଟ୍ଲୀ ଜୀଙ୍କୁ ହରାଇ ମୁଁ ଆଜି ଜଣେ ମୂଲ୍ୟବାନ ବନ୍ଧୁଙ୍କୁ ହରାଇଲି । ତାଙ୍କୁ ମୁଁ ଅନେକ ଦଶନ୍ଧି ଧରି ଜାଣିଥିଲି ଏବଂ ତାଙ୍କ ପାଖାପାଖି ରହିଥିଲି । ବିଭିନ୍ନ ପ୍ରସଙ୍ଗରେ ତାଙ୍କର ଅଗାଧ ଜ୍ଞାନ ରହିଥିଲା ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ସେ ଭଲ ଭାବେ ବୁଝିବାର ଦକ୍ଷତା ରଖିଥିଲେ । ତାଙ୍କ ବିୟୋଗ ଆଜି ସମସ୍ତଙ୍କୁ ଦୁଃଖ ଦେଇଗଲା । ଆମ ସହ ସେ ଅନେକ ସୁଖକର ସ୍ମୃତି ଛାଡ଼ି ଚାଲିଯାଇଛନ୍ତି । ଆମେ ତାଙ୍କୁ ଆଦୌ ଭୁଲିପାରିବୁ ନାହିଁ ।
Comments are closed, but trackbacks and pingbacks are open.