ଜବରଦଖଲରେ ମୂଲ୍ୟବାନ ଜମି: ପ୍ରଶାସନ ନିରବ

Get real time updates directly on you device, subscribe now.

ଜୟପୁର,(ବାସୁଦେବ ଜେନାଙ୍କ ରିପୋର୍ଟ): ପ୍ରଶାସନ ଶୋଇଛି । ଏଣେ ଜବରଦଖଲ ହେବାରେ ଲାଗିଛି ଏକର ଏକର ସରକାରୀ ଜମି । ସତୀନଦୀ ନିକଟ ସରକାରୀ ଜାଗାକୁ ଜବରଦଖଲ କରି ଶହଶହ ଘର ନିର୍ମାଣ ଚାଲିଥିବା ବେଳେ ଏବେ ଆଉ ଏକ ଜାଗା ଜବରଦଖଲ ହେବାରେ ଲାଗିଛି । ନୂଆ ବସଷ୍ଟାଣ୍ଡ ଏବଂ ଉଦ୍ୟାନ ବିଭାଗ ମଝିରେ ଥିବା ଏକର ଏକର ଜାଗାକୁ ମାଡିବସିଛନ୍ତି ଲୋକେ । କିଏ କାଠ ପୋତି ନିଜର ବୋଲି ଦାବି କରୁଛି ତ ଆଉ କିଏ ଘର ନିର୍ମାଣ କରିସାରିଲାଣି । ସହର ମଧ୍ୟରେ ସରକାରୀ ଜମି ଜବରଦଖଲ ହେଉଥିବା ବେଳେ ପ୍ରଶାସନ ନିରବଦ୍ରଷ୍ଟା ସାଜିବା ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବେଳ ଆସିଛି, ପ୍ରଶାସନ ନିଦରୁ ଉଠିବା ଦରକାର । ଜବରଦଖଲକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁÂାନ ନେବା ଦରକାର ।
ସ୍ଥାନୀୟ ଗ୍ଲୋକାଲ ହସ୍ପିଟାଲ୍ ନିକଟ ସତୀନଦୀକୁ ଲାଗିଥିବା ଜମିକୁ ଜବରଦଖଲ କରିଛନ୍ତି ଶହଶହ ପରିବାର । ଏ ସମ୍ପର୍କରେ ଆମେ ସ୍ୱତନ୍ତ୍ର ଖବର ପ୍ରକାଶ କରିଥିଲୁ । ତହସିଲଦାର ପ୍ରଧାନ ଟୁଲିଆମ୍ମା ଏହାର ଅନୁସନ୍ଧାନ କରି ପଦକ୍ଷେପ ନେବେ ବୋଲି କହିଥିଲେ । ଏ ଭିତରେ ବିତିଗଲାରି ୧୫ ଦିନ । ଆଜି ସୁଦ୍ଧା ତହସିଲ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଫଳରେ ବଳକା ଜାଗା ବି ଜବରଦଖଲକାରୀଙ୍କ କବ୍ଜାକୁ ଚାଲିଯାଉଛି । ସେହିପରି ଏବେ ନୂତନ ବସ୍ଷ୍ଟାଣ୍ଡ ଓ ଉଦ୍ୟାନ ବିଭାଗର ନର୍ସରୀ ମଝିରେ ଥିବା ଏକର ଏକର ଜମି ଜବରଦଖଲ ଆରମ୍ଭ ହୋଇଛି । ସେଠାରେ ଲୋକେ ବାଉଁଶ ପୋତିବା ଆରମ୍ଭ କରିଦେଇଛନ୍ତି । ଯେଉଁଆଡେ ଦେଖିବ ବାଉଁଶ ଖମ୍ବ । ଯିଏ ଯେତିକି ଜାଗା ମାଡିବସିପାରିଲା । ସେହି ଅନୁସାରେ ବାଡ ପକାଇବା ଆରମ୍ଭ କରିଦେଇଛନ୍ତି । କେତେକ ସ୍ଥାନରେ ଘର ନିର୍ମାଣ କାମ ଆରମ୍ଭ ହୋଇଯାଇଛି । ସରକାରଙ୍କ ମୂଲ୍ୟବାନ ଜମିକୁ ଏଭଳି ଜବରଦଖଲ କରାଯାଉଥିବା ବେଳେ ପ୍ରଶାସନ କାହିଁକୁ ଚୁପ୍ ରହିଛି ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି । ଯଦି ଘର ନିର୍ମାଣ ହେବା ପୂର୍ବରୁ ପ୍ରଶାସନ କୌଣସି ପଦକ୍ଷେପ ନ ନିଏ, ତାହେଲେ ସମ୍ପୂର୍ଣ୍ଣ ଅଞ୍ଚଳ ଜବଦଖଲକାରୀଙ୍କ କବଜାକୁ ଚାଲିଯିବ । ଅନ୍ୟପକ୍ଷରେ ଭୋଟ୍ ବ୍ୟାଙ୍କକୁ ସୁରକ୍ଷିତ ରଖିବା ଲାଗି ନେତାମାନେ ପାଟି ଖୋଲିବେ ନାହିଁ । ଦରକାର ପଡିଲେ ଜବରଦଖଲକାରୀଙ୍କ ସପକ୍ଷରେ ଓକିଲାତି କରିବେ । ଜବରଦଖଲ ସମ୍ପର୍କରେ ତହସିଲଦାର ପ୍ରଧାନ ଟୁଲ୍ଲିଆମ୍ମାଙ୍କୁ ପଚାରିବାରୁ, ରାଜସ୍ୱ ନିରୀକ୍ଷକଙ୍କୁ ପଠାଇ ଏହାର ତଦନ୍ତ କରିବେ । ଜବରଦଖଲ ଉଚ୍ଛେଦ ପାଇଁ ପଦକ୍ଷେପ ନେବେ ବୋଲି ଚିରାଚରିତ ଢଙ୍ଗରେ ଦୋହରାଇଛନ୍ତି । ଦେଖାଯାଉ, ପ୍ରଶାସନ ପକ୍ଷରୁ କେବେ ପଦକ୍ଷେପ ନିଆଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons