ଗୁଣପୁର,(ବି.ବି.ନୁ୍ୟଜ୍): ପୁଟାସିଂ ଥାନା ଅନ୍ତର୍ଗତ ରିଜିଂତାଲ୍ରେ ଜବରଦଖଲ ଉଚ୍ଛେଦ ପ୍ରତିବାଦରେ ଚାପା ଉଞ୍ଚେଜନା । ପ୍ରଶାସନିକ ଅଧିକାରୀମାନଙ୍କ ସହିତ ମୁହାଁମୁହିଁ ହୋଇଛନ୍ତି ଗ୍ରାମବାସୀ । ଉଞ୍ଚ୍ୟକ୍ତ ଆଦିବାସୀମାନେ ପୁଲିସ ଉପରେ ଆକ୍ରମଣ କରିବା ସହ ତହସିଲଦାରଙ୍କୁ ନାକେଦମ କରି ପକାଇଛନ୍ତି । ଶୁକ୍ରବାର ରାତିରୁ ରାସ୍ତାରୋକ ଚାଳୁ ରହିଛି । ଦୀର୍ଘ ୨୪ ଘଣ୍ଟା ଧରି ପୁଟାସିଂ- ଗୁଣପୁର ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଛି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ଅଧିକ ଫୋର୍ସ ମଗାଯାଇଥିବା ଥାନା ଆଇଆଇସି କହିଛନ୍ତି ।
ରିଜିଂତାଲ ମୌଜାର ଏକ ସରକାରୀ ଜମି ଗ୍ରାମବାସୀଙ୍କ ଜବରଦଖଲରେ ରହିଥିଲା । ସେଠାରେ ସେମାନେ ଚାଷ କରି ଆସୁଥିଲେ । ଏବେ ସେହି ଜମିରେ ଜନା(ମକା) ଚାଷ କରିଥିଲେ । କିନ୍ତୁ ସେଠାରେ ଏକ ବିଦ୍ୟାଳୟ ନିର୍ମାଣ ହେବ ବୋଲି ଦର୍ଶାଇ ଶୁକ୍ରବାର ତହସିଲଦାର ସଦଳବଳେ ପହଞ୍ଚି ଜମି ମାପଚୁପ କରିଥିଲେ । ଜମି ଚାରିପଟେ ସାଇନ ବୋର୍ଡ ଲଗାଇଥିଲେ । ଏମିତିକି ଜମିର ଫସଲ ନଷ୍ଟ କରିବା ସହ ଏକ ଘରକୁ ଭାଙ୍ଗି ଦେଇଥିଲା ପ୍ରଶାସନ । ଫଳରେ ଗ୍ରାମବାସୀ ପ୍ରଶାସନକୁ ବିରୋଧ କରିବା ଆରମ୍ଭ କରିଥିଲେ । ତହସିଲଦାରଙ୍କ ଏଭଳି ଆଦିବାସୀ ବିରୋଧୀ ନୀତିକୁ ସେମାନେ ନିନ୍ଦା କରିବା ସହ ଗାଳିଗୁଲଜ କରିଥିଲେ । ସୁରକ୍ଷା ପାଇଁ ଆସିଥିବା ପୁଟାସିଂ ପୁଲିସ ଉପରେ ମଧ୍ୟ ଲୋକେ ଶୁକ୍ରବାର ଆକ୍ରମଣ କରିଥିଲେ । ଆଇଆଇସି ପଦ୍ମା ମୁଥୁ ଗଣ୍ଡଗୋଳର ସମାଧାନ କରିବାକୁ ଯାଇଥିବା ବେଳେ ଜଣେ ମହିଳା ତାଙ୍କୁ ଚାପୁଡା ମାରିଥିଲେ । ଏହାପରେ ଉଞ୍ଚ୍ୟକ୍ତ ଲୋକେ ଅନ୍ୟ ଜଣେ ପୁଲିସ୍ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଶେଷରେ ଗ୍ରାମବାସୀ ରିଜିଂତାଲ ନିକଟରେ ରାସ୍ତାରୋକ କରିଥିଲେ । ଉକ୍ତ ରାସ୍ତାରେ କୌଣସି ଯାନବାହାନ ଚଳାଚଳ କରାଇ ଦେଇନଥିଲେ । ଏମିତିକି ତହସିଲଦାର ଏବଂ ପୁଲିସ ଗାଡ଼ି ଛାଡିନଥିଲେ । ଅନ୍ୟ ଏକ ରାସ୍ତାରେ ତହସିଲଦାର ନର୍ମଦା ମୋଦି ଏବଂ ଏସ୍ଡିପିଓ ରାଜକିଶୋର ଦାସ ଗୁଣପୁର ଫେରିଥିଲେ ।
ଆଦିବାସୀଙ୍କ ଆନେ୍ଦାଳନ ଜାରି ରହିଛି । ରାସ୍ତାରେ ଅଟକି ରହିଛି ଯାନବାହନ । ସିପିଆଇ ଏମଏଲ ଲିବରେସନ ନେତା ସମ୍ବରା ଶବର ଓ ଦାମୋଦର ଶବରଙ୍କ ନେତୃତ୍ୱରେ ଗାଁ ଲୋକେ ଏକାଠି ହୋଇ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ରାସ୍ତା ଉପରେ ବସି ରହିଛନ୍ତି । ତହସିଲଦାର ଏବଂ ଆଇଆଇସିଙ୍କ ବିରୋଧରେ ନାନ ସ୍ଳୋଗାନ ଦେଇ ଆମ ଜମି ଆମକୁ ଛାଡବୋଲି ଦାବି କରିଛନ୍ତି । ସେମାନେ କହିଛନ୍ତି ଯେ, ପିତୃ ପୁରୁଷରୁ ଉକ୍ତ ଜମି ସେମାନଙ୍କ ଦଖଲରେ ରହିଥିଲା । କିନ୍ତୁ ପ୍ରଶାସନ କୌଣସି ଗ୍ରାମସଭା, ପଲ୍ଲୀସଭା ନକରି କିମ୍ବା ନୋଟିସ ନଦେଇ ହଠାତ୍ ଫସଲ ନଷ୍ଟ କରିଦେଲା, ଘର ଭାଙ୍ଗିଦେଲା । ଏହାର ସେମାନେ ଦୃଢ ବିରୋଧ କରୁଛନ୍ତି । ଦାବି ପୂରଣ ନହେବା ଯାଏଁ ରାସ୍ତାରୋକ ହଟିବ ନାହିଁ ବୋଲି ଜିଦ୍ ଧରିଛନ୍ତି । ପରିସ୍ଥିତିକୁ ନଜରରେ ରଖି ପୁଟାସିଂ ଥାନାରେ ଆନ୍ଦଳନକାରୀମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି । ଅଧିକ ଫୋର୍ସ ମଗା ଯାଇଥିବା ଆଇଆଇସି ପଦ୍ମା କହିଛନ୍ତି ।


Comments are closed, but trackbacks and pingbacks are open.