କୋରେଇ,(ବି.ବି.ନୁ୍ୟଜ୍): ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ଅମୃତିଆ ଗ୍ରାମରେ ଜମିବାଡ଼ିକୁ କେନ୍ଦ୍ର କରି ତୁମୁଳକାଣ୍ଡ ଘଟିଛି । ଜମି ପାଇଁ ଦୁଇ ଭାଇଙ୍କୁ କିଛି ବ୍ୟକ୍ତି ସଂଘବଦ୍ଧଭାବେ ମରଣାନ୍ତକ ଆକ୍ରମଣ କରିଥିଲେ । ଆକ୍ରମଣକାରୀମାନେ ଜଣଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ଦେଇଥିବା ବେଳେ ଅନ୍ୟଜଣଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଗୁରୁତର ଅବସ୍ଥାରେ ଦୁଇଭାଇଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଗୁରୁତରଦ୍ୱୟ ହେଲେ ଏହି ଗ୍ରାମର ବିଦ୍ୟାଧର ମହାପାତ୍ରଙ୍କ ପୁଅ ସାରଙ୍ଗ(୪୨) ଓ ତାପସ(୩୬) ।
ଦୁଇଭାଇଙ୍କ ମଧ୍ୟରୁ ଜଣଙ୍କର ମୃତୁ୍ୟ ହୋଇଥିବା ନେଇ ଗୁଜବ ପ୍ରଚାର ହେବା ପରେ ଗାଁ ଲୋକେ ଉତ୍ତେଜିତ ହୋଇଯାଇଥିଲେ । ଘଟଣା ସ୍ଥଳକୁ ଆସି ଆକ୍ରମଣକାରୀଙ୍କୁ ଖୋଜିଥିଲେ । ସେମାନଙ୍କୁ ନପାଇବାରୁ ଗାଁ ମୁଣ୍ଡରେ ଥିବା ଦୁଇଟି ବାଇକ୍କୁ ନିଅାଁ ଲଗାଇ ଜାଳି ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ଲୁଚି ରହିଥିବା ଆକ୍ରମଣକାରୀଙ୍କୁ ଏକ ଘରୁ ଠାବ କରି ନେଉଥିବା ବେଳେ ଉତ୍ତ୍ୟକ୍ତ ଲୋକେ ପୁଲିସ ହାତରୁ ଆକ୍ରମଣକାରୀଙ୍କୁ ଛଡ଼ାଇ ଆଣି ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରି ଦେଇଥିଲେ । ପୁଲିସ ସେମାନଙ୍କୁ ବିରୋଧ କରିବାରୁ ଉତ୍ତ୍ୟକ୍ତ ଲୋକ ଘଟଣାସ୍ଥଳକୁ ଏସ୍ପି ନଆସିବା ଯାଏ ପୁଲିସ ଗାଡ଼ି ଛାଡ଼ିବେ ନାହିଁ ବୋଲି ଜିଦ୍ ଧରି ଗାଡ଼ି ଆଗରେ ବସିଥିଲେ । କିଛି ସମୟ ପରେ ଦୁଇଟି ଗାଡ଼ିରେ କିଛି ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଲାଠି ଚାର୍ଜ କରିଥିଲେ । ଫଳରେ କିଛି ଲୋକ ଛତ୍ରଭଙ୍ଗ ଦେଇଥିବା ବେଳେ କେତେଜଣ ପୁଲିସ ଉପରକୁ ଢେଲା ମାଡ଼ କରିଥିଲେ । ଏଥିରେ କିଛି ପୁଲିସ ଅଧିକାରୀ ଓ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି । ସାରଙ୍ଗ ଓ ତାପସଙ୍କ ଆକ୍ରମଣକାରୀଙ୍କ ମଧ୍ୟରୁ ତିନିଜଣଙ୍କୁ ପୁଲିସ ଅଟକ ରଖିଥିବା ଜଣାପଡ଼ିଛି ।
ସୂଚନା ମୁତାବକ, ଅମୃତିଆ ଗ୍ରାମରେ ଜମିବାଡ଼ିକୁ ନେଇ ବିଦ୍ୟାଧର ମହାପାତ୍ର ଓ କାହ୍ନୁ ଚରଣ ସ୍ୱାଇଁଙ୍କ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିଲା । ଆଜି କାହ୍ନୁ ଜୋରଜବରଦସ୍ତ ଉକ୍ତ ବିବାଦୀୟ ଜମିରେ ହଳ କରୁଥିଲା । ଏହାକୁ ବିଦ୍ୟାଧରଙ୍କ ପୁଅ ସାରଙ୍ଗ ଓ ତାପସ ବନ୍ଦ କରିବାରୁ କାହ୍ନୁର ଦୁଇ ଶଳା, ହଳ କରୁଥିବା ଟ୍ରାକ୍ଟରର ମାଲିକ ଓ ଦୁଇଜଣ ଡ୍ରାଇଭର ସଂଘବଦ୍ଧଭାବେ ସାରଙ୍ଗ ଓ ତାପସକୁ ମାଡ଼ ମାରିବା ସହିତ ସାରଙ୍ଗ ଉପରେ ଟ୍ରାକ୍ଟର ଚଢ଼ାଇ ଦେଇଥିଲେ । ଯାହାକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ଏହି ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି । ଗାଁରେ ପୁଲିସ ପଇଁତରା ମାରିବା ସହ ପୁଲିସ ଉପରେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ଧରିବା ପାଇଁ ଯୋଜନା କରୁଥିବା ଜଣାପଡ଼ିଛି ।
Comments are closed, but trackbacks and pingbacks are open.