ଭୂବନେଶ୍ୱର : ଓଡିଶାର ସରକାରଙ୍କ ‘ଜାଗା ମିଶନ’କୁ ୱାର୍ଲ୍ଡ ହାବିଟାଟ୍ ଆୱାର୍ଡ ମିଳିଥିବା ସରକାର ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ ସ୍ୱୟଂ ଏହି ସୁଚନାକୁ ସାମାଜିକ ଗଣମାଧ୍ୟମ ଟୁଇଟ ଜରିଆରେ କହିଥିବାବେଳେ ବିଭାଗୀୟ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କିନ୍ତୁ ଏହି ଆୱାର୍ଡ ପ୍ରଦାନ କରିଥିବା ୱାର୍ଲ୍ଡ ହାବିଟାଟ୍ର ଅଫିସିଆଲର ୱେବସାଇଟ ଅନୁସାରେ କର୍ଣ୍ଣାଟକର ଆଦିବାସୀ ଅଂଚଳରେ କାମ କରୁଥିବା ‘ଆକ୍ସନଏଡ ଇଣ୍ଡିଆ’ ଓ ସ୍ପେନର ଏକ ସଂସ୍ଥା ସଂସ୍ଥାକୁ ପ୍ରଥମ ପୁରଷ୍କାର ମିଳିଥିବାର ଉଲ୍ଲେଖ ହୋଇଛି । ୱାର୍ଲ୍ଡ ହାବିଟାଟ ଆୱାର୍ଡରେ ବିଜେତାମାନଙ୍କୁ ସ୍ୱର୍ଣ୍ଣ ପଦକ ଦିଆଯାଏ । ରାଜ୍ୟସରକାରଙ୍କ ଜାଗା ମିଶନ ପ୍ରକଳ୍ପକୁ ଏହି ପୁରଷ୍କାର ପାଇଁ ଫାଇନାଲ ରାଉଣ୍ଡକୁ ମନୋନିତ କରାଯାଇଥିଲା । ଏହି ପ୍ରତିଯୋଗିତାର ଫାଇନାଲିଷ୍ଟମାନଙ୍କୁ ସିଲଭର ଓ ବ୍ରୋଞ୍ଜ ପଦକ ଦିଆଯାଏ । ପୁରଷ୍କାର ପ୍ରଦାନ କରିଥିବା ସଂସ୍ଥା ନିଜର ଅଫିସିଆଲ ୱେବସାଇଟରେ ଏକଥା ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି । ତେବେ ରାଜ୍ୟ ସରକାରଙ୍କ ସରକାରୀ ବିଜ୍ଞାପନ ଏବଂ ବିଭାଗୀୟ ମନ୍ତ୍ରୀଙ୍କ ନିଜ ବକ୍ତବ୍ୟରେ ନିଜକୁ ବିଜେତା ବୋଲି କହିବା ଅତ୍ୟନ୍ତ ଭ୍ରମାତ୍ମକ ବୋଲି ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।
ଆଜି ରାଜ୍ୟ କାର୍ୟ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ.ଲେଖାଶ୍ରୀ ଅଭିଯୋଗ କରି କହିଛନ୍ତି ଯେ, ରାଜ୍ୟବାସୀଙ୍କୁ ଭ୍ରମିତ କରି ପୁରଷ୍କାର ପାଇବା ପାଇଁ ରାଜ୍ୟ ସରକାର ଜାଗା ମିଶନର ହିତାଧିକାରୀ ସଂଖ୍ୟା ସମ୍ପର୍କରେ ଭୁଲ ତଥ୍ୟ ଦେବା ଅତ୍ୟନ୍ତ ସାଘାଂତିକ କଥା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ୨୦୧୮ମସିହାରେ ଜାଗା ମିଶନ ଉଦଘାଟନ କଲାବେଳେ ୧୦ଲକ୍ଷ ହିତାଧିକାରୀଙ୍କୁ ଏହି ଯୋଜନାରେ ଲାଭ ମିଳିବ ବୋଲି କହିଥିଲେ । ବିଭିନ୍ନ ସମୟରେ ସରକାରୀ ବିଜ୍ଞାପନରେ ଦିଆଯାଇଥିବା ତଥ୍ୟ ଅନୁସାରେ ରାଜ୍ୟରେ ୧୦ଲକ୍ଷ ଲୋକଙ୍କୁ ଜାଗା ମିଶନରେ ଜମି ମିଳିବାର ଯୋଜନା ରହିଛି । ତେବେ ୱାର୍ଲ୍ଡ ହାବିଟାଟ୍ ଆୱାର୍ଡ ୱେବସାଇଟରେ ଥିବା ତଥ୍ୟ ଅନୁସାରେ ଓଡିଶା ଜାଗା ମିଶନରେ ହିତାଧିକାରୀଙ୍କ ସଂଖ୍ୟା ହେଉଛି ୧୮ଲକ୍ଷ । ଏହାର ଅର୍ଥ ହିତାଧିକାରୀଙ୍କ ସଂଖ୍ୟାକୁ ବଢେଇ ଚଢେଇ ସରକାର ପୁରଷ୍କାର ପ୍ରଦାନ କରୁଥିବା ସଂସ୍ଥାକୁ ଦେଇଛନ୍ତି ।
ଯେଉଁ ୫୧୦୪୧ ପରିବାରଙ୍କୁ ଜମି ଅଧିକାର ସାର୍ଟିଫିକେଟ ମିଳିଛି ବୋଲି ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି, ତାହା ମଧ୍ୟ ମିଛ । ଆଉ ଯେଉଁମାନଙ୍କୁ ମିଳିଛି ବୋଲି ଦାବୀ କରୁଛନ୍ତି, ସେମାନଙ୍କୁ ବର୍ତମାନ ସୁଦ୍ଧା ସ୍ଥାୟୀ ପଟ୍ଟା ମିଳିନାହିଁ । ଏପରିକି ସରକାର ଦେଇଥିବା ଜମି ଅଧିକାର ସାର୍ଟିଫିକେଟକୁ ନେଇ ହିତାଧିକାରୀ ଘର ତିଆରି ପାଇଁ ପ୍ଲାନ୍ ଆବେଦନ କରିପାରିବେ ନାହିଁ କି ବ୍ୟାଙ୍କରୁ ଗୃହ ଋଣ ନେଇପାରିବେ ନାହିଁ । ଏପରିକି ରେସିଡେନସ୍ ପ୍ରୁଫ୍ ଭାବେ ମଧ୍ୟ ସେହି ସାର୍ଟିଫିକେଟକୁ ବ୍ୟବହାର କରିପାରିବେନାହିଁ । ଏହା ସ୍ପଷ୍ଟ କରୁଛି ଜାଗା ମିଶନରେ ଲାଭାର୍ଥୀମାନଙ୍କୁ କୌଣସି ଠୋସ୍ ଲାଭ ମିଳିନାହିଁ । କେବଳ ମିଳିଛି ଖାଲି ଖଣ୍ଡେ କାଗଜ । ଆଉ ଏହି କାଗଜ ଖଣ୍ଡକୁ ଦେଖାଇ ପୁରଷ୍କାର ହାତେଇଥିବାର ମିଛ ବାହାବା ରାଜ୍ୟ ସରକାର ନେଉଛନ୍ତି ବୋଲି ଡ.ଲେଖାଶ୍ରୀ ଅଭିଯୋଗ କରିଛନ୍ତି ।
Comments are closed, but trackbacks and pingbacks are open.