ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନରେ କମ୍ପନ

Get real time updates directly on you device, subscribe now.

ଇସଲାମାବାଦ: ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିରେ ପାକିସ୍ତାନରେ କମ୍ପନ। ଭାରତର ଏଭଳି ନିଷ୍ପତ୍ତିକୁ ପାକିସ୍ତାନ ନିନ୍ଦା କରିବା ସହ ଏକପାଖିଆ କହି ପ୍ରତ୍ୟାଖ୍ୟାନ କରିଛି। ଭାରତ ଅଧିକୃତ ଜମ୍ମୁ ଓ କଶ୍ମୀର ଆନ୍ତର୍ଜାତିକ ସ୍ତରରେ ବିବାଦୀୟ ଅଂଚଳ ଭାବେ ମାନ୍ୟତା ପାଇଛି। ତେଣୁ ଏହା ପାକିସ୍ତାନ ଏବଂ ଜମ୍ମୁ ଓ କଶ୍ମୀର ଲୋକମାନଙ୍କ ପାଇଁ ଗ୍ରହଣୀୟ ନୁହେଁ ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି।
ଧାରା ୩୭୦ ଉଚ୍ଛେଦ ନିମନ୍ତେ ଭାରତ ସରକାର ନେଇଥିବା ନିଷ୍ପତ୍ତିକୁ ପାକିସ୍ତାନ ଆଜି ତୀବ୍ର ବିରୋଧ କରିଛି । ଏହାକୁ ଦୃଷ୍ଟିରେ ରଖି ଆବଶ୍ୟକ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ଏବଂ ଦରକାର ପଡ଼ିଲେ ମିଳିତ ଜାତିସଂଘ ନିକଟରେ ଫେରାଦ ହେବ ବୋଲି ପାକିସ୍ତାନ କହିଛି । ଅନ୍ୟପକ୍ଷରେ ପାକ୍ ସେନା ମୁଖ୍ୟ କମର୍ ଜାଭେଦ ବାଜ୍ୱା ସେନାଗୁଡ଼ିକର ମୁଖ୍ୟ କମାଣ୍ଡରମାନଙ୍କର ଏକ ବୈଠକ ଡାକିଛନ୍ତି । ମଙ୍ଗଳବାର ଏହି ବୈଠକ ବସିବ ।
ପାକ୍ ବୈଦେଶିକ ମନ୍ତ୍ରାଳୟ ଏକ ବିବୃତିରେ କହିଛି ଯେ ଭାରତ ଯେଉଁ ପଦକ୍ଷେପ ନେଇଛି, ତାହା ଆଦୌ ଗ୍ରହଣୀୟ ନୁହେଁ । ଜମ୍ମୁ-କାଶ୍ମୀର ଆଜି ଏକ ଅନ୍ତର୍ଜାତୀୟ ବିବାଦ ଅଞ୍ଚଳ ଭାବେ ପରିଗଣିତ ହେଉଛି । କିନ୍ତୁ ଭାରତ ମନମୁଖି ନିଷ୍ପତ୍ତି ନେଉଛି । ତେଣୁ ଏ ବାବଦରେ ପାକ୍ ସରକାର ଜାତିସଂଘର ଦ୍ୱାରସ୍ଥ ହେବେ ।
ବିବୃତି ଆହୁରି ଦର୍ଶାଇଛି ଯେ ଭାରତ ସରକାରଙ୍କ ଏହି ଏକଚାଟିଆ ପଦକ୍ଷେପ ଜମ୍ମୁ ଓ କାଶ୍ମୀରରେ ଦେଖାଦେଇଥିବା ବିବାଦୀୟ ପରିସ୍ଥିତିରେ ସୁଧାର ଆଣିପାରିବ ନାହିଁ । ଖୋଦ ଜମ୍ମୁ-କାଶ୍ମୀରର ଲୋକମାନେ ଏହାକୁ ଗ୍ରହଣ କରିବେ ନାହିଁ । ଜାତିସଂଘରେ ଏଭଳି ବିବାଦର ପ୍ରତିକାର କରାଯାଇ ପାରିବ । ଭାରତର ଏହି ପଦକ୍ଷେପକୁ ପାକିସ୍ତାନ ଦୃଢ଼ ଭାବେ ନିନ୍ଦା କରୁଛି । ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ ପରବର୍ତ୍ତୀ କାର୍ଯ୍ୟପନ୍ଥା ପ୍ରସ୍ତୁତ କରିବ । ସମସ୍ତ ସମ୍ଭାବ୍ୟ ବିକଳ୍ପ ବ୍ୟବସ୍ଥା ଉପରେ ବିଚାର କରିବ ।
ପାକ୍ ବୈଦେଶିକ ମନ୍ତ୍ରାଳୟ ଆହୁରି କହିଛି ଯେ କାଶ୍ମୀର ପ୍ରସଙ୍ଗକୁ ନେଇ ପାକ୍ର ସ୍ୱତନ୍ତ୍ର ପ୍ରତିଶ୍ରୁତିବଦ୍ଧତା ରହିଛି । ରାଜନୈତିକ, କୂଟନୈତିକ ଓ ନୈତିକତା ଦିଗରୁ ଜମ୍ମୁ-କାଶ୍ମୀର ଲୋକଙ୍କ ପାଇଁ ପାକ୍ର ଦୃଢ଼ ସମର୍ଥନ ରହିଛି ।
ପାକ୍ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କ୍ୟୁରେଶି କହିଛନ୍ତି, ଭାରତର ଏହି ପଦକ୍ଷେପ ପରେ ଜାତିସଂଘ, ଇସ୍ଲାମିକ୍ ସମନ୍ୱୟ ସଂଗଠନ, ମିତ୍ର ରାଷ୍ଟ୍ର ଏବଂ ମାନବାଧିକାର ସଂଗଠନଗୁଡ଼ିକ ଚୁପ୍ ରହିବା ଉଚିତ ନୁହେଁ । ସେମାନେ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବା ଆବଶ୍ୟକ । ପୂର୍ବାପେକ୍ଷା ଜମ୍ମୁ-କାଶ୍ମୀର ସ୍ଥିତି ଏବେ ଆହୁରି ଅଧିକ ଖରାପ ହୋଇଛି । ଆମେ ଏ ବାବଦରେ ଆମର ନ୍ୟାୟିକ ବିଶେଷଜ୍ଞଙ୍କ ସହ ଆଲୋଚନା କରିବୁ ।
ସେ ଆହୁରି କହିଛନ୍ତି, ଜମ୍ମୁ-କାଶ୍ମୀରକୁ ଏକ ବିବାଦୀୟ ଅଞ୍ଚଳ ବୋଲି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସ୍ୱୀକାର କରିଥିଲେ । ଜାତିସଂଘ ନିରାପତ୍ତାର ମଧ୍ୟ ଏ ବାବଦରେ ଅନେକ ସଂକଳ୍ପ ରହିଛି ଏବଂ ସେମାନେ ଏହାକୁ ବିବାଦୀୟ ଅଞ୍ଚଳ ବୋଲି ଗ୍ରହଣ କରୁଛନ୍ତି । ତା’ସତ୍ତେ୍ୱ ମୋଦି ସରକାର ଏତେବଡ଼ ନିଷ୍ପତ୍ତି ଗ୍ରହଣ କରିବା ଉଚିତ ହୋଇନାହିଁ । କାଶ୍ମୀରୀଙ୍କର ଆଉ କୌଣସି ଆଶା ନାହିଁ ବୋଲି ଭାରତ ସରକାର ନିଜର ଏହି ନିଷ୍ପତ୍ତି ଦ୍ୱାରା କହିବାକୁ ଚାହୁଁଛନ୍ତି ।
ସେ ଯାହା ବି ହେଉ ପୂର୍ବ ଭଳି ଏବେ ବି କାଶ୍ମୀର ଲୋକଙ୍କୁ ପାକିସ୍ତାନ ଦୃଢ଼ ସମର୍ଥନ ଯୋଗାଇ ଦେବ । ଇତିହାସ ପ୍ରମାଣ କରିବ ଯେ ଭାରତ ଯେଉଁ ନିଷ୍ପତ୍ତି ନେଇଛି ତାହା ଭୁଲ । ଉଲ୍ଲେଖଯୋଗ୍ୟ, ଭାରତ ସରକାରଙ୍କ ସମ୍ଭାବ୍ୟ ପଦକ୍ଷେପ ପୂର୍ବରୁ ରବିବାର ପାକିସ୍ତାନ ଚେତାବନୀ ଦେଇଥିଲା । ଭାରତ ଯାହା ବି ପଦକ୍ଷେପ ନେବ, ପାକିସ୍ତାନ ତାହାର ଜବାବ ଦେବ ବୋଲି କହିଥିଲା । ଏମିତି କି ଜମ୍ମୁ-କାଶ୍ମୀରରେ ମୋଦି ସରକାର ଅତିରିକ୍ତ ସେନା ମୁତୟନ କରିବାକୁ ନେଇ ପାକ୍ ଖପ୍ପା ହେବା ସହ ଯେ କୌଣସି ପ୍ରତିକୂଳ କାର୍ଯ୍ୟାନୁଷ୍ଠାନର ଏହା ଜବାବ ଦେବ ବୋଲି ସତର୍କ କରାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons