ଜମ୍ମୁ: ଜମ୍ମୁ-କାଶ୍ମୀରର ରାମବନ ଜିଲାରେ ସିଆରପିଏଫର ଏକ ପ୍ରଶିକ୍ଷିତ କୁକୁର ଯୋଗୁ ଜଣେ ବ୍ୟକ୍ତିଙ୍କ ଜୀବନ ରକ୍ଷା କରାଯାଇପାରିଛି ଏବଂ ତାଙ୍କୁ ମାଟି ଓ ପଥର ଗଦା ତଳୁ ଉଦ୍ଧାର କରାଯାଇଛି ।
ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ପ୍ରଦୀପ କୁମାର ନାମକ ଜଣେ ବ୍ୟକ୍ତି ଜମ୍ମୁ-ଶ୍ରୀନଗର ରାଜପଥର ମେହାଦ ଅଞ୍ଚଳ ଦେଇ ଯାଉଥିଲାବେଳେ ସେଠାରେ ପ୍ରବଳ ବର୍ଷା ଯୋଗୁ ହଠାତ୍ ଭୂସ୍ଖଳନ ହୋଇଥିଲା । କୁମାର ସେଇ ଭୂସ୍ଖଳନ ଯୋଗୁ ସୃଷ୍ଟ ଧ୍ୱଂସାବଶେଷ ତଳେ ଚାପି ହୋଇଯାଇଥିଲେ । ଏହି ଘଟଣାଟି ଅତ୍ୟନ୍ତ ଶୂନଶାନ ଜାଗାରେ ଘଟିଥିବାରୁ ବୁଧବାର ସକାଳ ଯାଏଁ ଏ ବିଷୟରେ କେହି ଜାଣିପାରିନଥିଲେ । ବୁଧବାର ସକାଳେ ସିଆରପିଏଫର ୭୨ ବାଟାଲିୟନର ଯବାନମାନେ ସେଇ ଅଞ୍ଚଳରେ ଜାତୀୟ ରାଜପଥର ଯାଞ୍ଚ କରୁଥିଲାବେଳେ ସେମାନଙ୍କ ସାଙ୍ଗରେ ଥିବା ଏକ ପ୍ରଶିକ୍ଷିତ କୁକୁର ‘ଆଜାକ୍ସି’ସେମାନଙ୍କୁ କିଛି ଇଙ୍ଗିତ ଦେଇଥିଲା ଏବଂ ଏକ ନିର୍ଦ୍ଦିଷ୍ଟ ସ୍ଥାନ ଆଡକୁ ଯିବାକୁ ଇସାରା ଦେଇଥିଲା । ଯବାନମାନେ ସେଠାରେ ଖୋଳିବାରୁ ସେହି ସ୍ଥାନରେ ପ୍ରଦୀପ କୁମାର ପୋତି ହୋଇପଡିଥିବାର ଦେଖିଥିଲେ । ସେମାନେ ତୁରନ୍ତ ସେଠାକୁ ସେନା ଯବାନମାନଙ୍କୁ ବି ଡକାଇଥିଲେ । ଉଭୟ ସେନା ଓ ସିଆରପିଏଫର ଯବାନମାନେ ମିଶି ଅତି ସତର୍କତାର ସହ ପ୍ରଦୀପଙ୍କୁ ସେଇ ଧ୍ୱଂସାବଶେଷ ଭିତରୁ ଉଦ୍ଧାର କରିଥିଲେ । ସେ ଜୀବିତ ଥିଲେ ମଧ୍ୟ ଏହି ଘଟଣା ଯୋଗୁ ସମ୍ପୂର୍ଣ୍ଣ ସ୍ତବ୍ଧ ହୋଇଯାଇଛନ୍ତି ଏବଂ କଥା କହିପାରୁନାହାନ୍ତି । ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିନ୍ତୁ ତାଙ୍କ ଜୀବନ ବଞ୍ଚାଇଥିବା କୁକୁରଟିର ଏବେ ଚାରିଆଡେ ପ୍ରଶଂସା କରାଯାଉଛି । ପ୍ରଦୀପ କୁମାରଙ୍କୁ ଉଦ୍ଧାର କରାଯିବାର ଭିଡ଼ିଓ ବି ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।
Comments are closed, but trackbacks and pingbacks are open.