ଜମ୍ମୁ-କାଶ୍ମୀର ପ୍ରସଙ୍ଗ:ସରକାରଙ୍କ ସାଥିରେ ସୁପ୍ରିମକୋର୍ଟ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟାଯିବା ପରେ ଲଗାଯାଇଥିବା ବିଭିନ୍ନ ପ୍ରକାର କଟକଣାକୁ ବିରୋଧ କରି ଦାୟର କରାଯାଇଥିବା ଏକ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଥିଲା । କଂଗ୍ରେସ ନେତା ତେହସିନ ପୁନ୍ନାୱାଲାଙ୍କ ଦ୍ୱାରା ଦାୟର ଏହି ମାମଲା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଯେଉଁ ମନ୍ତବ୍ୟ ସବୁ ଦେଇଛନ୍ତି, ତାହାଯୋଗୁ କେନ୍ଦ୍ର ସରକାର ଆଶ୍ୱସ୍ତ ହୋଇଛନ୍ତି । ବିଚାରପତି ଅରୁଣ ମିଶ୍ରାଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ତିନି ଜଣିଆ ଖଣ୍ଡପୀଠ କହିଛନ୍ତି ଯେ ଜମ୍ମୁ-କାଶ୍ମୀରର ପରିସ୍ଥିତି ଅତି ସମ୍ବେଦନଶୀଳ । ସେଠାରେ ରାତାରାତି କିଛି ବଦଳା ଯାଇପାରିବନି । ସରକାରଙ୍କୁ ସେଠାରେ ପରିସ୍ଥିତି ସ୍ୱାଭାବିକ କରିବା ପାଇଁ କିଛି ସମୟ ଦିଆଯିବା ଦରକାର ।
ଆବେଦନକାରୀଙ୍କ ଓକିଲ ମେନକା ଗୁରୁସ୍ୱାମୀ ଅଭିଯୋଗ କରିଥିଲେ କି ଫୋନ, ଇଣ୍ଟରନେଟ ଆଦି ଉପରେ କଟକଣା ଯୋଗୁ ସାଧାରଣ ଲୋକଙ୍କ ସହ ଯବାନମାନେ ବି ନିଜ ପରିବାର ଲୋକଙ୍କ ସହିତ କଥା ହୋଇପାରୁନାହାନ୍ତି । ଏହାକୁ ନେଇ ଖଣ୍ଡପୀଠ ବିରକ୍ତି ପ୍ରକାଶ କରିଥିଲେ । ଅଦାଲତ କହିଥିଲେ କି ଯବାନମାନଙ୍କ ପକ୍ଷରୁ ଅଭିଯୋଗ କରିବାକୁ ଆପଣ କିଏ? ତା’ଛଡା ଯବାନମାନେ ବେଶ୍ ଶୃଙ୍ଖଳିତ । ଯଦି ଯବାନମାନେ ପ୍ରଭାବିତ ହେଉଛନ୍ତି, ତେବେ ସେମାନଙ୍କୁ ଅଦାଲତରେ ଅଭିଯୋଗ କରିବା ପାଇଁ ଦିଆଯାଉ । ସେହିପରି ଗୁରୁସ୍ୱାମୀ ଶୁଣାଣି ସମୟରେ ଧାରା ୩୭୦ କଥା ଉଠାଇବାରୁ ଅଦାଲତ ତାଙ୍କୁ ଚେତାବନୀ ଦେଇଥିଲେ ଏବଂ ଭୁଲରେ ବି ଏହି ପ୍ରସଙ୍ଗ ଉପରେ ଏଠାରେ କୌଣସି ମନ୍ତବ୍ୟ ନଦେବାକୁ କହିଥିଲେ ।
ବ୍ୟକ୍ତିଗତ ସ୍ୱାଧୀନତା କଥା ଗୁରୁସ୍ୱାମୀ ଉଲ୍ଲେଖ କରିବାରୁ ଖଣ୍ଡପୀଠ କହିଥିଲେ କି ଅଦାଲତ ଏହି ଭାବନାକୁ ସମର୍ଥନ କରନ୍ତି । କିନ୍ତୁ ସେଠାରେ ତତ୍କ୍ଷଣାତ କିଛି କରାଯାଇପାରିବ ନାହିଁ । ସରକାରଙ୍କୁ ବି କିଛି ସମୟ ଦିଆଯିବା ଉଚିତ୍ । ଯଦି କଟକଣା ହଟାଇବାକୁ ନିର୍ଦ୍ଦେଶ ଜାରି କରାଯିବ ଏବଂ ତା’ ପରେ ସେଠାରେ ହିଂସା ହେବ, ତାହାହେଲେ ସେଥିପାଇଁ କିଏ ଦାୟୀ ହେବ? ନିଶ୍ଚିତ ଭାବେ କେନ୍ଦ୍ର ସରକାର । ତେଣୁ ସରକାରଙ୍କୁ ପରିସ୍ଥିତି ସ୍ୱାଭାବିକ କରିବାକୁ ଅଧିକ ସମୟ ଦିଆଯିବା ଆବଶ୍ୟକ । ସୁପ୍ରିମକୋର୍ଟ ସେପର୍ଯ୍ୟନ୍ତ ଅପେକ୍ଷା କରିବେ । ଏଣୁ ଅଦାଲତ କଟକଣା ହଟାଯିବା ନେଇ ଏବେ କିଛି ନିର୍ଦ୍ଦେଶ ଜାରି କରିବେ ନାହିଁ । ଅଦାଲତ ଏହାପରେ ମାମଲାର ଶୁଣାଣିକୁ ଦୁଇ ସପ୍ତାହ ପାଇଁ ଘୁଞ୍ଚାଇ ଦେଇଥିଲେ ।
ଏହା ପୂର୍ବରୁ ସରକାରଙ୍କ ପକ୍ଷରୁ ଯୁକ୍ତି ବାଢ଼ି ଆଟର୍ଣ୍ଣି ଜେନେରାଲ କେ କେ ବେଣୁଗୋପାଲ କହିଥିଲେ କି ରାଜ୍ୟରେ ଆତଙ୍କବାଦ ଯୋଗୁ ୪୦,୦୦୦ ଲୋକ ପ୍ରାଣ ହରାଇଛନ୍ତି । ୨୦୧୬ରେ ଯେଉଁ ଅଶାନ୍ତି ଦେଖାଦେଇଥିଲା ତାହାକୁ ନିୟନ୍ତ୍ରଣ କରିବା ପାଇଁ ତିନି ମାସ ସମୟ ଲାଗିଥିଲା । ଏବେ ମାତ୍ର କେଇ ଦିନ ଲାଗିବ । ତା’ଛଡା ପ୍ରଶାସନ ପ୍ରତିଦିନ ପରିସ୍ଥିତିର ସମୀକ୍ଷା କରୁଛି ଏବଂ ତଦନୁଯାୟୀ ବିଭିନ୍ନ ସ୍ଥାନରେ କଟକଣା ହଟାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons