ଜମ୍ମୁ-କାଶ୍ମୀର ବ୍ୟାଙ୍କରେ ଦୁର୍ନୀତି:ମେହବୁବାଙ୍କୁ ଦୁର୍ନୀତି ନିବାରଣ ବିଭାଗର ନୋଟିସ

Get real time updates directly on you device, subscribe now.

ଶ୍ରୀନଗର: ଜମ୍ମୁ-କାଶ୍ମୀର ବ୍ୟାଙ୍କରେ ହୋଇଥିବା ବ୍ୟାପକ ଦୁର୍ନୀତି ମାମଲାରେ ଏବେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ ମେହବୁବା ମୁଫତି ଛନ୍ଦି ହୋଇପଡିଛନ୍ତି । ତାଙ୍କୁ ଏନେଇ ରାଜ୍ୟର ଦୁର୍ନୀତି ନିବାରଣ ବିଭାଗ ନୋଟିସ ଜାରି କରିଛି ।
ବିଭାଗ ଉକ୍ତ ନୋଟିସରେ ଦର୍ଶାଇଛି କି ଉକ୍ତ ବ୍ୟାଙ୍କରେ ମେହବୁବାଙ୍କ ମନ୍ତ୍ରିମଣ୍ଡଳର କିଛି ସଦସ୍ୟଙ୍କ ସୁପାରିଶ କ୍ରମେ ଅନେକ ବେଆଇନ ନିଯୁକ୍ତି କରାଯାଇଥିଲା । ଏଭଳି ନିଯୁକ୍ତିକୁ ମେହବୁବା ମୌଖିକ କିମ୍ବା ଲିଖିତ କିମ୍ବା ଅନ୍ୟ କୌଣସି ଭାବେ ସମର୍ଥନ କରିଥିଲେ କି ନାହିଁ, ତାହା ସେ ପ୍ରକାଶ କରନ୍ତୁ ।
ମେହବୁବା କିନ୍ତୁ ଆଜି ନିଜେ ଏହି ନୋଟିସକୁ ଟ୍ୱିଟରରେ ଅପଲୋଡ୍ କରିବା ସହିତ ତାଙ୍କ ବିରୋଧରେ ଉଦ୍ଦେଶ୍ୟମୂଳକ ଭାବେ ଏଭଳି ପଦକ୍ଷେପ ନିଆଯାଉଛି ବୋଲି ଅଭିଯୋଗ କରିଛନ୍ତି । ସେ କହିଛନ୍ତି କି ଏବେ ସମସ୍ତ କାଶ୍ମୀରବାସୀଙ୍କୁ ସେ ଏକଜୁଟ୍ କରିବାକୁ ଉଦ୍ୟମ କରୁଥିଲାବେଳେ ସରକାରଙ୍କ ତରଫରୁ ତାଙ୍କ ମୁହଁ ବନ୍ଦ କରିବାକୁ ଏଭଳି ପଦକ୍ଷେପ ନିଆଯାଇପାରେ ବୋଲି ସେ ଆଶଙ୍କା କରୁଥିଲେ । ହେଲେ ସରକାର ନିଜ ଉଦ୍ୟମରେ ସଫଳ ହେବେ ନାହିଁ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଜମ୍ମୁ-କାଶ୍ମୀର ସରକାର ଗତ ଜୁନ୍ରେ ଉକ୍ତ ବ୍ୟାଙ୍କର ସିଇଓ ପରଭେଜ ଅହମ୍ମଦ ନେଗରୁଙ୍କୁ ବ୍ୟାପକ ଅନିୟମିତତା ଅଭିଯୋଗରେ ବରଖାସ୍ତ କରିଥିଲେ । ସେ ନିଜ ପଦବିର ଦୁରୂପଯୋଗ କରି ନିଜର ଅନେକ ସମ୍ପର୍କୀୟ ଏବଂ କିଛି ଅଯୋଗ୍ୟ ବ୍ୟକ୍ତିଙ୍କୁ ବ୍ୟାଙ୍କର ବଡ଼ ବଡ଼ ପଦବିରେ ନିଯୁକ୍ତି ଦେଇଥିଲେ । ସେହିପରି ସେ ଲାଞ୍ଚ ନେଇ ଅନେକ ବ୍ୟକ୍ତି ଓ ସଂସ୍ଥାଙ୍କୁ କୋଟି କୋଟି ଟଙ୍କାର ଋଣ ପ୍ରଦାନ କରିଥିଲେ ବୋଲି ତଦନ୍ତରୁ ଜଣାପଡିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons