ନୂଆଦିଲ୍ଲୀ: ସମୁଦ୍ରପଥ ଦେଇ ଭାରତରେ ପ୍ରବେଶ କରି ବଡଧରଣ ଆକ୍ରମଣ ଘଟାଇବାକୁ ପାକିସ୍ତାନର ଆତଙ୍କୀ ସଙ୍ଗଠନ ଜୈସ୍-ଇ-ମହମ୍ମଦ ଓ ଲସ୍କର-ଇ-ତୋଇବା ଯୋଜନା କରୁଛନ୍ତି । ଏଥିପାଇଁ ସେମାନେ ପରସ୍ପର ସହ ହାତ ମିଳାଇଛନ୍ତି । ଗୁଇନ୍ଦା ବିଭାଗ ଏହି ସୂଚନା ଦେବା ପରେ ଉପକୂଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆତଙ୍କୀଙ୍କ ଆକ୍ରମଣର ମୁକାବିଲା ପାଇଁ ନୌସେନା ପ୍ରସ୍ତୁତ ଅଛି ।
ଗୁଇନ୍ଦା ସୂଚନା ଅନୁସାରେ ସମୁଦ୍ର ପଥରେ ଆକ୍ରମଣ କରିବାକୁ ଜୈସ୍ ଓ ଲସ୍କରର ପ୍ରାୟ ୬୦୦ ଆତଙ୍କୀ କମାଣ୍ଡୋଙ୍କୁ ନେଇ ସ୍ୱତନ୍ତ୍ର ୟୁନିଟ ଗଠନ କରଯାଇଛି । ସେମାନଙ୍କୁ ତାଲିମ୍ ଦିଆଯାଉଛି । ଏହି କମାଣ୍ଡୋଙ୍କ ମଧ୍ୟରୁ ଅଧିକାଂଶ ଲସ୍କର ସଙ୍ଗଠନରୁ ଆସିଛନ୍ତି । କାରଣ ସମୁଦ୍ର ପଥରେ ଅନୁପ୍ରବେଶ କରିବାରେ ଅନ୍ୟ ଆତଙ୍କୀ ସଙ୍ଗଠନ ଅପେକ୍ଷା ଲସ୍କର ଅଧିକ ମାହିର । ଲସ୍କର ଆତଙ୍କୀମାନେ ହିଁ ମୁମ୍ବାଇ ଆକ୍ରମଣ (୨୬/୧୧) ରଚିଥିଲେ । ସେହିଭଳି ସାମୁଦ୍ରିକ ଶକ୍ତିକୁ ଆହୁରି ବ୍ୟାପକ କରିବା ଲାଗି ୨୦୧୧ରେ ଲସ୍କର ସହିତ ଅଲ୍-ସବାବ ଆତଙ୍କୀ ସଙ୍ଗଠନ ମଧ୍ୟ ସାମିଲ ହୋଇଥିଲା । ଲସ୍କର ପାଖରେ ଏବେ ହାଇସ୍ପିଡ୍ ବୋଟ, ସ୍କୁବା ଡାଇଭିଂ ଉପକରଣ ଓ ୱାଟର ସ୍କୁଟର ରହିଥିବା ବେଳେ ଜୈସ୍ ପାଖରେ ଦୁର୍ଦ୍ଧର୍ଶ କମାଣ୍ଡୋ ରହିଛନ୍ତି । ଏହି କମାଣ୍ଡୋମାନେ ଲସ୍କରର ସ୍ପିଟ୍ବୋଟ ଓ ଅନ୍ୟାନ୍ୟ ଉପକରଣ ବ୍ୟବହାର କରୁଛନ୍ତି । କୁଖ୍ୟାତ ଅତଙ୍କୀ ସଙ୍ଗଠନ ଅଲ୍କାଏଦା ପାଣି ଭିତରେ ଆତ୍ମଘାତୀ ଆକ୍ରମଣ ଘଟାଇବାକୁ ସୁଯୋଗ ଅପେକ୍ଷାରେ ରହିଛି । ଅନ୍ୟ ଆତଙ୍କୀ ସଙ୍ଗଠନ ଜେମା ଇସ୍ଲାମିୟା ସ୍ପିଟ୍ବୋଟ ବିଶେଷକରି ଆତ୍ମଘାତୀ ବୋଟର ଅଧିକାରୀ । ବୋଟ୍ ସହାୟତାରେ ସିଙ୍ଗାପୁରରେ ଆମେରିକାର ଜାହାଜ ଉପରେ ଆକ୍ରମଣ ଉଦ୍ୟମ କରିଥିଲା । ସେହିଭଳି ଅବୁ ସୟାଫ ଆତଙ୍କୀ ସଙ୍ଗଠନ ମଧ୍ୟ ସମୁଦ୍ରରେ ଜାହାଜ ଉପରେ ଆକ୍ରମଣ କରିବାର କ୍ଷମତା ରଖିଛି । ୨୦୦୪ରେ ଏହି ସଙ୍ଗଠନ ସୁପର ଫେରି ଉପରେ ଆକ୍ରମଣ କରିବାରୁ ୧୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା । ସମୁଦ୍ର ପଥରେ ଯାତାୟତ କ୍ଷେତ୍ରରେ ଏହା ମାହିର । କିନ୍ତୁ କାଠ ବୋଟରେ ଏହି ସଙ୍ଗଠନ ମେସିନ ଗନ ବ୍ୟବହାର କରୁଛି ।
ଭାରତ ଉପରେ ଆକ୍ରମଣ କରିବା ଲାଗି ଏବେ ଲସ୍କର ଓ ଜୈସ୍ ଲଗାତାର ଭାବେ ଉଦ୍ୟମ କରି ଆସିଛନ୍ତି । ସେମାନଙ୍କ ସହିତ ସୋମାଲିଆର କିଛି ଜଳଦସୁ୍ୟଙ୍କୁ ମଧ୍ୟ ସାମିଲ ହୋଇଛନ୍ତି । ଭାରତୀୟ ଜଳରାଶିରେ ଏହି ଜଳଦସୁ୍ୟଙ୍କ ପ୍ରଭାବ ରହିଛି । ମହାରାଷ୍ଟ୍ର ଓ ଗୁଜରାଟ ଉପକୂଳ ଅଞ୍ଚଳ ଦେଇ ଏହି ଆତଙ୍କୀମାନେ ଭାରତରେ ଅନୁପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ଅଛି । ପାକିସ୍ତାନୀ ସେନା ସହିତ ଜଡିତ ସ୍ୱତନ୍ତ୍ର ଗୋÂୀ ମୁସା କମ୍ପାନି ଏହି କମାଣ୍ଡୋମାନଙ୍କୁ ନିୟନ୍ତ୍ରଣ କରୁଛି । ୨୦୦୪ରୁ ଲସ୍କରରେ ସାମିଲ ହେଉଥିବା ନୂଆ ଆତଙ୍କୀମାନଙ୍କୁ ସାମୁଦ୍ରିକ ତାଲିମ ନେବା ବାଧ୍ୟତାମୂଳକ କରାଯାଇଛି । ତେଣୁ ଆଗାମୀ ଦିନରେ ଆତଙ୍କୀମାନେ ଜଳପଥକୁ ମୁଖ୍ୟ ମାଧ୍ୟମ କରି ଭାରତକୁ ଟାର୍ଗେଟ କରିବା ଯୋଜନାରେ ଅଛନ୍ତି । ଆତଙ୍କବାଦୀମାନେ ଛୋଟ ଛୋଟ ବୋଟ୍ରେ ସମୁଦ୍ର ପଥରେ ଆସି ସେମାନଙ୍କର ମୁକାବିଲା କରିବା ଲାଗି ଭାରତୀୟ ନୌସେନାକୁ ବାଧ୍ୟ କରିବେ । ଆଉ ଠିକ ଏହି ସୁଯୋଗରେ ଅନ୍ୟ ରୁଟ୍ରେ ଆତଙ୍କୀମାନେ ଆସି ଭାରତରେ ଆକ୍ରମଣ ଘଟାଇବାକୁ ବହୁଦିନରୁ ଯୋଜନା କରିଛନ୍ତି । ଭାରତର ବିଶାଳ ଉପକୂଳ ଥିବା ବେଳେ ଅଧିକାଂଶ ବାଣିଜ୍ୟ କାରବାର ସମୁଦ୍ର ପଥରେ ହେଉଛି । ତେରୁ ପୁରା ଉପକୂଳକୁ ସୁରକ୍ଷା ଦେବା ଓ ସମୁଦ୍ରରେ ଆସୁଥିବା ସବୁ ଜାହାଜକୁ ଯାଞ୍ଚ କରିବା ସମ୍ଭବ ନୁହେଁ । ସେଥିପାଇଁ ଗୁଇନ୍ଦା ସୂଚନା ବିନିମୟ ଓ ସୁରକ୍ଷା ଏଜେନ୍ସି ମଧ୍ୟରେ ଉପଯୁକ୍ତ ସମନ୍ୱୟକୁ ଅଗ୍ରାଧିକାର ଦିଆଯାଉଛି । ଗୁଇନ୍ଦା ବିଭାଗକୁ ସହାୟତା କରିବା ଲାଗି ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାର ଆବଶ୍ୟକତା ମଧ୍ୟ ଅଛି ।
Comments are closed, but trackbacks and pingbacks are open.