
ମାଲକାନଗିରି, (ବି.ବି.ନୁ୍ୟଜ): ଦୀର୍ଘ ୯ ମାସ ହେଲା ସୋଲାର ପ୍ରକଳ୍ପ ଅଚଳ ହୋଇପଡିଛି । ବିଶୁଦ୍ଧ ପାଣି ମୁନ୍ଦିଏ ପାଇଁ ଗ୍ରାମବାସୀ ଡହଳବିକଳ ହେଉଛନ୍ତି । ଗାଁରେ ଥିବା ଏକମାତ୍ର ନଳକୂଅ ଉପରେ ହଜାରେରୁ ଅଧିକ ଲୋକ ନିର୍ଭର କରୁଛନ୍ତି । ଆବଶ୍ୟକ ପାଣି ମିଳୁନଥିବାରୁ ବାଧ୍ୟ ହୋଇ ଚୁଆ ଓ ନାଳର ଦୂଷିତ ପାଣିରେ ଶୋଷ ମେଣ୍ଟାଉଛନ୍ତି । ନିକଟରେ ସତୀଗୁଡା ଜଳଭଣ୍ଡାର ଥାଇ ମଧ୍ୟ ଗାଁ ଲୋକେ ଭୋଗୁଛନ୍ତି ଜଳକଷ୍ଟ । ଏ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସିନ୍ଧି୍ରମାଳ ପଞ୍ଚାୟତ ବରକୋଳିଗୁଡା ଗାଁରେ ।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ବରକୋଳିଗୁଡା ଗାଁର ଲୋକସଂଖ୍ୟା ହଜାରେ । ଏମାନଙ୍କ ପାଇଁ ଗାଁରେ ରହିଛି ଏକମାତ୍ର ନଳକୂଅ । ପ୍ରତିବର୍ଷ ପାଣି ସମସ୍ୟାରେ ଗ୍ରାମବାସୀ ହନ୍ତସନ୍ତ ହେଉଥିବାରୁ ୨୦୧୬ ମସିହାରେ ପ୍ରଶାସନ ପକ୍ଷରୁ ଷ୍ଟୁଡିଓ ଇଣ୍ଟରନ୍ୟାସ୍ନାଲ୍ ସଂସ୍ଥା ଦ୍ୱାରା ଏକ ସୋଲାର ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଥିଲା । କିନ୍ତୁ ଏହି ପ୍ରକଳ୍ପ ଦୀର୍ଘ ୯ ମାସ ହେଲା ଅଚଳ ହୋଇପଡିଛି । ଫଳେରେ ଗାଁରେ ପାଣି ସମସ୍ୟା ଉକ୍ରଟ ରୂପ ଧାରଣ କରିଛି ।
ରାତି ପାହିଲେ ନଳକୂଅ ନିକଟରେ ମହିଳାଙ୍କ ଭିଡ଼ ଜମୁଛି । ବିଭିନ୍ନ ସମୟରେ ପାଣି ପାଇଁ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହେଉଛି । ଏଥିଯୋଗୁ ଗାଁର ଶାନ୍ତ ପରିବେଶ ଅଶାନ୍ତ ହେବାରେ ଲାଗିଛି । ପ୍ରକଳ୍ପ ମରାମତି କରିବା ଲାଗି ଗ୍ରାମବାସୀ ବହୁବାର ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ୍ ପ୍ରଶାସନ ପାଖରେ ଅଭିଯୋଗ କରିଛନ୍ତି । କିନ୍ତୁ କୌଣସି ସୁଫଳ ମିଳୁନି । ବିକଳ୍ପ ନଥିବାରୁ ଗ୍ରାମବାସୀ ବାଧ୍ୟ ହୋଇ ନାଳ ଓ ଚୁଆର ଦୂଷିତ ପାଣିରେ ବ୍ୟବହାର କରୁଛନ୍ତି । ଦୂଷିତ ପାଣି ବ୍ୟବହାର କରି ଲୋକେ ଚର୍ମରୋଗ ଓ କିଡନୀ ରୋଗରେ ଆକ୍ରାନ୍ତ ହୋଇ ନାହିଁ ନଥିବା ଅସୁବିଧା ଭୋଗୁଥିବା ଗାଁର ଗଙ୍ଗା ପଡ଼ିଆମୀ, ଭାଗିରଥୀ ଖୁରାମୀ ପ୍ରମୁଖଙ୍କ ସମେତ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି ।
କେବଳ ବରକୋଳିଗୁଡା ଗାଁରେ ପାଣି ସମସ୍ୟା ନୁହେଁ, ଜିଲ୍ଲାର ବହୁ ଗାଁରେ ସୋଲାର ଜଳ ଯୋଗାଣ ପ୍ରକଳ୍ପ ଅଚଳ ହୋଇପଡିଛି । ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ, ଡିଆରଡିଏ ଓ ବ୍ଲକ୍ ପ୍ରଶାସନ ପକ୍ଷରୁ ବିଭିନ୍ନ ଗ୍ରାମରେ ନିର୍ମାଣ କରାଯାଇଥିବା ଅଧିକାଂଶ ସୋଲାର ପ୍ରକଳ୍ପ ଅଚଳ ହୋଇପଡିଛି । ପ୍ରକଳ୍ପ ଗୁଡିକରେ ନିମ୍ମମାନର ଯନ୍ତ୍ରାଂଶ ବ୍ୟବହାର କରାଯାଇଥିବାରୁ କେଉଁଠି ବ୍ୟାଟେରୀ ଖରାପ ହୋଇଛି ତ ଆଉ କେଉଁଠି ସୋଲାର ପ୍ଲେଟ ଏବଂ ମୋଟର ଖରାପ ହୋଇଯାଇଛି । ପାଣି ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହେଉଥିଲେ ମଧ୍ୟ ବିଡମ୍ବନାର ବିଷୟ, ଅଚଳ ପ୍ରକଳ୍ପ ଏବଂ ନଳକୂଅ ମରାମତି ଦିଗରେ କୌଣସି ପଦକ୍ଷେପ ନିଆଯାଉନି । ଯାହା ଫଳରେ ଜିଲ୍ଲାବାସୀ ଉକ୍ରଟ ପାଣି ସମସ୍ୟା ଭୋଗୁଛନ୍ତି ।
ଅନ୍ୟପକ୍ଷରେ ନଳକୂଅ ଓ ସୋଲାର ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇ ଜିଲ୍ଲାବାସୀଙ୍କୁ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିବା ସରକାରୀ ରେକର୍ଡରେ ଦର୍ଶାଯାଇଛି । କିନ୍ତୁ ବାସ୍ତବ ଚିତ୍ର ଠିକ୍ ଓଲଟା ଦେଖିବାକୁ ମିଳିଛି । ଜିଲ୍ଲା ପ୍ରଶାସନ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଅଚଳ ପ୍ରକଳ୍ପ ଓ ନଳକୂଅଗୁଡିକ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବା ସହ ଗ୍ରାମାଞ୍ଚଳର ଲୋକଙ୍କୁ ବିଶୁଦ୍ଧ ପାଣି ଯୋଗାଇ ଦେବାକୁ ଦାବି ହୋଇଛି ।


Comments are closed, but trackbacks and pingbacks are open.