ଭୁବନେଶ୍ୱର,(ବି.ବି.ବ୍ୟୁରୋ):୨୦୨୪ ସୁଦ୍ଧା ଦେଶର ସବୁ ଘରକୁ ଜଳ ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଛି । କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ଏବଂ ଇସ୍ପାତ ମନ୍ତ୍ରାଳୟ ଏକତ୍ର ହୋଇ ମିଶନ ମୋଡରେ କାମ କଲେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାବତଙ୍କୁ ପତ୍ର ଲେଖି କହିଛନ୍ତି । ଉଭୟ ମନ୍ତ୍ରାଳୟ ମଧ୍ୟରେ ଉତ୍ତମ ସହଯୋଗ ପାଇଁ ସେ ତାଙ୍କ ମନ୍ତ୍ରାଳୟର ଅଧିକାରୀମାନଙ୍କୁ ଜଳ ଶକ୍ତି ମନ୍ତ୍ରାଳୟର ଅଧିକାରୀମାନଙ୍କ ସହ ସମ୍ପର୍କରେ ରହି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ।
ଶ୍ରୀ ପ୍ରଧାନ ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଜଳ ଜୀବନ ମିଶନରେ ଇସ୍ପାତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କାରଣ, ସବୁ ସ୍ତରରେ ଜଳକୁ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ନେବାକୁ ହେଲେ ଇସ୍ପାତ ଭଳି ପଦାର୍ଥର ଆବଶ୍ୟକ ରହିଥାଏ । ଫଳରେ ଜଳର ଲିକେଜ୍ କମ୍ ହେବା ସହ ରକ୍ଷଣାବେକ୍ଷଣ ଖର୍ଚ୍ଚକୁ ମଧ୍ୟ କମ୍ କରାଯାଇପାରିବ । ଷ୍ଟିଲ ପାଇପ୍ର ବ୍ୟବହାର ସୁବିଧାଦାୟକ ତଥା ଷ୍ଟିଲରେ ପ୍ରତିରୋଧକ କ୍ଷମତା ଅଧିକ ରହିଥାଏ ବୋଲି ସେ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ ଇସ୍ପାତର ବ୍ୟବହାର ଜଳସେଚନ ଉଦ୍ଦେଶ୍ୟରେ ମଧ୍ୟ କରାଯାଇପାରେ । ପାଣି ଟାଙ୍କି ଓ ଜଳ ଭଣ୍ଡାର ପ୍ରଭୁତି କ୍ଷେତ୍ରରେ ଷ୍ଟିଲ ଉପକରଣ ଭାବେ ସହାୟକ ହୋଇଥାଏ । ସେହିପରି ଜଳ କ୍ଷେତ୍ରରେ ଇସ୍ପାତର ବ୍ୟବହାର ଦ୍ୱାରା ସ୍ୱାସ୍ଥ୍ୟସେବାକୁ ମଧ୍ୟ ଲାଭ ହେବ । ଇସ୍ପାତ ମାଧ୍ୟମରେ କମ୍ ଲିକେଜ୍ ହେବା କାରଣରୁ ଜଳବାହିତ ରୋଗ କମିବ ବୋଲି ସେ କହିଛନ୍ତି ।
ଇସ୍ପାତ ମନ୍ତ୍ରାଳୟ “ହର୍ ଘର ଜଲ୍’ ଅଥବା ସବୁ ଘରକୁ ପାଣି ମିଶନରେ ସମସ୍ତ ପ୍ରକାର ସହଯୋଗ ଓ ସମର୍ଥନ ଦେବ ବୋଲି ପ୍ରଧାନ କହିଛନ୍ତି ।
Comments are closed, but trackbacks and pingbacks are open.