ରାଜନଗର,(ବି.ବି.ନ୍ୟୁଜ୍): ସମୁଦ୍ର ଢ଼େଉରୁ ପେଣ୍ଠ ସମେତ ସମୁଦ୍ରକୂଳିଆ ଅଞ୍ଚଳବାସୀଙ୍କୁ ସୁରକ୍ଷା ଦେବା ପାଇଁ ପେଣ୍ଠଠାରେ ନିର୍ମାଣ କରାଯାଇଥିବା ବ୍ୟୟବହୁଳ ଜିଓ ସିନ୍ଥେଟିକ୍ ସାମୁଦ୍ରିକ ପ୍ରାଚୀର ରବିବାର ଭୋର ସମୟରେ ଜଳିଯାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡି ନଥିଲେ ବି ଅଗ୍ନିକାଣ୍ଡରେ ପ୍ରାଚୀରର ପ୍ରାୟ ୨୦ ମିଟର ଓସାର ମଧ୍ୟରେ ଥିବା ପ୍ରାୟ ୧୦୦ଟି ଗ୍ୟାବିନ ବକ୍ସର ଜାଲି ପୋଡି ପାଉଁଶ ହୋଇଯାଇଛି । ଫଳରେ ଏହି ଗ୍ୟାବିନ ବକ୍ସ ମଧ୍ୟରେ ଥିବା ପଥର ଖଣ୍ଡ ଭୁଶୁଡି ପଡିବା ଆଶଙ୍କା ସୃଷ୍ଟି ହୋଇଛି । ପ୍ରାଚୀରରେ ନିଆଁ ଲାଗିବା ଦ୍ୱାରା ସମୁଦ୍ର ତଟବର୍ତ୍ତୀ ଅଞ୍ଚଳର ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ରବିବାର ଭୋର୍ ପ୍ରାୟ ୫ଟା ସମୟରେ ରାଜନଗର-ଗୋପାଳପୁର ଲୁଣା ଘେରିବନ୍ଧର ପେଣ୍ଠ ନିକଟରେ ଚିଙ୍ଗୁଡି ଘେରି ଦାୟିତ୍ୱରେ ଥିବା କେତେଜଣ ଲୋକ ପ୍ରଥମେ ଜିଓ ସିନ୍ଥେଟିକ ପ୍ରାଚୀରରେ ନିଆଁ ଲାଗିଥିବା ଦେଖିଥିଲେ । ଖବର ପାଇ ପେଣ୍ଠ ଗ୍ରାମବାସୀ ବାଲଟି, ଗରା, ମାଠିଆ ଆଦି ଧରି ସେଠାରେ ପହଞ୍ôଚ ନିଆଁ ଲିଭାଇବାକୁ ଉଦ୍ୟମ କରିବା ସହିତ ସ୍ଥାନୀୟ ଅଗ୍ନିଶମ ବିଭାଗ ଓ ତଟବନ୍ଧ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ସମୁଦ୍ର କୂଳରେ ପହଞ୍ôଚ ନିଆଁକୁ ଆୟତ୍ତ କରିଥିଲେ । ମାତ୍ର ସେତେବେଳକୁ ପ୍ରାଚୀରର ପ୍ରାୟ ୨୦ ମିଟର ଓସାର ଯାଏ ନିଆଁ ଲାଗି ଯାଇଥିବାବେଳେ ଏହା ମଧ୍ୟରେ ଥିବା ପ୍ରାୟ ୧୦୦ଟି ଗ୍ୟାବିନ ବକ୍ସର ଜାଲି ପୋଡ଼ି ପାଉଁଶ ହୋଇଯାଇଥିଲା । ଖବରପାଇ ତଟବନ୍ଧ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁଶାନ୍ତ କୁମାର ରଥ, ନିର୍ବାହୀ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ରଥ, ସହକାରୀ ନିର୍ବାହୀ ଯନ୍ତ୍ରୀ ଉମେଶ ଚନ୍ଦ୍ର ସ୍ୱାଇଁ, ସହକାରୀ ଯନ୍ତ୍ରୀ ଅଞ୍ଜନ କୁମାର ବେହେରା ଘଟଣାସ୍ଥଳରେ ପହଞ୍ôଚ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଟେକ୍ନିକାଲ ଟିମ୍ ଘଟଣାସ୍ଥଳରେ ପହଞ୍ôଚ ଅନୁଧ୍ୟାନ କରିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ରାଜନଗର ବ୍ଲକ ପେଣ୍ଠ ନିକଟରେ ସମୁଦ୍ର କୂଳ ଲଂଘି ଚାଲିଥିଲା । ସମୁଦ୍ର ପଠା ଖାଇ ଲୁଣା ଘେରି ବନ୍ଧକୁ ଗର୍ଭସ୍ଥ କରିନେଇଥିଲା । ଲୁଣା ଘେରିବନ୍ଧ ପରେ ଜନବସତି ଆଡକୁ ସମୁଦ୍ର ମାଡି ଆସିଥିଲା । ଫଳରେ ପେଣ୍ଠ ନିକଟରେ ୫୦୫ ମିଟର ଜିଓ ସିନ୍ଥେଟିକ୍ ପ୍ରାଚୀର ନିର୍ମାଣ କରାଯାଇଥିଲା । ଏଥିପାଇଁ ୩୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା । ଏହି ଜିଓ ସିନ୍ଥେଟିକ ପ୍ରାଚୀର ଭାରତର ଦ୍ୱିତୀୟ ଓ ଓଡିଶାର ପ୍ରଥମ ପ୍ରକଳ୍ପ ।
Comments are closed, but trackbacks and pingbacks are open.