ଜଳିଗଲା ୩୦ ଏକର ଜମିର ଆଖୁ ଫସଲ

Get real time updates directly on you device, subscribe now.

କାମାକ୍ଷାନଗର,(ବି.ବି.ନୁ୍ୟଜ୍): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଅନ୍ତର୍ଗତ ବଡ଼ଶାଳ ପଞ୍ଚାୟତରେ ଆଜି ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ପଞ୍ଚାୟତର ରଙ୍ଗମାଟିଆ ଓ ହାଟୁଆରୀ ଗାଁର ୩୦ ଏକରରୁ ଅଧିକ ଜମିର ଆଖୁ ଫସଲ ଜଳି ଯାଇଛି । ଖବର ପାଇଁ ନିଆଁ ଲିଭାଇବାକୁ ଆସିଥିବା ଅଗ୍ନିଶମ ବିଭାଗ ଗାଡ଼ିର ଚକ ଓ ପାଣି ପାଇପ ମଧ୍ୟ ଜଳି ଯାଇଛି । ଏହି ଦୁର୍ଘଟଣାରେ ପାଖାପାଖି ୧୦ ଲକ୍ଷରୁ ଅଧିକ ଟଙ୍କାର କ୍ଷତି ଘଟିଛି । ସ୍ଥାନୀୟ ହାଟୁଆରୀ ଓ ରଙ୍ଗମାଟିଆ ଗାଁର ୧୦ ଜଣ ଚାଷୀ ଏଥିଯୋଗୁଁ କ୍ଷତିଗ୍ରସ୍ତ ହୋଇଛନ୍ତି । ସେମାନଙ୍କ ଆଖି ସାମ୍ନାରେ କଷ୍ଟ ଉପାର୍ଜିତ ଫସଲ ଜଳି ଯାଇଥିଲେ ମଧ୍ୟ କିଛି କରିପାରି ନାହାନ୍ତି । ଏ ଅଗ୍ନିକାଣ୍ଡ ମାନବକୃତ ହୋଇଥାଇ ପାରେ ବୋଲି ସନେ୍ଦହ କରା ଯାଉଛି ।
ସୂଚନା ମୁତାବକ ଆଜିର ଅଗ୍ନିକାଣ୍ଡରେ ରଙ୍ଗମାଟିଆ ଗାଁର ଖଗେଶ୍ୱର ମଲ୍ଲିକ, ଗୋବିନ୍ଦ ମଲ୍ଲିକ, ଶିଖର ମଲ୍ଲିକ, ବସନ୍ତ ମଲ୍ଲିକ ଓ ରମେଶ ମଲ୍ଲିକଙ୍କ ଆଖୁ ଫସଲ ଜଳି ଯାଇଛି । ସେମିତି ହାଟୁଆରୀ ଗାଁର ସରୋଜ ପଣ୍ଡା ଓ ଦୁଷ୍ମନ୍ତ ମହାନ୍ତି ମଧ୍ୟ ଏହି ଘଟଣାରେ କ୍ଷତିଗ୍ରସ୍ତ ହୋଇଛନ୍ତି । ଏହାବାଦ ମଧ୍ୟ ଆହୁରି କିଛି ଚାଷୀଙ୍କ ଆଖୁ ଜଳି ଯାଇଛି । ଆଉ ଦିନ କେଇଟା ପରେ ଚାଷୀମାନେ ଫସଲ ଅମଳ କରିଥା’ନ୍ତେ । ଋଣ ଶୁଝିଥା’ନ୍ତେ । ହେଲେ ସବୁ ଆଶା ନିରାଶାରେ ପରିଣତ ହୋଇଛି । ଦମକଳ ବାହିନୀ ସୂତ୍ରରୁ ମିଳିଥିବା ଖବର ମୁତାବକ ଆଜି ସକାଳ ପାଖାପାଖି ୧୧ଟା ବେଳେ ପ୍ରଥମେ ନିଆଁ ଲାଗିଥିଲା । ଖବର ପାଇ ଦମକଳ ପହଞ୍ଚିବା ବେଳକୁ ନିଆଁ ଉଗ୍ରରୂପ ନେଇଥିଲା ଓ ବହୁ ଜମିକୁ କରାୟତ୍ତ କରି ସାରିଥିଲା । ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ । ଦମକଳ ପହଞ୍ଚି ନିଆଁ ଲିଭାଇବା ବେଳେ ଅଗ୍ନିଶମ ଗାଡ଼ିର ଚକ ଓ ପାଣି ପାଇପ ଜଳି ଯାଇଛି । ଫସଲ ଅମଳ କରି ସାରିଥିବା ସ୍ଥାନୀୟ କେହି ଚାଷୀ ବିଲରେ ପଡ଼ିଥିବା ଶୁଖିଲା ଆଖୁ ପତ୍ରରେ ନିଆଁ ଲଗାଇବା ପରେ ଏ ଅଘଟଣ ଘଟିଥିବା ସନେ୍ଦହ କରା ଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons