ଜଳୁଛି ସହର: ଲୋକେ ଅସ୍ତବ୍ୟସ୍ତ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଗୁଜୁରାଟକୁ ମାଡ଼ି ଚାଲିଛି ଭୟାନକ ବାତ୍ୟା ‘ବାୟୁ’ । ଏପଟେ ଓଡ଼ିଶାରେ ସାଂଘାତିକ ଗ୍ରୀଷ୍ମ ପ୍ରବାହ । ଆକାଶରୁ ଆଜି ଏମିତି ତାତି ବର୍ଷିଲା, ହୁତ୍ ହୁତ୍ ହୋଇ ଜଳାଇଲା ସାରା ଓଡ଼ିଶାକୁ । ପୂର୍ବରୁ ପଶ୍ଚିମ, ଉପକୂଳରୁ ଆଭ୍ୟନ୍ତରୀଣ, ସାରା ରାଜ୍ୟ ଛଟପଟ ।
ଦିନକ ପରେ ରଜ । ଏଯାଏଁ ମୌସୁମୀର ଚିହ୍ନବର୍ଣ୍ଣ ନାହିଁ । ଆଜି ରାଜ୍ୟରେ ଚଳିତବର୍ଷର ସବୁଠୁ ଉତ୍ତପ୍ତ ଦିନ ଥିଲା । ସକାଳୁ ଆରମ୍ଭ ହୋଇଗଲା ତାତିର ତାଉ । ପଦାକୁ ବାହାରି ହେଲାନି କିମ୍ବା ଘରେ ରହି ହେଲାନି । ଜଳାଇଲା, ସିଝେଇଲା, ନାକେଦମ୍ କଲା ତାତି । ୧୫ ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଡେଇଁଗଲା । ସାଂଘାତିକ କଥା ହେଲା, ୬ ସହରର ତାପମାତ୍ରା ରେକର୍ଡ ଭାଙ୍ଗି ୪୫ ଡିଗ୍ରୀ ପାର୍ କରିଦେଲା ।
ପାଣିପାଗ ପୂର୍ବାନୁମାନ ଆହୁରି ଡରାଇଲାଣି । ପୂର୍ବାନୁମାନ କହୁଛି, ଆସନ୍ତା ଦୁଇଦିନ ନିସ୍ତାର ମିଳିବନି ସୂର୍ଯ୍ୟଙ୍କ ପ୍ରଚଣ୍ଡ କୋପରୁ । ଏମିତି ଜଳିବ ସାରା ଓଡ଼ିଶା । ଆଭ୍ୟନ୍ତରୀଣ ଅଞ୍ଚଳରେ ନିଆଁ ବର୍ଷିବ । ଉପକୂଳ ବି ତ୍ରାହି ତ୍ରାହି ଡାକିବ ।
ଆଜି ସମ୍ବଲପୁର ପାଲଟିଥିଲା ତତଲା କଡ଼େଇ । ଟକ୍ ଟକ୍ ହୋଇ ଫୁଟିଲା ତାତିରେ । ପାରଦ ପହଞ୍ଚିଗଲା ୪୫.୬ ଡିଗ୍ରୀ ସେଲସିୟସ୍ରେ । ଯାହାକି ଗତ ୬ ବର୍ଷ ଭିତରେ ସବୁଠୁ ଅଧିକ । ୨୦୧୨ ପରଠୁ ସମ୍ବଲପୁର ତାପମାତ୍ରା କେବେ ୪୫ ଡିଗ୍ରୀ ଛୁଇଁନଥିଲା ଜୁନ୍ ମାସରେ । ମାତ୍ର ଗତକାଲି ସମ୍ବଲପୁର ତାପମାତ୍ରା ୪୫ ଡିଗ୍ରୀ ଛୁଇଁଥିବାବେଳେ ଆଜି ଆହୁରି ୦.୬ ଡିଗ୍ରୀ ବଢ଼ିଯାଇଛି ।
ତାଳଚେର ୪୫.୩, ହୀରାକୁଦ ୪୫.୨, ସୋନପୁର ୪୫.୨, ଝାରସୁଗୁଡ଼ା ୪୫ ଓ ଟିଟିଲାଗଡ଼ ୪୫ ଡିଗ୍ରୀ ତାପମାତ୍ରାରେ ଜଳିଥିଲା ଦିନ ତମାମ । ଅସମ୍ଭାଳ ହୋଇପଡ଼ିଥିଲା ଗ୍ରୀଷ୍ମ ପ୍ରକୋପ ।
ସୁନ୍ଦରଗଡ଼ ତାପମାତ୍ରା ୪୪.୫ ଡିଗ୍ରୀ ଥିବାବେଳେ ଅନୁଗୁଳ ୪୩.୯, ମାଲକାନଗିରି ୪୨.୬, ବଲାଙ୍ଗିର ୪୨.୫, ଭବାନୀପାଟଣା ୪୧.୮ ଛୁଇଁଥିଲା । ଉପକୂଳରେ ବି ନଥିଲା ତ୍ରାହି । ଭୀଷଣ ତାତିକୁ ସାଂଘାତିକ ଗୁଳୁଗୁଳି ଅସ୍ତବ୍ୟସ୍ତ କରିପକାଇଲା । ଭୁବନେଶ୍ୱର ତାପମାତ୍ରା ଦିନକରେ ୨ ଡିଗ୍ରୀ ବଢ଼ି ୪୨.୪ ଡିଗ୍ରୀରେ ସିଝିଲା । ଚାନ୍ଦବାଲି ୪୦.୮, କଟକ ୪୦.୫, କେନ୍ଦୁଝର ୪୦.୯ ଡିଗ୍ରୀ ଥିଲା । ବାରିପଦା ଓ ଦାରିଙ୍ଗିବାଡ଼ି ବି ପାଖାପାଖି ୩୮-୩୯ ଡିଗ୍ରୀ ତାପମାତ୍ରାରେ ସିଝିଥିଲା ।
ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ଆର୍ ବିଶ୍ୱାସ କହିଛନ୍ତି, ଗୁରୁବାର ଓ ଶୁକ୍ରବାର (୧୩ ଓ ୧୪ ତାରିଖ) ଭୀଷଣ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ଗ୍ରୀଷ୍ମ ପ୍ରବାହ ନେଇ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ବରଗଡ଼, ସୋନପୁର, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଲୋକଙ୍କୁ ସର୍ତକତା ଅବଲମ୍ବନ କରିବାକୁ ପଡ଼ିବ । ଆଭ୍ୟନ୍ତୀରଣ ଓ ପଶ୍ଚିମ ଓଡ଼ିଶାରେ ପାରଦ ୪୩-୪୪ ଡିଗ୍ରୀ ପାଖାପାଖି ରହିବ । କେତେକ ସ୍ଥାନରେ ୪୫ ଡିଗ୍ରୀ ଛୁଇଁପାରେ । ଉପକୂଳ ଓଡ଼ିଶାରେ ପାରଦ ୪୦-୪୧ ଡିଗ୍ରୀ ପାଖାପାଖି ରହିପାରେ । ୧୫ ତାରିଖରୁ କ୍ରମଶଃ ତାତି କମିବ । ପଶ୍ଚିମ ଓ ଆଭ୍ୟନ୍ତରୀଣରେ ୨-୩ ଡିଗ୍ରୀ କମିବ । ଉପକୂଳ ଓଡ଼ିଶା ୪୦ ଡିଗ୍ରୀ ତଳକୁ ଖସି ଆସିବା ସମ୍ଭାବନା ଅଛି । ଅନ୍ୟପକ୍ଷରେ ରାଜ୍ୟରେ କାଳବୈଶାଖୀଜନିତ ବର୍ଷା ବଢ଼ିପାରେ । ଆରବ ସାଗରରେ ଆସିଥିବା ବାତ୍ୟା ‘ବାୟୁ’ ଦୁର୍ବଳ ହେବା ପରେ ହିଁ ମୌସୁମୀ ସକ୍ରିୟ ହୋଇ ଆଗକୁ ବଢ଼ିବ । ମୌସୁମୀର ଓଡ଼ିଶା ଆଗମନ ନେଇ ଏବେଠାରୁ କହିହେବନି ।
ବିଶିଷ୍ଟ କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ ଆହୁରି ଭୟାନକ । ତାଙ୍କ କହିବାନୁଯାୟୀ ଆସନ୍ତାକାଲି ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ତାତି ଆହୁରି ୨ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ । ୧୪ରେ ଅପରିବର୍ତ୍ତିତ ରହିବ । ୧୬ରୁ ତାତି କମିବ ଉପକୂଳରେ ।
ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ୧୩ ତାରିଖରେ ତାତି ସାମାନ୍ୟ କମିପାରେ । ତଥାପି ୧୫ ତାରିଖ ଯାଏଁ ନିସ୍ତାର ମିଳିବନି ଗରମରୁ । ୧୬ ଓ ୧୭ ତାରିଖରେ ବର୍ଷା ସମ୍ଭାବନା ଅଛି । ତେଣୁ ତାତି କମିପାରେ । ତଥାପି ୨୦ ତାରିଖ ପର୍ଯ୍ୟନ୍ତ ପାରଦ ୪୦ ଡିଗ୍ରୀ ପାଖାପାଖି ରହିବ । ତା’ ପରେ ତାତି ଖସିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons