ଜଳେଶ୍ୱର,(ବି.ବି.ନୁ୍ୟଜ୍): ଓଡ଼ିଶାର ଝିଅ ସୀମି କରଣ ପ୍ରକାଶ ପାଇଥିବା ଆଇଏଏସ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୩୧ ରାଙ୍କ ଓ ଛତିଶଗଡ଼ ରାଜ୍ୟର ଟପର ହୋଇ ନିଜ ରାଜ୍ୟ ତଥା ଓଡ଼ିଶା ପାଇଁ ଗୌରବ ଆଣିିଛନ୍ତି । ୨୦୧୫ ମସିହା ସିବିଏସଇ ପରୀକ୍ଷାରେ ଛତିଶଗଡ଼ ଟପର ହୋଇ ସେ ମୁମ୍ବାଇ ଆଇଆଇଟିରେ ଭର୍ତ୍ତି ହୋଇଥିଲେ । ୨୦୧୯ ମସିହାରେ ସେ ଫାଇନାଲ ପରୀକ୍ଷା ଦେବା ପରେ ମାତ୍ର ୩ ମାସ ମଧ୍ୟରେ ନିଜକୁ ପ୍ରସ୍ତୁତ କରି ପ୍ରଥମ ଥର ପରୀକ୍ଷା ଦେଇ ଏହି କୃତିତ୍ୱ ଲାଭ କରିଛନ୍ତି । ମାତ୍ର ୨୨ ବର୍ଷ ବୟସରେ ସେ ଏହି ବିରଳ ସଫଳତା ପାଇ ପାରିଛନ୍ତି । ସୀମା ଏବେ ଭିଲାଇରେ ରହୁଛନ୍ତି । ତାଙ୍କ ପିତା ଦେବେନ୍ଦ୍ର ନାଥ କରଣ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ (ସେଲ)ର ସାଧାରଣ ପରିଚାଳକ (ବିତ୍ତ) ରୂପେ କାର୍ଯ୍ୟ କରୁଥିବା ବେଳେ ମା’ ସୁଜାତା କରଣ ଦିଲ୍ଲୀ ପବ୍ଲିକ ସ୍କୁଲ ଭିଲାଇରେ ଶିକ୍ଷୟିତ୍ରୀ ରୂପେ କାର୍ଯ୍ୟ କରୁଛନ୍ତି । ତାଙ୍କର ଏହି କୃତିତ୍ୱ ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ଦୁର୍ଗ ଜିଲ୍ଲାପାଳ ଡ. ସର୍ବେଶ୍ୱର ଭୁରେ, ଏସପି ପ୍ରଶାନ୍ତ ଠାକୁର ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି । ସେ ଛତିଶଗଡ଼ ରାଜ୍ୟର ଦୁର୍ଗ ଜିଲ୍ଲାରେ ଆଇଏଏସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ମୁମ୍ବାଇରେ ରହୁଥିବା ବସ୍ତିବାସିନ୍ଦାମାନଙ୍କୁ ଦେଖିବା ପରେ ସେ ମନ ପରିବର୍ତ୍ତନ କରି ଇଞ୍ଜିନିୟରିଂରୁ ପ୍ରଶାସକ ହେବା ପାଇଁ ମନ ପରିବର୍ତ୍ତନ କରିଥିଲେ । ପ୍ରଶାସକ ହେବା ପରେ ସେ ମହିଳା ସଶକ୍ତିକରଣ ଓ ଝିଅମାନଙ୍କୁ ବିଦ୍ୟାଳୟରେ ପଢ଼ିବା ପାଇଁ ଉଦ୍ୟମ କରିବେ ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ତାଙ୍କ ନିଜ ଘର ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ସନ୍ତୋଷପୁର ଗ୍ରାମରେ ହୋଇଥିବା ବେଳେ ସେଠାରେ ତାଙ୍କ ବଡ଼ବାପା ସଚ୍ଚୀନ୍ଦ୍ର ନାଥ କରଣ ଏବଂ ଜେଜେମା ମନୋରମା କରଣ ରହୁଛନ୍ତି । ଅଜା ରାଉରକେଲାର ସ୍ତ୍ରୀ-ପ୍ରସୂତି ବିଭାଗର ଡାକ୍ତର ମଧୁସୂଦନ ସାହୁ ଅଟନ୍ତି । ସୀମିଙ୍କର ଏହି ସଫଳତା ପାଇଁ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର ଅଭିନନ୍ଦନ ଜଣାଇଛନ୍ତି । ସୂଚନା ଯୋଗ୍ୟ, ସୀମି କରଣ ହେଉଛନ୍ତି ବିଧାୟକ ଶ୍ରୀ ପାତ୍ରଙ୍କ ଭାଣିଜୀଙ୍କ କନ୍ୟା । ନାତୁଣୀର ଏହି କୃତିତ୍ୱ ପାଇଁ ସେ ଅତ୍ୟନ୍ତ ଖୁସି ବୋଲି ପ୍ରକାଶ କରିଛନ୍ତି । ଓଡ଼ିଆ ଝିଅର ଏହି ସଫଳତା ପାଇଁ ଜଳେଶ୍ୱରର ବହୁ ଶିକ୍ଷାବିତ୍ ଓ ବୁଦ୍ଧିଜୀବୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।


Comments are closed, but trackbacks and pingbacks are open.