ଜଷ୍ଟିସ୍ ଇନ୍ଦ୍ରଜିତ୍ ମହାନ୍ତି ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି

Get real time updates directly on you device, subscribe now.

କଟକ,(ବି.ବି.ନୁ୍ୟଜ୍): ଓଡ଼ିଶା ହାଇକୋର୍ଟର ପୂର୍ବତନ ବରିÂ ବିଚାରପତି ତଥା ବମ୍ବେ ହାଇକୋର୍ଟର ବର୍ତ୍ତମାନର ବିଚାରପତି ଜଷ୍ଟିସ୍ ଇନ୍ଦ୍ରଜିତ୍ ମହାନ୍ତିଙ୍କୁ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ସୁପ୍ରିମ୍କୋର୍ଟ କଲେଜିୟମ୍ ନିଯୁକ୍ତି ଦେଇଛନ୍ତି । ବର୍ତ୍ତମାନ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟରତ ଥିବା ଜଷ୍ଟିସ୍ ଏସ୍. ରବୀନ୍ଦ୍ର ଭ;ଙ୍କର ସୁପ୍ରିମ୍କୋର୍ଟକୁ ବଦଳି ହେବା ପରେ ଏହି ପଦବି ଫାଙ୍କା ପଡ଼ିବାକୁ ଯାଉଥିଲା । ଏହି ପଦବି ପାଇଁ ଜଷ୍ଟିସ୍ ମହାନ୍ତି ସବୁ ଦୃଷ୍ଟିରୁ ଯୋଗ୍ୟ ବୋଲି ବିଚାର କରି ତାଙ୍କୁ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଉଥିବା କଲେଜିୟମ୍ ମତ ଦେଇଛନ୍ତି । ଜଷ୍ଟିସ୍ ମହାନ୍ତିଙ୍କ ନୂଆ ନିଯୁକ୍ତିକୁ ଓଡିଶାରେ ସ୍ୱାଗତ କରାଯାଇଥିବା ବେଳେ ବିଭିନ୍ନ ମହଲରେ ଆନନ୍ଦ ପ୍ରକାଶ ପାଇଛି ।
ସ୍ୱନାମଧନ୍ୟ ଆଇନଜୀବୀ ବାରିଷ୍ଟର୍ ରଣଜିତ୍ ମହାନ୍ତି ଏବଂ ଶକୁନ୍ତଳା ମହାନ୍ତିଙ୍କ ସୁପୁତ୍ର ଜଷ୍ଟିସ୍ ଇନ୍ଦ୍ରଜିତ୍ ମହାନ୍ତି ୧୯୬୦ ମସିହା ନଭେମ୍ବର ୧୧ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ । ଦାର୍ଜିଲିଂର ମାଉଣ୍ଟ୍ ହର୍ମନ୍ ସ୍କୁଲ୍ରେ ସେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ଗ୍ରହଣ କରିବା ପରେ ରେଭେନ୍ସାରେ ଅଧ୍ୟୟନ କରିଥିଲେ । ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଲ’ ସେଣ୍ଟରରୁ ଏଲ୍ଏଲ୍ବି ଏବଂ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରୁ ଏଲ୍ଏଲ୍ଏମ୍ ପାସ୍ କରି ୧୯୮୪ ମସିହାରେ ବାର୍ କାଉନସିଲ୍ରେ ନିଜ ନାମକୁ ଆଇନଜୀବୀ ଭାବେ ପଞ୍ଜୀକୃତ କରିଥିଲେ । କମର୍ସିଆଲ୍ ଲ’, ଟ୍ୟାକ୍ସ ଲ’ଠାରୁ ଫୌଜଦାରୀ ମାମଲାଯାଏ ବିଭିନ୍ନ କ୍ଷେତ୍ରରେ ଦକ୍ଷତାର ସହ ମାମଲା ପରିଚାଳନା କରି ସେ ସୁଖ୍ୟାତି ଅର୍ଜନ କରିଥିଲେ । ଓଡିଶା ହାଇକୋର୍ଟର ବିଚାରପତି ଭାବେ ୨୦୦୬ ମସିହା ମାର୍ଚ୍ଚ ୩୧ ତାରିଖରେ ସେ ନିଯୁକ୍ତି ପାଇଥିଲେ । ୨୦୦୬ରୁ ୨୦୧୮ ଅକ୍ଟୋବର ପର୍ଯ୍ୟନ୍ତ ସେ ଓଡିଶା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିବା ପରେ ୨୦୧୮ ଅକ୍ଟୋବରରେ ତାଙ୍କୁ ବମ୍ବେ ହାଇକୋର୍ଟକୁ ବଦଳି କରାଯାଇଥିଲା । ସେଠାରେ ପ୍ରାୟ ଗୋଟିଏ ବର୍ଷ କାର୍ଯ୍ୟ କରିବା ପରେ ତାଙ୍କୁ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ପଦବିରେ ନିଯୁକ୍ତି ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons