ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଦେଶ, ସମାଜ ତଥା ବ୍ୟକ୍ତିଗତ ବିକାଶ ପାଇଁ ପରିବର୍ତ୍ତନ ବେଶ୍ ଜରୁରି । ବିଶ୍ୱରେ ଘଟୁଥିବା ପରିବର୍ତ୍ତନକୁ ସଭିଙ୍କୁ ଗ୍ରହଣ କରିବାକୁ ହେବ । ତାହାହେଲେ ସଭିଏଁ ଅଭିବୃଦ୍ଧି ପଥରେ ଆଗେଇବେ । ଭୁବନେଶ୍ୱରରେ ଅନୁଷ୍ଠିତ ଶୋଡ଼ଷ ଜାତୀୟ ସିଏ ସମ୍ମିଳନୀର ଉଦ୍ଘାଟନୀ ଉତ୍ସବରେ ଅତିଥିମାନେ ଏଭଳି ମନ୍ତବ୍ୟ ଦେଇଛନ୍ତି ।
ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟର୍ଡ ଆକାଉଣ୍ଟାଣ୍ଟ ଅଫ୍ ଇଣ୍ଡିଆ (ଆଇସିଏଆଇ) ଭୁବନେଶ୍ୱର ଶାଖା ପକ୍ଷରୁ ଆୟୋଜିତ ଏହି ୨ ଦିନିଆ ଜାତୀୟ ସମ୍ମିଳନୀକୁ କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଉଦ୍ଘାଟନ କରିଛନ୍ତି । ଏ ଅବସରରେ ସେ କହିଛନ୍ତି, ଦେଶର ସାମଗ୍ରିକ ଅଭିବୃଦ୍ଧି ପାଇଁ ଅଣାଯାଉଥିବା ବିଭିନ୍ନ ପରିବର୍ତ୍ତନକୁ ସଭିଙ୍କୁ ଗ୍ରହଣ କରିବାକୁ ହେବ । ଚାର୍ଟର୍ଡ ଆକାଉଣ୍ଟାଣ୍ଟ (ସିଏ)ମାନେ ନିଜର ସମସ୍ତ ବିଦ୍ୟାବୁଦ୍ଧିକୁ ଦେଶର ପ୍ରଗତି ପାଇଁ ବ୍ୟବହାର କରିବା ଉଚିତ ।
ସେହିପରି ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍କୋର ଅର୍ଥ ନିର୍ଦ୍ଦେଶକ ସିଏ ଶ୍ରୀଧର ପାତ୍ର କହିଛନ୍ତି, ପୂର୍ବ ତୁଳନାରେ ଏବେ ବିଶ୍ୱରେ ବ୍ୟାପକ ପରିବର୍ତ୍ତନ ଆସିଛି । ସେହି ହିସାବରେ ସମସ୍ତଙ୍କୁ ନିଜକୁ ଅପ୍-ଟୁ-ଡେଟ୍ କରିବାକୁ ପଡ଼ିବ । ତାହାହେଲେ ନିଜର ବିକାଶ ସହ ସମାଜର ବିକାଶ ସମ୍ଭବପର ହୋଇପାରିବ ।
ଏ ଅବସରରେ ଆଇସିଏଆଇ ସଭାପତି ପ୍ରଫୁଲ୍ଲ ପି ଛାଜେଦ୍ କହିଛନ୍ତି, ସରକାର ଦେଶର ହିତ ଉଦ୍ଦେଶ୍ୟରେ ଆଇନରେ ଅନେକ ପରିବର୍ତ୍ତନ ଆଣୁଛନ୍ତି । ଏହା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ । କିନ୍ତୁ ଏହି ଆଇନଗୁଡ଼ିକୁ ସାଧାରଣ ଜନତା ତଥା ବ୍ୟବସାୟୀଙ୍କ ନିମନ୍ତେ ସରଳରୁ ସରଳତର କରାଯିବା ଉଚିତ ।
ଶନିବାର ଉଦ୍ଯାପନ ହେବାକୁ ଥିବା ଏହି ଜାତୀୟ ସିଏ ସମ୍ମିଳନୀର ବିଷୟବସ୍ତୁ ‘ପରିବର୍ତ୍ତନ ପାଇଁ ପରିବର୍ତ୍ତନ’ ରହିଛି । ୨ ଦିନ ଭିତରେ ସମ୍ମିଳନୀରେ ଦେଶର ବିଭିନ୍ନ ଭାଗରୁ ପ୍ରାୟ ୧,୫୦୦ ଚାର୍ଟର୍ଡ ଆକାଉଣ୍ଟାଣ୍ଟ ଯୋଗଦେବେ ବୋଲି ଆଶା କରାଯାଉଛି । ଏହି ଅବଧିରେ ବକ୍ତାମାନେ ଦ୍ରବ୍ୟ ଓ ସେବା କର (ଜିଏସ୍ଟି), ଅଡିଟିଂ ଆଣ୍ଡ ଆସ୍ୟୁରାନ୍ସ ଷ୍ଟାଣ୍ଡାର୍ଡ, ଆକାଉଣ୍ଟିଂ ଷ୍ଟାଣ୍ଡାର୍ଡ, କର୍ପୋରେଟ ଆଇନ, ପ୍ରତ୍ୟକ୍ଷ ଟିକସ ଆଦି ବିଷୟ ଉପରେ ଆଲୋଚନା କରିବେ । ଅନ୍ୟମାନଙ୍କ ମଧ୍ୟରେ ସିସିବିଏମ୍ପି ଅଧ୍ୟକ୍ଷ ରାଜେଶ ଶର୍ମା, ଇଆଇଆର୍ସି ଅଧ୍ୟକ୍ଷ ସୁମିତ ବିନାନି, ସମ୍ମିଳନୀ ଆୟୋଜକ କମିଟି ଅଧ୍ୟକ୍ଷ ମିହିର କୁମାର ସାହୁ, ଭୁବନେଶ୍ୱର ଶାଖା ଅଧ୍ୟକ୍ଷ ସୁଜ୍ଞାନ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.