ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆସନ୍ତା ଜାନୁଆରୀ ୧ ତାରିଖରୁ ଗୃହ ଓ ନଗର ଉନ୍ନୟନ ବିଭାଗ ମୋ ସରକାର ଅଧୀନକୁ ଆସିବ । ଏ ନେଇ ‘ମୋ ସରକାର’ ଓଏସ୍ଡି ଆଜି ଏସ୍ଓପି(ଷ୍ଟାଣ୍ଡାର୍ଡ ଅପରେସନ ପ୍ରୋସିଡୁୟର) ଜାରି କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୫ଟି ସେବାକୁ ମୋ ସରକାରରେ ସାମିଲ କରାଯିବ । ଟ୍ରେଡ୍ ଲାଇସେନ୍ସ, ହୋଲ୍ଡିଂ ଟିକସ ମୂଲ୍ୟାଙ୍କନ, ସହରାଞ୍ଚଳ ଆବାସ ଯୋଜନା, ବିଲ୍ଡିଂ ପ୍ଲାନ୍ ଅନୁମୋଦନ ଓ ଜଳଯୋଗାଣ ସେବାକୁ ଏଥିରେ ସାମିଲ କରାଯାଇଛି । ତେବେ ଆଜିଠାରୁ ଏହି ୫ଟି ସେବାକୁ ନେଇ ଅଫିସ୍କୁ ଆସୁଥିବା ଲୋକଙ୍କଠାରୁ ମତାମତ ସଂଗ୍ରହ ଆରମ୍ଭ ହୋଇଛି ।
ଗୃହ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ଆସୁଥିବା ୧୧୪ ପୌରାଞ୍ଚଳ, ୯ଟି ଉନ୍ନୟନ କର୍ତ୍ତୃପକ୍ଷ, ୫ଟି ମହାନଗର ନିଗମ ଏବଂ ୱାଟ୍କୋ/ ଜନସ୍ୱାସ୍ଥ୍ୟ ଇଞ୍ଜିନିୟରିଂ ବିଭାଗ ଅଧୀନରେ ଥିବା ୨୩୭ ସେକ୍ସନ ଅଫିସ୍ ‘ମୋ ସରକାର’ ଅଧୀନକୁ ଆସିବ । ବିଭାଗ ଅଧୀନରେ ଥିବା ମୋଟ ୩୬୦ ଅଫିସ୍ରେ ‘ମୋ ସରକାର’ ସେଲ୍ ଖୋଲିବ । ଏହା ଦାୟିତ୍ୱରେ କିଛି ନିଦ୍ଧିଷ୍ଟ ଅଫିସର ରହିବେ । ସେମାନେ ଏହାକୁ ତଦାରଖ କରିବେ । ଏହି ୫ଟି ସେବା ପାଇବାକୁ ନେଇ ଅଫିସ୍ ଆସୁଥିବା ପ୍ରତି ଲୋକଙ୍କର ସେବା ବାବଦରେ ମତାମତ ସଂଗ୍ରହ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ଏକ ଏକ୍ସଲ୍ ସିଟ୍ରେ ମତାମତ ସଂଗ୍ରହ ଓ ଏହାର ବିସ୍ତୃତ ବିବରଣୀ ପ୍ରସ୍ତୁତ କରି ରଖାଯିବ ।
ସରକାରଙ୍କ ପାଖରେ ଏହି ତଥ୍ୟ ଯେଭଳି ସୁବିଧାରେ ପହଞ୍ଚିବ, ସେଥିପାଇଁ ଏକ ୱେବ୍ ଆପ୍ଲିକେସନ ବିକାଶ କରାଯିବ । ବିଭାଗର ୩୬୦ଟି ଅଫିସ୍ ଏହାକୁ ବ୍ୟବହାର କରିବେ । ଟ୍ରେଡ୍ ଲାଇସେନ୍ସ, ହୋଲ୍ଡିଂ ଟିକସ ମୂଲ୍ୟାଙ୍କନ, ସହରାଞ୍ଚଳ ଆବାସ ଯୋଜନା, ବିଲ୍ଡିଂ ପ୍ଲାନ୍ ଅନୁମୋଦନ ଓ ଜଳଯୋଗାଣ ଭଳି ୫ଟି ସେବାକୁ ନେଇ ଅଫିସ୍ ଆସୁଥିବା ନାଗରିକଙ୍କ ମତ ସଂଗ୍ରହ କରି ଏହି ଆପ୍ଲିକେସନରେ ଅପଲୋଡ୍ କରିବେ । ତେବେ ପ୍ରତିଦିନ ସବୁ ଲୋକଙ୍କ ମତାମତ ନେଇ ସରକାରଙ୍କ ପାଖକୁ ପଠାଇବାକୁ କଡ଼ା ନିଦେ୍ର୍ଧଶ ଦିଆଯାଇଛି ।
Comments are closed, but trackbacks and pingbacks are open.