ପୁରୀ,(ବି.ବି.ନୁ୍ୟଜ): ଭକ୍ତଙ୍କ ମହାପ୍ରଭୁଙ୍କୁ ଭକ୍ତି ଆଗରେ କରୋନା ଭୟ ଫିକା ପଡ଼ିଲା । ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ପୁଣି ଥରେ ଶ୍ରଦ୍ଧାଳୁ ଓ ଭଗବାନଙ୍କ ମଧ୍ୟରେ ମିଳନ ହେବ । ମହାମାରୀ ସଂକ୍ରମଣ ଯୋଗୁ ଦୀର୍ଘ ୯ ମାସ ହେବ ଦର୍ଶନ କଟକଣାରେ ଥିବା ଶ୍ରୀମନ୍ଦିର ଡିସେମ୍ବର ୨୩ତାରିଖରେ ଖୋଲିବ । ତେବେ ମହାପ୍ରଭୁଙ୍କ ଦର୍ଶନ ସାଧାରଣ ଭକ୍ତଙ୍କୁ ଅଳ୍ପ କିଛିଦିନ ଅପେକ୍ଷା କରିବାକୁ ପଡ଼ିବ ।
ବଡ଼ଦେଉଳ ଖୋଲିବା ପରେ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ସେବାୟତ ଓ ପୁରୀ ସହରବାସୀ ଶ୍ରୀମନ୍ଦିରରେ ଦର୍ଶନ କରିବେ । ନୂଆବର୍ଷ ପାଇଁ ପ୍ରବଳ ଭିଡ଼ ସମ୍ଭାବନା ଥିବାରୁ ଜାନୁଆରୀ ୧ ଓ ୨ ତାରିଖରେ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ । ଏହାପରେ ଜାନୁଆରୀ ୩ ତାରିଖରେ ସାଧାରଣ ଭକ୍ତଙ୍କ ନିମନ୍ତେ କାଳିଆ ଡୋରି ଲାଗିବ ।
ଦୀର୍ଘ ନଅ ମାସ ପ୍ରତୀକ୍ଷାର ଅନ୍ତ ପରେ ଭକ୍ତମାନେ ଶ୍ରୀମନ୍ଦିର ପ୍ରବେଶ କରି ମହାପ୍ରଭୁଙ୍କୁ ରତ୍ନବେଦିରେ ଦର୍ଶନ କରିବେ । କୋଭିଡ୍ କଟକଣା ପାଳନ କରି ସମସ୍ତେ ଦର୍ଶନ କରିବେ । ପୁରୀ ସହରବାସୀଙ୍କୁ ଦର୍ଶନ ପାଇଁ ସିଂହଦ୍ୱାରରେ ଆଧାରକାର୍ଡ ଦେଖାଇବାକୁ ପଡ଼ିବ ।
ଶ୍ରୀମନ୍ଦିର ଖୋଲିବା ପାଇଁ ଗତ ୧୨ ତାରିଖରେ ଅନୁÂିତ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହାପରେ ନିଯୋଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏହି ମର୍ମରେ ପ୍ରସ୍ତାବ ଦିଆଯାଇଥିଲା । ଆଜି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ଶ୍ରୀମନ୍ଦିର ଖୋଲିବା ସମ୍ପର୍କରେ ଘୋଷଣା କରିଛନ୍ତି ।
‘ମୋ ଧାମ ମୋ ଗର୍ବ’ ପରିଯୋଜନାରେ ନିୟୋଜିତ ସ୍ୱଚ୍ଛସାଥୀମାନେ ସହରରେ ୱାର୍ଡ ୱାର୍ଡ ବୁଲି ଦର୍ଶନାର୍ଥୀଙ୍କ ତାଲିକା କରିବେ । ଶ୍ରୀମନ୍ଦିର ଦର୍ଶନକୁ ଶୃଙ୍ଖଳିତ କରିବାକୁ ଚିହ୍ନଟ ଦର୍ଶନାର୍ଥୀଙ୍କୁ ଟୋକନ ଦେବାର ବ୍ୟବସ୍ଥା କରାଯାଇଛି । ସହରରେ କୋଭିଡ୍ ଟେଷ୍ଟ ତାଲିକା ପ୍ରଶାସନ ପାଖରେ ରହିଛି । ଏହି ତାଲିକା ବ୍ୟତୀତ ଦର୍ଶନ ବେଳେ କୋଭିଡ୍ କଟକଣା କଡ଼ାକଡ଼ି ଭାବେ ଅନୁପାଳନ କରାଯିବ । ସହରବାସୀଙ୍କ ଦର୍ଶନ ଶୃଙ୍ଖଳାର ସହ ସମ୍ପନ୍ନ ହେବ ବୋଲି ଜିଲ୍ଲାପାଳ ଶ୍ରୀ ସିଂହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଜିଲ୍ଲାପାଳ କହିଛନ୍ତି ଦର୍ଶନ ବ୍ୟବସ୍ଥାର ସବିଶେଷ ବିବରଣୀ ଶୀଘ୍ର ପ୍ରକାଶ କରାଯିବ । ବିଶେଷ କରି କୋଭିଡ୍ କଟକଣା ଏବଂ ଦର୍ଶନ ବ୍ୟବସ୍ଥାର ସବିଶେଷ ବ୍ୟବସ୍ଥାବଳୀ ତଥା ମାର୍ଗଦର୍ଶିକାକୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ କରାଯିବ ।
ଧାଡ଼ି ଦର୍ଶନରେ ଭକ୍ତମାନେ ମାସ୍କ ପିନ୍ଧିବା ସହ ହାତ ସାନିଟାଇଜ୍ କରି ଶ୍ରୀମନ୍ଦିର ପ୍ରବେଶ କରିବେ । ବ୍ୟାରିକେଡ ଦେଇ ଧାଡ଼ିରେ ଭକ୍ତମାନେ ଦର୍ଶନ କରିବେ । ଧାଡ଼ିରେ ଗଲାବେଳେ ଶ୍ରୀମନ୍ଦିର ଭିତରେ ଏବଂ ବାହାରେ ସାମାଜିକ ଦୂରତା ରକ୍ଷା କରାଯିବ । ବରିÂ ନାଗରିକ ଓ ୧୦ ବର୍ଷରୁ କମ୍ ବୟସର ଶିଶୁମାନେ ଶ୍ରୀମନ୍ଦିର ଦର୍ଶନକୁ ନ ଯିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ପ୍ରତିଦିନ ଚାରିରୁ ପାଞ୍ଚଟି ୱାର୍ଡରେ ଦର୍ଶନାର୍ଥୀଙ୍କୁ ଦର୍ଶନ ପାଇଁ ତାଲିକା କରାଯିବ । ଦର୍ଶନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବାକୁ ଆବଶ୍ୟକ କର୍ମଚାରୀ ଓ ପୁଲିସ ବ୍ୟବସ୍ଥା ମଧ୍ୟ ହେବାର ଆଭାସ ମିଳିଛି । ତେବେ ବରିÂ ନାଗରିକ ଓ ଶିଶୁଙ୍କୁ ଦର୍ଶନ ପ୍ରବେଶ କଟକଣାକୁ ନେଇ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଏଥିସହ ପୁରୀ ଜିଲ୍ଲାର ସମସ୍ତ ପ୍ରମୁଖ ମନ୍ଦିର ୨୩ ତାରିଖରୁ ଖୋଲିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏଥିପାଇଁ ସ୍ଥାନୀୟ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି । ମନ୍ଦିର ସେବାୟତ, ପରିଚାଳନା ଟ୍ରଷ୍ଟି, ସ୍ଥାନୀୟ ପୁ୍ଲିସ ଏବଂ ଅଭିଜ୍ଞ ଲୋକଙ୍କ ସହ ଏନେଇ ଆଲୋଚନା କରାଯିବ । ତହସିଲଦାର, ଥାନା ଅଧିକାରୀ ଏବଂ ସ୍ୱାସ୍ଥ୍ୟ ବିଭାଗକୁ ମଧ୍ୟ ଏହି ଆଲୋଚନାରେ ସାମିଲ କରାଯିବ । ଏହି ଘୋଷଣା ପରେ ଗ୍ରାମାଞ୍ଚଳରେ ଭକ୍ତଙ୍କ ମହଲରେ ଉତ୍ସାହ ସୃଷ୍ଟି ହୋଇଛି । ଦୀର୍ଘ ୯ ମାସ ପରେ ଆମର ଠାକୁରଙ୍କୁ ଦର୍ଶନ କରିବା ଅଭିଳାଷ ପୂରଣ ହେବ ବୋଲି ଲୋକମାନେ ପ୍ରତିକି୍ରୟାରେ କହିଛନ୍ତି ।


Comments are closed, but trackbacks and pingbacks are open.