ମାଲକାନଗିରି: ଜାପାନର ଉଦ୍ୟାନ ବିଭାଗ ବିଶେଷଜ୍ଞ ଆକିରା ମିଆବାକଙ୍କ ପଦ୍ଧତିରେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଅଳ୍ପ ଜମିରେ ନାନା ଚାରାରୋପଣ କରି ଘଞ୍ଚ ଜଙ୍ଗଲ ସୃଷ୍ଟି ହୋଇଛି । ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରଦୀପ ମିରାସେଙ୍କ ଉଦ୍ୟମରେ ଦୁଇବର୍ଷ ତଳେ ପରୀକ୍ଷାମୂଳକ ଭାବେ ଜିଲ୍ଲା ସଦର ମହକୁମା ହସ୍ପିଟାଲ ପରିସର ଓ ବାଲିମେଳା ଜଗନ୍ନାଥ ମନ୍ଦିର ପରିସରରେ ଏହି ପଦ୍ଧତିରେ ଚାରାରୋପଣ କରାଯାଇଥିଲା । ହସ୍ପିଟାଲ ପରିସରରେ ସହରାଞ୍ଚଳ ବନୀକରଣ ଯୋଜନାରେ ୨ ଏକର ପଡ଼ିଆ ଜମିରେ ଖଇର, ବେଲ, ନିମ, ଅଂଳା, ଅଶୋକ, ମାହନିମ, ଶିଶୁ, ଗମ୍ଭାରୀ, ରକ୍ତଚନ୍ଦନ, ହରିଡା, ବାହାଡା, ଅର୍ଜୁନ, କରଞ୍ଜ, ଆମ୍ବ, ଧଳା ଶିରିଶ, କଳା ଶିରିଶ, ମହୁଲ, ମୁଣ୍ଡି, ପେସ୍ତାବାଦାମ, ରାଧାଚୁଡା ମୋଟ ୧୯୦୭ ଗୋଟି ଚୋରା ରୋପଣ କରାଯାଇ ମାଲ୍ୟବନ୍ତ ଶାନ୍ତିବନ ଓ ଅମ୍ଳଜାନ ପାର୍କ ନାମରେ ନାମିତ ହୋଇଥିଲା । ଏହି ଗଛଗୁଡିକ ମାତ୍ର ଦୁଇବର୍ଷ ମଧ୍ୟରେ ୨୦ ଫୁଟ୍ରୁ ଅଧିକ ଉଚ୍ଚତା ହେବା ସହିତ ଘଞ୍ଚ ଜଙ୍ଗଲ ସୃଷ୍ଟି ହୋଇଛି । ହସ୍ପିଟାଲକୁ ଆସୁଥିବା ରୋଗୀ ଓ ସେମାନଙ୍କ ପରିବାର ଓ ଡାକ୍ତରଖାନା କର୍ମଚାରୀମାନେ ଏହି ପାର୍କରେ କିଛି ସମୟ ବିତାଇ ବିଶୁଦ୍ଧ ଅମ୍ଳଜାନ ପାଇବା ସହିତ ଶାନ୍ତି ଅନୁଭବ କରି ପାରୁଛନ୍ତି । ସାଧାରଣ ପ୍ଲାଟେଂସନ ଅପେକ୍ଷା ଜାପାନ ପଦ୍ଧତି ଚାରାରୋପଣ ଦ୍ୱାରା ୧୦ ଗୁଣା ଗଛ ବୃଦ୍ଧି ପାଇ ପାରୁଛି । ଆଗାମୀ ଦିନରେ ଜିଲ୍ଲାରେ ଏହି ପଦ୍ଧତିରେ ଅଧିକ ଜମିରେ ଜଙ୍ଗଲ ସୃଷ୍ଟି କରାଯିବ ବୋଲି ଶ୍ରୀ ମିରାସେ କହିଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.