ନୂଆପଡ଼ା,(ବି.ବି.ନ୍ୟୁଜ୍): ଅଧ୍ୟକ୍ଷାଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ସ୍କୁଲରୁ ପାଦ କାଢ଼ିଛନ୍ତି ଛାତ୍ର । ୧୦ କିମି ଚାଲି ଜିଲ୍ଲାପାଳଙ୍କ ନିକଟକୁ ଯିବା ବାଟରେ ଆନ୍ଦୋଳନରତ ଛାତ୍ରଙ୍କୁ ଉଠାଇ ଆଣିଲା ପୁଲିସ । ପରେ ପୁଲିସ ସେମାନଙ୍କୁ ଗାଡ଼ିରେ ବସାଇ ନୂଆପଡ଼ା ଆଣିଥିଲା । ପରେ ପିଲାମାନେ ଜିଲ୍ଲାପାଳ, ଏସ୍ପିଙ୍କୁ ଭେଟି ନିଜର ଦୁଃଖ ଜଣାଇଥିଲେ । ସମସ୍ତ ସମସ୍ୟାର ସମାଧାନ କରିବାକୁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେବାରୁ ଛାତ୍ରମାନେ ଫେରଥିଲେ । ଏଭଳି ଏକ ଘଟଣାକୁ ନେଇ ଆଜି ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ତରବୋଡ଼ ଜବାହର ନବୋଦୟ ବିଦ୍ୟାଳୟ ଚାପା ଉତ୍ତେଜନା ଲାଗି ରହିଥିଲା ।
ତରବୋଡ଼ ଜବାହର ନବୋଦୟ ବିଦ୍ୟାଳୟରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୫ ଶହରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏଥିରେ ଏକାଦଶ ଓ ଦ୍ୱାଦଶରେ କଳା ଓ ବିଜ୍ଞାନ ଛାତ୍ରଛାତ୍ରୀ ରହିଛନ୍ତି । ସ୍କୁଲରେ ଅଧ୍ୟକ୍ଷା ମନମୁଖି କାର୍ଯ୍ୟ କରିବା ସହ ପିଲାଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ପୂର୍ବାହ୍ନ ପ୍ରାୟ ୮ ଟାରେ ସ୍କୁଲରେ ଏକାଦଶ ଶ୍ରେଣୀର ୪୫ ଜଣ ପିଲା ଜିଲ୍ଲାପାଳଙ୍କ ନିକଟକୁ ଯାଇ ତାଙ୍କର ଦୁଃଖ ଜଣାଇବାକୁ ସ୍ଥିର କରିଥିଲେ । ଶିକ୍ଷକଙ୍କ ବାରଣ ସତ୍ତେ୍ୱ ସ୍କୁଲ ଗେଟ୍ ଖୋଲି ପିଲା ବାହାରକୁ ପାଦ କାଢ଼ିଥିଲେ । ସେଠାରୁ ଜାତୀୟ ରାଜପଥ ୩୫୩ ଉପରେ ଚାଲି ଚାଲି ନୂଆପଡ଼ା ଅଭିମୁଖେ ବାହାରିଥିଲେ । ସ୍କୁଲ ଶିକ୍ଷକମାନେ ତାଙ୍କ ପିଛା କରି ବୁଝା ସୁଝା କରିବାକୁ ବହୁ ଚେଷ୍ଟା କରିଥିଲେ । ହେଲେ ପିଲାମାନେ ଜିଦ୍ରେ ଅଟଳ ରହି ରାଜପଥ ଉପରେ ଦୌଡ଼ି ଆଗକୁ ମାଡ଼ି ଚାଲିଥିଲେ । ୧୦ କିମି ଅତିକ୍ରମ କରି ଦଲଦଲି ନିକଟରେ ପିଲାମାନେ ବିଶ୍ରାମ ନେଇଥିବାବେଳେ ତରବୋଡ଼ ଫାଣ୍ଡି ଅଧିକାରୀ ଲଛିନ୍ଦ୍ର ଚଲାନ ଘଟଣାସ୍ଥଳରେ ପହଞ୍ଚି ସୋମନଙ୍କୁ ବୁଝାସୁଝା କରିଥିଲେ । ତଥାପି ସେମାନେ ଜିଦରେ ଅଡ଼ି ବସିଥିଲେ । ସେଠାରୁ ପିଲାଙ୍କୁ ଚାଲି ଯିବାକୁ ପୁଲିସ ମନା କରିଥିଲେ । ପରେ ପିଲାଙ୍କୁ ପୁଲିସ ନୂଆପଡ଼ା ଆଣିଥିଲା । ଖବର ପାଇ ଏସ୍ଡିପିଓ ପ୍ରଶାନ୍ତ ପଟ୍ଟନାୟକ, ସଦର ଆଇଆଇସି ଆଦିତ୍ୟ ମହାକୁଡ଼ ପହଞ୍ଚି ପିଲାଙ୍କୁ ବୁଝା ସୁଝା କରିଥିଲେ । ସେଠାରୁ ପିଲାମାନେ ପୁଣି ଚାଲି ଚାଲି ଜିଲ୍ଲାପାଳଙ୍କ ଅଫିସକୁ ଯାଇଥିଲେ । ଛାତ୍ରଙ୍କ ସମସ୍ୟାର ସମାଧାନ ପାଇଁ ସ୍ୱତନ୍ତ୍ର ଭାବେ ଜିଲ୍ଲାପାଳ ମଧୁସ୍ମିତା ସାହୁ, ଏସ୍ପି ସ୍ମିତ ପି ପରମାରଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଠାରେ ସ୍କୁଲ ଅଧ୍ୟକ୍ଷା ଓ ଶିକ୍ଷକମାନେ ଯୋଗ ଦେଇଥିଲେ । ପ୍ରାୟ ଘଣ୍ଟାକର ରୁଦ୍ଧଦ୍ୱାର ବୈଠକ ହୋଇଥିଲା । ଏଥିରେ ସେମାନେ ଅଭିଯୋଗ କରିଥିଲେ, ସ୍କୁଲ ଅଧ୍ୟକ୍ଷା ନିଜର ମନମୁଖି କାର୍ଯ୍ୟ ଚଳାଇ ଆସୁଛନ୍ତି । ଏହାକୁ ପ୍ରତିବାଦ କଲେ ଛାତ୍ରଛାତ୍ରୀଙ୍କୁ ମାନସିକ ନିର୍ଯ୍ୟାତନା ଦେଉଛନ୍ତି । ସ୍କୁଲରେ ଜଣେ ଅସ୍ଥାୟୀ କେମିଷ୍ଟ୍ରି ଶିକ୍ଷକ ନିଯୁକ୍ତ ଅଛନ୍ତି । ସେ ପିଲାଙ୍କୁ ଠିକ ଭାବେ ପାଠ ପଢ଼ାଇ ପାରୁନଥିବାରୁ ଶିକ୍ଷାଦାନରେ ବାଧାପ୍ରାପ୍ତ ହେଉଛି । ଅସ୍ଥାୟୀ ଶିକ୍ଷକଙ୍କୁ ବଦଳି କରି ଜଣେ ସ୍ଥାୟୀ ଶିକ୍ଷକ ନିଯୁକ୍ତ କରିବାକୁ ଦାବି କରିଥିଲେ । ସେହିପରି ସ୍କୁଲରେ ପିଲାଙ୍କୁ ସଠିକ ଭାବେ ଖାଇବା ଦିଆ ଯାଉନାହିଁ । ପିଲାଙ୍କୁ ନିମ୍ନମାନର ଭୋଜନ ପ୍ରଦାନ କରୁଛନ୍ତି ବୋଲି ପିଲାମାନେ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଥିଲେ । ଶେଷରେ ପିଲାଙ୍କୁ ବୁଝାଇ ସୁଝାଇ ସ୍କୁଲକୁ ଫେରାଇ ଦେଇଥିଲେ । ଏନେଇ ସ୍କୁଲ ଅଧ୍ୟକ୍ଷାଙ୍କୁ ପଚାରିବାରୁ କହିଛନ୍ତି, ପିଲାମାନେ ନୂଆଖାଇ ପାଇଁ ଛୁଟି ଦାବି କରିଥିଲେ । ନବୋଦୟ ସ୍କୁଲରେ ନୂଆଁଖାଇ ଛୁଟିର ବ୍ୟବସ୍ଥା ନାହିଁ । ଏଣୁ ପିଲାମାନେ ଉତ୍କ୍ଷିପ୍ତ ହୋଇ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି କହିଥିଲେ । ଘଟଣା ସମ୍ପର୍କରେ ଜିଲ୍ଲାପାଳ ମଧୁସ୍ମିତା ସାହୁ ମଧ୍ୟ ସ୍ୱୀକାର କରିଛନ୍ତି । ସ୍କୁଲ ଅଧ୍ୟକ୍ଷାଙ୍କ ମନମୁଖି କାର୍ଯ୍ୟ ଅଭିଯୋଗ କରି ପିଲାମାନେ ଆସିଥିଲେ । ତାଙ୍କୁ ବୁଝାଇ ସୁଝାଇ ସ୍କୁଲ ପଠାଇ ଦିଆଯାଇଛି । ଆଗାମୀ ଦିନରେ ମୁଁ ନିଜେ ସ୍କୁଲକୁ ଯାଇ ସମସ୍ୟାର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବି ବୋଲି ଜିଲ୍ଲାପାଳ କହିଥିଲେ ।
Comments are closed, but trackbacks and pingbacks are open.