
ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ନବରଙ୍ଗପୁର ଜିଲ୍ଲାରେ ପ୍ରଥମଥର ପାଇଁ କଳାଧାନ ଚାଷ ହୋଇଛି । ଉମରକୋଟ ପୌରାଞ୍ଚଳ ଅନ୍ତର୍ଗତ ନୂଆଗୁଡ଼ା ଗାଁର ଚାଷୀ ମୂରଲୀଧର ଭତ୍ରା କଳାଧାନ ଚାଷ କରି ଜିଲ୍ଲାରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରଛନ୍ତି । ଚାଷୀକୁଳ ପାଇଁ ସେ ଉଦାହରଣ ସାଜିଛନ୍ତି ।
ମୂରଲୀଙ୍କ ପରିବାର ଏକ ଚାଷୀ ପରିବାର ଭାବେ ପରିଚିତ । ପୂର୍ବ ପୁରୁଷଙ୍କ ଅମଳରୁ ବିଭିନ୍ନ କିସମର ଧାନ ବିହନ ସଂଗ୍ରହ କରି ଚାଷ କରି ଆସୁଛନ୍ତି । କଳାଧାନର ଉପକାରିତା ଏବଂ ଏହି ଧାନରୁ ଯେଉଁ ଚାଉଳ ବାହାରେ ସେଥିରେ ଥିବା ଭିଟାମିନ୍ ବିଷୟରେ ସେ ସୋସିଆଲ ମିଡିଆରୁ ଜାଣିପାରିଥିଲେ । ଏହି ଫସଲ ସାଧାରଣତଃ ଏହି ଅଞ୍ଚଳରେ କେହି ଚାଷ କରି ନ ଥିଲେ । ମୂରଲୀ ପ୍ରଥମକରି ଗତବର୍ଷ ଅଳ୍ପ ଜମିରେ କଳାଧାନ ଚାଷ କରିଥିଲେ । ଚଳିତ ବର୍ଷ ୫ ଏକର ଜମିରେ ଚାଷ କରିଛନ୍ତି । ଏହି ଧାନଚାଷର ବିଶେଷତ୍ୱ ହେଲା ଏଥିରେ କୌଣସି ରାସାୟନିକ ସାର କିମ୍ବା ଔଷଧ ବ୍ୟବହାର କରାଯାଇ ନ ଥାଏ । ସମ୍ପୂର୍ଣ୍ଣ ଅର୍ଗାନିକ୍ ମାଧ୍ୟମରେ ତିଆରି କୀଟନାଶକ ଔଷଧ ଓ ସାର ବ୍ୟବହାର କରିଛନ୍ତି । ଅର୍ଗାନିକ୍ ସାର ସହ ନିମ୍ବ, କରଞ୍ଜ, ଅରଖ, ଗୋବର, ଦୁଦୁରା, ଗୋମୂତ୍ରରେ ନିଜେ ପିଡ଼ିଆ ପ୍ରସ୍ତୁତ କରି ତାହାକୁ ଜମିରେ ବ୍ୟବହାର କରିଛନ୍ତି । ଏହି ବିହନ ସେ ଅନଲାଇନ୍ ସାଇଟ୍ ଆମାଜନରୁ କିଣିଛନ୍ତି । ଏହି ଫସଲ ଅନ୍ୟ ଧାନ ଭଳି ୧୪୦ରୁ ୧୫୦ ଦିନରେ ଅମଳ ହୁଏ । ଏକର ପିଛା ୧୦ କୁଇଣ୍ଟାଲ ଧାନ ଅମଳ ହୁଏ । ଏହାର ଚାହିଦା ବହୁତ ଅଧିକ । ଧାନରୁ ଯେଉଁଁ ଚାଉଳ ବାହାରେ ତାହା ରକ୍ତଶର୍କରା ରୋଗୀଙ୍କ ପାଇଁ ଉଦ୍ଧିଷ୍ଟ । ଏହାବ୍ୟତୀତ ଏହି ଚାଉଳରେ ୧୧ ପ୍ରକାର ଉପକାରିତା ରହିଛି । ଏହି ଚାଉଳ ଓ ଧାନ କିଣିବା ପାଇଁ ବିଭିନ୍ନ କମ୍ପାନୀ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି । ସମସ୍ତ ଚାଷୀଙ୍କୁ ମୂରଲୀ ଅନୁରୋଧ କରି କହିଛନ୍ତି ଯେ, କଳାଧାନ ଚାଷ କରନ୍ତୁ । ଏହା ମାନବ ସମାଜ ପାଇଁ ବହୁ ଉପଯୋଗୀ । ବର୍ତ୍ତମାନ ଯେଉଁ ଧାନ ଅମଳ କରିଛନ୍ତି ତାହାକୁ ଇଣ୍ଡିଆ ମାର୍ଟରେ ବିକ୍ରି କରିବା ପାଇଁ କମ୍ପାନୀ ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛନ୍ତି ।
ଏ ବିଷୟରେ ଉମରକୋଟ କୃଷି ଅଧିକାରୀ ବିଦୁଭୂଷଣ ମହାକୁଲଙ୍କୁ ପଚାରିବାରୁ କହିଛନ୍ତି, ଏହି ଧାନରୁ ଯେଉଁ ଚାଉଳ ବାହାରେ ତାହା ସାଧାରଣତଃ କଳା ଏବଂ ମଣିଷର ସ୍ୱାସ୍ଥ୍ୟ ପ୍ରତି ଅତି ଲାଭଦାୟକ । ଏହି ଚାଉଳ ରକ୍ତଶର୍କରା ରୋଗୀଙ୍କ ପାଇଁ ବହୁତ ଭଲ । ଚାଷୀ ଯଦି ଏହାକୁ ଚାଷ କରନ୍ତି, ତା’ହେଲେ ସେମାନେ ମଧ୍ୟ ଲାଭବାନ ହୋଇପାରିବେ । ଏହିଭଳି କଳାଧାନ ଆମ ଅଞ୍ଚଳରେ କେହି କରି ନ ଥିଲେ । ମୂରଲୀ ପ୍ରଥମ କରି ଚାଷ କରିଛନ୍ତି । ଯଦି କିଛି ଚାଷୀ ଆମ ସହ ଯୋଗାଯୋଗ କରନ୍ତି, ତେବେ ମୁଁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବି । ଯଥା ସମ୍ଭବ ସହାୟତା କରାଯିବ । ନିଶ୍ଚିତ ଭାବେ ମୂରଲୀ ଅନ୍ୟ ଚାଷୀଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛନ୍ତି ।
Comments are closed, but trackbacks and pingbacks are open.