କୋରାପୁଟ,(ବି.ବି.ନୁ୍ୟଜ୍): ବିବାଦୀୟ କୋଟିଆ ପଞ୍ଚାୟତରେ କରୋନା ପଶିଛି । ବୁଧବାର ପୁଣି ୪ଜଣ ଯୋଦ୍ଧାଙ୍କ ସହିତ ୭୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ କୋଟିଆ ପଞ୍ଚାୟତର ୨ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତଳଗଞ୍ଜେଇପଦର ଗାଁର ଜଣେ ଓ ଉପରଗଞ୍ଜେଇପଦର ଗାଁର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବୁଧବାର ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟ ୧୩୮୬ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ମଙ୍ଗଳବାର ସୁଦ୍ଧା ୮୧୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସଂକ୍ରମଣ ବଢ଼ୁଥିବାରୁ ଅଧିକ ସ୍ୱାବ ପରୀକ୍ଷାକୁ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇଥିବା ଜିଲ୍ଲାପାଳ ମଧୁସୂଦନ ମିଶ୍ର କହିଛନ୍ତି ।
ବୁଧବାର ଆକ୍ରାନ୍ତଙ୍କ ମଧ୍ୟରେ ୫୧ଜଣ ପୁରୁଷ ଓ ୨୬ଜଣ ମହିଳା ଅଛନ୍ତି । ସେମାନଙ୍କ ମଧ୍ୟରେ ୪ଜଣ ଯୋଦ୍ଧା ଅଛନ୍ତି । ପୂର୍ବ ପଜିଟିଭଙ୍କ ସଂସ୍ପର୍ଶରେ ଆସି ୪୪ଜଣ ଆକ୍ରାନ୍ତ ହୋଇଥିବା ବେଳେ କଣ୍ଟେନମେଣ୍ଟ ଜୋନରୁ ୨୯ଜଣ ଓ ଟିଏମସିରୁ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୯ ଜଣ ଆକ୍ରାନ୍ତଙ୍କ ଗସ୍ତ ସମ୍ପର୍କିତ ସୂଚନା ରହିଛି । ସେମାନଙ୍କ ମଧ୍ୟରେ ୪ଜଣ ଆନ୍ଧ୍ର ଫେରନ୍ତା, ୪ଜଣ ଗଞ୍ଜାମ ଓ ଜଣେ ବାଲେଶ୍ୱର ଫେରନ୍ତା ଅଛନ୍ତି । ଆଜି ନାରାୟଣପାଟଣା ବ୍ଲକ ବାଉରୀସାହିରୁ ୧୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବନ୍ଧୁଗାଁ ବ୍ଲକରୁ ୨ଜଣ ଚିହ୍ନଟ ହୋଇଛନ୍ତି । ବୈପାରିଗୁଡ଼ା ବ୍ଲକର ଚିକିମା, ରାଙ୍ଗିନୀଗୁଡ଼ା ଓ କୁରୁକୁଟି ଗାଁରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବୋରିଗୁମ୍ମା ବ୍ଲକର ପୂର୍ଣ୍ଣିଗୁଡ଼ା ଗାଁର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟ ପୌରାଞ୍ଚଳର ୧୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ମାଳି ସାହି ୪ର୍ଥ ଲାଇନରୁ ୨, ବନଭାରତୀ କଲୋନିରୁ ୪, ପୂଜାରୀପୁଟର ଜଣେ, ପୋଷ୍ଟଅଫିସ ରୋଡ଼ର ଜଣେ, ଅମଲାକୁଟୀର ରୋଡ଼ରୁ ଜଣେ, ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜନ ଓ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଢେ଼ପ ସାହିର ଜଣେ, ଡିଏନକେ କଲୋନିର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋରାପୁଟ ବ୍ଲକ ଦାମନଯୋଡ଼ି ଟିଏମସିରୁ ୨ଜଣ ଚିହ୍ନଟ ହୋଇଥିବା ବେଳେ କୁନ୍ଦୁରା ବ୍ଲକ ଗୁଣ୍ଡାଲ ଗାଁରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଲକ୍ଷ୍ମୀପୁର ବ୍ଲକ ଏନଏସିଡ଼ି ସାହିରୁ ଜଣେ ହରିଜନ ସାହିରୁ ଜଣେ, ପଣ୍ଡକାପଦର ଗାଁରୁ ଜଣେ ଚିହ୍ନଟ ହୋଇଛନ୍ତି । ସେମିଳିଗୁଡ଼ା ବ୍ଲକ ଭେଜାପୁଟ ଓ ସେମିଳିଗୁଡ଼ା ଉପର ସାହିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସୁନାବେଡ଼ା ପୌରାଞ୍ଚଳ ଶାନ୍ତି ନଗରରୁ ୨ଜଣ, ହାଲ୍ ଅଞ୍ଚଳରୁ ୨ଜଣ ଓ ଜଣେ ଓସିସିନଗରରୁ ଚିହ୍ନଟ ହୋଇଛନ୍ତି । ଜୟପୁର ପୌରାଞ୍ଚଳ ଓ ବ୍ଲକ ଅଞ୍ଚଳରୁ ମୋଟ ୩୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜେଲ କଲୋନିରୁ ସର୍ବାଧିକ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମ୍ପୃକ୍ତ ଚିହ୍ନଟ ଅଞ୍ଚଳକୁ କ୍ୱାରେଣ୍ଟାଇନ୍ ଘୋଷଣା କରାଯାଇଛି । ଅଯଥାରେ ହାଟ ବଜାରରେ ବୁଲା ବୁଲି ନକରିବା, ବାହାରକୁ ଗଲେ ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ନିବେଦନ କରାଯାଇଛି । ସୂଚନା ଯୋଗ୍ୟ ଯେ, କୋଟିଆ ଅଞ୍ଚଳକୁ ଆନ୍ଧ୍ର ବ୍ୟବସାୟୀଙ୍କ ଆତଜାତ ରହିଛି । ଆନ୍ଧ୍ର ବ୍ୟବସାୟୀମାନେ ବିଭିନ୍ନ ସାମଗ୍ରୀ ବାଇକ୍ରେ ଆଣି କୋଟିଆ ଅଞ୍ଚଳରେ ଅବାଧରେ ବିକ୍ରିବଟା କରି ଆସୁଛନ୍ତି । ଏଦିଗରେ ପ୍ରଶାସନ ସଜାଗ ହେବାକୁ ପଡ଼ିବ । ନହଲେ ଅଞ୍ଚଳରେ ସଂକ୍ରମଣ ବଢ଼ିବା ଆଶଙ୍କା ଏଡ଼ାଇ ଦେଇ ହେବ ନାହିଁ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି ।


Comments are closed, but trackbacks and pingbacks are open.