ଭୁବନେଶ୍ୱର,(ବି.ବି.ବୁ୍ୟରୋ): କମିଶନରେଟ ପୁଲିସ ଦ୍ୱାରା ଚାଲିଥିବା ରକ୍ତ ସଂଗ୍ରହ ଅଭିଯାନ ‘ଜୀବନ ଆଲୋକ’ର ବାର୍ଷିକ ସାଧାରଣ ଅଧିବେଶନ ଆଜି କମିଶନରେଟ ପୁଲିସ ମୁଖ୍ୟାଳୟରେ ଆୟୋଜିତ ହୋଇଯାଇଛି । ଏହି ମହତ ଅଭିଯାନରେ ସହଯୋଗର ହାତ ବଢ଼ାଇଥିବା ୬୯ଟି ସଂଗଠନକୁ ପୁଲିସ ପକ୍ଷରୁ ସମ୍ମାନିତ କରାଯାଇଛି ।
ପୁଲିସ କମିଶନର(ସିପି) ଡ. ସୁଧାଂଶୁ ଷଡ଼ଙ୍ଗୀ ସମାରୋହର ଅଧ୍ୟକ୍ଷତା କରିଥିଲେ । ସଂଗଠନର କର୍ମକର୍ତ୍ତାଙ୍କ ଉଦେ୍ଧଶ୍ୟରେ ଡ. ଷଡ଼ଙ୍ଗୀ କହିଥିଲେ, ରକ୍ତଦାନ ଏକ ମହତ୍ କାର୍ଯ୍ୟ । ଆମ ଅଭିଯାନରେ ଯୋଗଦେଇ ଏହି କାର୍ଯ୍ୟକୁ ଆଗେଇ ନେଇଥିବାରୁ ଅଶେଷ ଧନ୍ୟବାଦ । ଆଗକୁ ଆହୁରି ସଂଗଠନ ଏହି ଅଭିଯାନରେ ଯୋଡି ହେବାକୁ ସେ ଆହ୍ୱାନ ଦେଇଥିଲେ । ଅତିରିକ୍ତ ପୁଲିସ କମିଶନର ସଞ୍ଜୟ ସିଂହ, ଭୁବନେଶ୍ୱର ଡିସିପି ଅନୁପ ସାହୁ, କଟକ ଡିସିପି ଅଖିଳେଶ୍ୱର ସିଂ, ଟ୍ରାଫିକ୍ ଡିସିପି ସାଗରିକା ନାଥ ପ୍ରମୁଖ ସମାରୋହରେ ଉପସ୍ଥିତ ଥିଲେ । କଟକ ଭୁବନେଶ୍ୱରର ୪ଟି ବ୍ଲଡ ବ୍ୟାଙ୍କର ନୋଡଲ ଅଫିସରଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଏସିପି ଲଳିତେନ୍ଦୁ ମହାନ୍ତି ସମାରୋହର ପରିଚାଳନା ଦାୟିତ୍ୱ ନେଇଥିଲେ । ଶ୍ରୀ ମହାନ୍ତି ଏହି ଅଭିଯାନର ନୋଡାଲ ଅଫିସର ସହ ଯୁଗ୍ମ ସଚିବ ଅଛନ୍ତି । ତାଙ୍କ ନେତୃତ୍ୱରେ ଚଳିତବର୍ଷ ମୋଟ ୬୯ଟି ରକ୍ତଦାନ ଶିବିର ଆୟୋଜିତ ହୋଇଛି । ଯେଉଁଥିରୁ ଏପର୍ଯ୍ୟନ୍ତ ସର୍ବମୋଟ ୫୭୫୯ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି ।
Comments are closed, but trackbacks and pingbacks are open.