ଜୟପୁର,(ବି.ବି.ନ୍ୟୁଜ୍): ଦୀର୍ଘ ଏକମାସ ପରେ ଘରକୁ ଫେରିଲେ ଆରତୀ । ପରିବାର ଲୋକ, ବନ୍ଧୁବାନ୍ଧବ ଖୋଜାଖୋଜି କରି ହୋଇଥିଲେ ନୟାନ୍ତ । ଖାଲି ସମ୍ପର୍କୀୟ ନୁହେଁ ଅଭିଯୋଗ ପରେ ପୁଲିସ ମଧ୍ୟ କରିଥିଲା ତଲାସୀ । ସୋସିଆଲ ମିଡିଆଠାରୁ ଆରମ୍ଭ କରି ବିଭିନ୍ନ ଗଣମାଧ୍ୟମରେ ତାଙ୍କ ନିଖୋଜ ଖବର ହୋଇଥିବା ପ୍ରଚାର । ଏହାସତ୍ତେ୍ୱ ତାଙ୍କ ଟେର୍ ମିଳି ନଥିଲା । ବିଭିନ୍ନ ସମୟରେ ପରିବାର ଲୋକ ଫୋନ୍ ଓ ହ୍ୱାଟସଅପ୍ ଜରିଆରେ ମଧ୍ୟ ତାଙ୍କ ପତ୍ତା ଲଗାଇବାକୁ କରିଥିଲେ ଉଦ୍ୟମ । ଦୀର୍ଘ ଦିନ ପର୍ଯର୍୍ୟନ୍ତ ତାଙ୍କ ଖୋଜଖବର ନମିଳିବାରୁ ପୁଲିସର କାର୍ଯ୍ୟାନୁଷ୍ଠାନ ଉପରେ ମଧ୍ୟ ଅଙ୍ଗୁଳି ଉଠିଥିଲା । ଶେଷରେ ସମସ୍ତ କଳ୍ପନାଜଳ୍ପନାରେ ଯବନିକା ପକାଇ ରବିବାର ଘରକୁ ଫେରିଛନ୍ତି ପୂର୍ବତନ କାଉନସିଲର ତଥା ଆଇନଜୀବୀ ଆରତୀ ମିଶ୍ର । ଜଗନ୍ନାଥଙ୍କ ନିର୍ଦ୍ଦେଶ ଅନୁସାରେ ସେ ଘରକୁ ଫେରିଥିବା କହିଥିବା ବେଳେ ତାଙ୍କ ଘରେ ଏବେ ଖୁସିର ଲହରୀ ଖେଳିଯାଇଛି । ତାଙ୍କ ସ୍ୱାମୀ ମନୋଜ ମିଶ୍ର, ପୁଅ ଓ ଝିଅ ବେଶି ଖୁସି ହୋଇଛନ୍ତି । ଜୟନଗରସ୍ଥିତ ନିଜ ଘରେ ପହଞ୍ଚିବା ପରେ ପରିବାର ଲୋକଙ୍କୁ ପାଇ ଭାବବିହ୍ୱଳ ହୋଇଉଠିଥିଲେ ଆରତୀ । ସ୍ୱାମୀ ଦୁଇ ଝିଅ ପୁଅଙ୍କୁ ପାଇ ଅତ୍ୟନ୍ତ ଖୁସି ହୋଇଥିଲେ ।
ଏହି ଅବସରରେ ଆରତୀ କହିଛନ୍ତି, ଗତ ଦେଢ ବର୍ଷ ହେଲା ମାନସିକ ଦୁଶ୍ଚିନ୍ତାରେ ଥିଲେ । ଘରୁ ଚୋରି ହେବା ଏବଂ ପୁଅ ଦୁର୍ଘଟଣାରେ ଗୁରୁତର ହେବା ଘଟଣା ତାଙ୍କ ମନୋବଳକୁ ଭାଙ୍ଗି ଦେଇଥିଲା । ଆତ୍ମହତ୍ୟା କରିବା ଏକମାତ୍ର ବାଟ ସ୍ଥିର କରି ସେ ଜୟପୁର ଛାଡିଥିଲେ । ତେବେ ତା ପୂର୍ବରୁ ଥରେ କାଳିଆ ଦର୍ଶନ କରିବେ ବୋଲି ନିଷ୍ପତ୍ତି ନେଇଥିଲେ । ପୁରୀରେ ପହଞ୍ଚି ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ଆଧ୍ୟାତ୍ମିକ ଦିଗ ପ୍ରତି ଆକର୍ଷିତ ହୋଇଥିଲେ । ଆତ୍ମହତ୍ୟା କରିବା ନିଷ୍ପତ୍ତିରୁ ଓହରି ଆଧ୍ୟାତ୍ମିକ ଦିଗ ପ୍ରତି ମନ ବଳାଇଥିଲେ । ପରେ ପୁରୀରେ ଅଶ୍ୱଗନ୍ଧା ନିବାସରେ ଜଣେ ବୃଦ୍ଧାଙ୍କ ପାଖରେ ସେ ରହିଥିଲେ । ପ୍ରତିଦିନ ସକାଳୁ ନିତ୍ୟକର୍ମ ସାରି କାଳିଆ ଦର୍ଶନ କରୁଥିଲେ । ଭାଗବତ ପାଠ, ଜପତପ କରୁଥିଲେ । ଅପରାହ୍ଣରେ ଯାଉଥିଲେ ସମୁଦ୍ରକୂଳ । ଏହା ତାଙ୍କ ନିତିଦିନିଆ କାମ ପାଲଟି ଯାଇଥିଲା । ଜଗନ୍ନାଥଙ୍କୁ ପ୍ରତିଦିନ ଦର୍ଶନ କରି ଆତ୍ମତୃପ୍ତି ଲଭୁଥିଲେ । ତେବେ ମହାପ୍ରଭୁ ତାଙ୍କୁ ପରିବାର ପାଖକୁ ଫେରିଯିବାକୁ ନିର୍ଦ୍ଦେଶ ଦେଇଥିଲେ । ସନ୍ନ୍ୟାସିନୀ ହେବା ଅପେକ୍ଷା ଘରକୁ ଫେରିଯାଇ ଅପେକ୍ଷା କରି ରହିଥିବା ପୁଅ, ଝିଅ ଓ ସ୍ୱାମୀଙ୍କୁ ତାଙ୍କର ଆବଶ୍ୟକ ରହିଥିବା କହିଥିଲେ । ଏଥିରେ ତାଙ୍କ ମନ ପରିବର୍ତ୍ତନ ହୋଇଥିଲା । ଏକ ମାସ ପୁରୀରେ ରହି ଘରକୁ ଫେରିବେ ବୋଲି ନିଷ୍ପତ୍ତି ନେଇଥିଲେ ।
ଆରତୀ ଘରକୁ ଫେରିବା ପରେ ସ୍ୱାମୀ ମନୋଜ କହିଛନ୍ତି, ପୁଅର ଦୁର୍ଘଟଣା ପରେ ଘରେ ଅଶାନ୍ତି ଦେଖା ଦେଇଥିଲା । ପୁଅର ଚିକିତ୍ସାରେ ସେ ବ୍ୟସ୍ତଥିବାବେଳେ ଆରତୀ ଠାକୁରଙ୍କୁ ଆକୂଳ ହୋଇ ପୂଜା କରୁଥିଲେ । ଏହା ଆରତୀଙ୍କୁ ଆଧ୍ୟାତ୍ମିକ ଦିଗରେ ଯିବାକୁ ପ୍ରେରଣା ଦେଇଥିଲା । ତେବେ ଆରତୀଙ୍କ ଫେରିବା ଖବର ସେ ଜାଣି ନଥିଲେ । ବଜାର ଯାଇଥିବା ବେଳେ ଆରତୀ ଘରେ ପହଞ୍ଚିଥିବା ଖବର ପାଇଥିଲେ । ଏହା କହିବା ବେଳେ ତାଙ୍କ ଆଖି ଛଳଛଳ ହୋଇଯାଇଥିଲା ।
ସୂଚନାଯୋଗ୍ୟ, ଜୁଲାଇ ୮ ରେ ଜୟପୁର ଷ୍ଟେସନ୍ରୁ ହୀରାଖଣ୍ଡ ଏକ୍ସପ୍ରେସ୍ରେ ଭୁବନେଶ୍ୱର ଯାତ୍ରା କରିଥିଲେ ଆରତୀ । ସାଙ୍ଗରେ କେବଳ ଗୋଟିଏ ସୁଟ୍କେଶ୍ ନେଇଥିଲେ । ଦାନ୍ତ ଚିକିତ୍ସା ପାଇଁ ଭୁବନେଶ୍ୱରରେ ରହୁଥିବା ଭଉଣୀ ଘରକୁ ଯାଉଥିବା ଘରେ କହିଥିଲେ । ସ୍ୱାମୀ ମନୋଜ ତାଙ୍କୁ ନେଇ ଷ୍ଟେସନରେ ଛାଡି ଆସିଥିଲେ । ଟ୍ରେନ୍ରେ ଆରତୀ ଜଣେ ସମ୍ପର୍କୀୟଙ୍କୁ ଭେଟିଥିଲେ । ଦୁହେଁ ସାଥୀ ହୋଇ ଯାଉଥିବା ବେଳେ ଭୋର୍ ପ୍ରାୟ ୫ଟା ରେ ଆରତୀ କମ୍ପାଟମେଣ୍ଟରେ ନଥିବା ସମ୍ପର୍କୀୟ ଜାଣିଥିଲେ । ରାତି ପ୍ରାୟ ୩ଟା ରେ କୌଣସି ଏକ ଷ୍ଟେସନ୍ରେ ଆରତୀ ଓହ୍ଲାଇ ପଡିଥିବା ଅନ୍ୟ ଯାତ୍ରୀମାନେ କହିଥିଲେ । ଏଣେ ଟ୍ରେନରୁ ଆରତୀଙ୍କୁ ରିସିଭ୍ କରିବାକୁ ତାଙ୍କ ଭଉଣୀ ଆସି ନିରାଶ ହୋଇଥିଲେ । ଆରତୀ କୁଆଡେ ଗଲେ ବୋଲି ତାଙ୍କ ସ୍ୱାମୀ ମନୋଜଙ୍କୁ ଫୋନ୍ରେ ପଚାରିଥିଲେ । ଏହା ପରଠାରୁ ସମସ୍ତଙ୍କ ଚିନ୍ତା ବଢି ଯାଇଥିଲା । ଅନ୍ୟ ପକ୍ଷରେ ଆରତୀଙ୍କ ଘରୁ ଏକ ସୁଇସାଇଡ ନୋଟ୍ ମିଳିଥିଲା । ଯେଉଁଥିରେ ସେ ପୁରୀକୁ ଯାଇ ମହୋଦଧିରେ ଆତ୍ମହତ୍ୟା କରିବେ ବୋଲି ଲେଖିଥିଲେ । ଏହା ବ୍ୟତୀତ ପୂର୍ବରୁ ଆରତୀ ମାଉଣ୍ଟଆବୁ ଚାଲିଯିବାକୁ କହୁଥିଲେ । ଏହିସବୁକୁ କେନ୍ଦ୍ର କରି ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ସହ ବିଭିନ୍ନ ଅନୁଷ୍ଠାନ ବୁଲି ପଚରାଉଚରା କରିଥିଲେ । ସବୁଠାରୁ ନିରାଶ ହୋଇ ଟାଉନ ଥାନାରେ ଏକ ନିଖୋଜ ମାମଲା ଦାୟର କରିଥିଲେ । ଏହା ବ୍ୟତୀତ ମନୋଜ ଓ ସମ୍ପର୍କୀୟମାନେ ପୁରୀ, ଭୁବନେଶ୍ୱର ଏବଂ ବ୍ରହ୍ମପୁରର ବିଭିନ୍ନ ମଠ ଓ ଆଶ୍ରମ ଖୋଜାଖୋଜି କରିଥିଲେ । ହେଲେ ଆରତୀଙ୍କ ପତ୍ତା ମିଳି ନଥିଲା ।
Comments are closed, but trackbacks and pingbacks are open.