ବାରିପଦା, (ବି.ବି.ନୁ୍ୟଜ୍): କଥାରେ ଅଛି ଭୁରିଶ୍ରବା ପାଗ ବାନ୍ଧୁ ବାନ୍ଧୁ ଭାରତ ଯୁଦ୍ଧ ଶେଷ । ସେହିଭଳି ବନ ବିଭାଗର ଅହେତୁକ ବିଳମ୍ବ ଲାଗି ମୟୂରଭଞ୍ଜ ଜିଲ୍ଲାରେ ପୁଣି ଏକ ଅଢେଇ ବର୍ଷର ହାତୀ ଛୁଆର ଜୀବନ ଅକାଳରେ ଝରିପଡିଥିବା ଅଭିଯୋଗ ହୋଇଛି । ହାତୀ ଭଳି ବୃହତକାୟ ଜୀବକୁ ବଞ୍ଚାଇ ରଖିବାକୁ ସରକାର ବିଭିନ୍ନ ପ୍ରକାର ଉଦ୍ୟମ କରୁଥିଲେ ମଧ୍ୟ ଏଠାରେ ହାତୀଛୁଆଟିକୁ ବଞ୍ଚାଇବା ପାଇଁ ବନ ବିଭାଗ ପକ୍ଷରୁ ଚାଲିଥିବା ଉଦ୍ୟମ ଶେଷରେ ଫେଲ ମାରିଛି ।
ସୂଚନା ମୁତାବକ ଅସୁସ୍ଥ ହୋଇ ଜୀବନ ସହ ସଂଘର୍ଷ କରୁଥିବା ହାତୀ ଛୁଆଟିକୁ ରବିବାର ଦିନ ୧୧ଟାରେ ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ଭାଲିଆପଦାର ଠାରୁ ଉଦ୍ଧାର କରାଯାଇଥିଲା । ଏହି ଉଦ୍ଧାର କାର୍ଯ୍ୟରେ ବାରିପଦା ବନଖଣ୍ଡ ଅଧିକାରୀ ସ୍ୱୟମ ମଲ୍ଲିକ, ଏସିଏଫ୍ ଦିଲ୍ଲୀପ କୁମାର ବାରିକ, ବନବିଭାଗର ଭିଏଏସ ଡା ପିୟୁଷ ସୋରେନ, ମୋରଡା ଭିଏଏସ ଡା ସୁବାସ ଜେନା, ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ ଭାନୁମିତ୍ର ଆଚାର୍ଯ୍ୟଙ୍କ ସମେତ ବନ ବିଭାଗର କର୍ମଚାରୀମାନେ ସାମିଲ ଥିଲେ । ଖୁରୁଣ୍ଟିଆ ନିକଟବର୍ତ୍ତୀ ଭାଲିଆପଦାର ସ୍ଥିତ ଏକ ଚାଷ ଜମିରେ ପାଣିକାଦୁଅରେ ହାତୀ ଛୁଆଟି ଅବଶ ହୋଇ ଶୋଇରହିଥିବା ଅବସ୍ଥାରେ ବନ ବିଭାଗ ପକ୍ଷରୁ ଗାଁ ଲୋକଙ୍କ ସହାୟତାରେ ଉଦ୍ଧାର କରା ଯାଇଥିଲେ ସୁଦ୍ଧା ଅପରାହ୍ନ ୫ଟାରେ ହାତୀଛୁଆଟିର ପ୍ରାଣବାୟୁ ଉଡିଯାଇଛି ।
ସୂଚନା ଥାଉକି, ଗତ ୧୪ତାରିଖରୁ ଏହି ହାତୀଛୁଆଟି ଗୋଠ ଛଡା ହୋଇ ଯାଇ ଏଣେତେଣେ ଘୂରି ବୁଲୁଥିଲା । ଏକ ୨୦ଟିକିଆ ହାତୀପଲରେ ଏହି ହାତୀ ଛୁଆଟି ଥିବା ବେଳେ ଏହା ଅସୁସ୍ଥତା କାରଣରୁ ମା’ ହାତୀ ଗୋଠଛଡା କରି ଚାଲି ଯାଇଥିଲା ବୋଲି କୁହାଯାଉଛି । ତେବେ ଗତ ସପ୍ତାହେ ଧରି ଗୋଠଛଡା ହେବା ପରେ ହାତୀଛୁଆଟି ଖୁରୁଣ୍ଟିଆ ଗାଁ ନିକଟ ଭାଲିଆପଦାରେ ଘୂରି ବୁଲୁଥିଲା । ଏ ସଂପର୍କରେ ଗାଁ ଲୋକଙ୍କ ଠାରୁ ଖବର ପାଇ ବନ ବିଭାଗ ପକ୍ଷରୁ ନଜର ରଖାଯାଇଥିଲା । ମାତ୍ର ଗାଁ ଲୋକଙ୍କ କହିବା କଥା ହାତୀଛୁଆଟି ଉପରେ କେବଳ ନଜର ରଖିବା ଛଡା ବନ ବିଭାଗ ମୁର୍ମୂଷୁ ଅବସ୍ଥାରେ ଥିବା ହାତୀଛୁଆର ଚିକିତ୍ସା ପାଇଁ କିମ୍ବା ଖାଦ୍ୟପେୟର ବ୍ୟବସ୍ଥା କିଛି କରି ନଥିଲା । ଫଳରେ ହାତୀଛୁଆଟି ଶେଷରେ ଗତ କାଲି ଶନିବାର ଠାରୁ ଅବଶ ହେବା ପରେ ଏକ ବିଲରେ ପାଣି କାଦୁଅରେ ପଡି ରହିଥିଲା । ହାତୀଛୁଆଟି ଆଉ ସେଠାରୁ ନ ଉଠିବାରୁ ସ୍ଥାନୀୟ ଲୋକଙ୍କ ଗହଳି ବଢିବା ସହିତ ବନ ବିଭାଗର ଖାମଖିଆଲୀ ନୀତିକୁ ଦାୟୀ କରି ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା । ଶେଷରେ ବନ ବିଭାଗ ପକ୍ଷରୁ ରବିବାର ଦିନ ୧୧ଟାରେ ଗାଁ ଲୋକଙ୍କ ସହାୟତାରେ ହାତୀଛୁଆଟିକୁ ଉଦ୍ଧାର ପରେ ମୋରଡା ଅନ୍ତର୍ଗତ ବଳଦିଆ ଠାରେ ଥିବା ବନ ବିଭାଗର ନର୍ସରୀକୁ ନିଆଯାଇ ତାର ଚିକିତ୍ସା ଆରମ୍ଭ କରାଯାଇଥିଲା । ହାତୀଛୁଆଟିକୁ ଖାଦ୍ୟ ଦେବା ସହିତ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା ମଧ୍ୟ ଆରମ୍ଭ ହୋଇଥିଲା । ମାତ୍ର ଶେଷରେ ଅପରାହ୍ନ ୫ଟାରେ ହାତୀଛୁଆଟିିର ମୃତୁ୍ୟ ହୋଇ ଯାଇଥିଲା । ହାତୀଛୁଆକୁ ଜ୍ୱର ହେବା ସହିତ ହରପିକ୍ସ ହୋଇଥିବା ବିଶେଷଜ୍ଞ ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ । ତେବେ ଗତ ସପ୍ତାହେ ଧରି ଗୋଠ ଛଡା ହୋଇଥିବା ହାତୀଟି ମା’ କ୍ଷୀର ନ ପାଇବା ସହ ଖାଦ୍ୟାଭାବ ଏବଂ ଅସୁସ୍ଥତା ଯୋଗୁଁ ଶେଷରେ ମୃତୁ୍ୟ ହୋଇଥିବାରୁ ଏଥିପାଇଁ ସ୍ଥାନୀୟ ଲେକେ ବନ ବିଭାଗକୁ ସଂପୂର୍ଣ୍ଣଭାବେ ଦାୟୀ କରିଛନ୍ତି ।
Comments are closed, but trackbacks and pingbacks are open.