ବାସୁଦେବପୁର,(ବି.ବି.ନୁ୍ୟଜ୍): ବାସୁଦେବପୁର ମୁ୍ୟନିସିପାଲିଟି ଅନ୍ତର୍ଗତ ବାଷଠି ଗ୍ରାମର ଗୋବିନ୍ଦ ଷେଣ୍ଢଙ୍କ ପୁଅ ସୁମନ ଗୌରବ (୧୬) ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି । ଆଜି ସୁମନଙ୍କ ଜେଜେ ମା’ଙ୍କ ଦଶାହ କର୍ମ ଥିଲା । ପରିବାର ଲୋକଙ୍କ ସମେତ ଭାଇ ବନ୍ଧୁ କୁଟୁମ୍ବ ସେହି ଗାଁର ହୁରସା ପୋଖରୀ ଆଡ଼ିରେ ବସି କ୍ଷର ହେଉଥିଲେ । ସୁମନ ଓ ଦୁଇ ଜଣ ଭାଇ ସମ୍ପର୍କୀୟ ନଣ୍ଡା ହେବା ପରେ ଉକ୍ତ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ପୋଖରୀ ତୁଠରେ ସୁମନ ଗାଧୋଉ ଥିବା ବେଳେ ଅନ୍ୟ ଦୁଇ ଭାଇ ପୋଖରୀ ଆର ପାଖରେ ଛିଡା ହୋଇଥିଲେ । ସୁମନଙ୍କ ଗୋଡ ଖସିଯାଇଥିଲା । ଚାହୁଁ ଚାହୁଁ ସୁମନ ଉକ୍ତ ପୋଖରୀରେ ବୁଡ଼ି ଯାଇଥିଲେ । ଅନ୍ୟ ଦୁଇ ଭାଇ ଦୌଡ଼ି ଆସି ସୁମନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ । ସେମାନଙ୍କ ଚିକ୍ରାର ଶୁଣି ଗ୍ରାମବାସୀ ପୋଖରୀ ଭିତରୁ ସୁମନଙ୍କୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନା ନେଇଥିଲେ । ସେଠାରେ ଡାକ୍ତର ସୁମନଙ୍କୁ ମୃତୁ୍ୟ ଘୋଷଣା କରିଥିଲେ । ତାଙ୍କ ମୃତୁ୍ୟ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳର ଶୋକର ଛାୟା ଖେଳିଯାଇଥିଲା । ଖବରପାଇ ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ପ୍ରକାଶ ଥାଉକି, ସୁମନ ଚଳିତ ମାଟ୍ରିକ୍ ପରିକ୍ଷାରେ ଭଲ ନମ୍ବର ରଖି ପାସ କରିଥିବା ବେଳେ ସେ ବାଲେଶ୍ୱର ମହାବିଦ୍ୟାଳୟରେ ନାମ ଲେଖାଇଥିଲେ ।


Comments are closed, but trackbacks and pingbacks are open.