କଟକ,(ବି.ବି.ନ୍ୟୁଜ୍): ୩ ବର୍ଷ ୧୧ ମାସ ୧୪ ଦିନ ବନ୍ଦୀ ଜୀବନ ବିତାଇବା ପରେ ଜେଲରୁ ମୁକୁଳିବେ ବହୁଚର୍ଚ୍ଚିତ ସନ୍ତୋଷ କୁମାର ରାଉଳ ଓରଫ ସାରଥି ବାବା । ଆଜି ଅନ୍ତିମ ମାମଲାରେ ସାରଥି ହାଇକୋର୍ଟରୁ ଜାମିନ ପାଇଥିବାରୁ ଆସନ୍ତା ଦିନେ/ଦୁଇ ଦିନ ମଧ୍ୟରେ ସେ ଜେଲରୁ ବାହାରିବେ ବୋଲି ଅନୁମାନ କରାଯାଉଛି । ପୂର୍ବରୁ ଦୁଇଟି ମାମଲାରେ ସେ ଜାମିନ୍ ପାଇସାରିଥିଲା ବେଳେ କେବଳ ଗୋଟିଏ ମାମଲାରେ ଜାମିନ ମିଳିନଥିବାରୁ ସେ ଜେଲ୍ରେ ଥିଲେ । ଆଜି ଓଡିଶା ହାଇକୋର୍ଟ ଏହି ଶେଷ ମାମଲାରେ ସାରଥିଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି । ଫଳରେ ତାଙ୍କ ପାଇଁ ଜେଲ୍ରୁ ବାହାରିବାର ସବୁ ବାଧା ହଟିଯାଇଛି ।
କେନ୍ଦ୍ରାପଡ଼ା ଜିଲ୍ଲା ବାରିମୂଳ ଆଶ୍ରମରେ ରହୁଥିବା ଜଣେ ମହିଳା ଓ ତାଙ୍କ ଝିଅଙ୍କୁ ନିର୍ଯାତନା ଦେବା, ସେମାନଙ୍କ ସଂପତ୍ତି ହଡ଼ପ କରିବା ଅଭିଯୋଗ ନେଇ ସାରଥିଙ୍କ ବିରୋଧରେ ଏହି ମାମଲାଟି ରୁଜୁ ହୋଇଥିଲା । ଗତ ୧୭ ତାରିଖରେ ହାଇକୋର୍ଟ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ । ଆଜି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସଙ୍ଗମ କୁମାର ସାହୁ ସଂରକ୍ଷିତ ରାୟ ପ୍ରକାଶ କରି ସାରଥିଙ୍କୁ ଜାମିନ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅଦାଲତ ତାଙ୍କ ରାୟରେ ଦର୍ଶାଇଛନ୍ତି ଯେ, ଏହି ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ଯେଉଁ ଦଫା ଲାଗିଛି ସେଥିରେ ସର୍ବାଧିକ ୭ ବର୍ଷ ଦଣ୍ଡବିଧାନର ବ୍ୟବସ୍ଥା ରହିଛି । ଏଣେ ଆବେଦନକାରୀ ସାରଥି ସାଢେ ୩ବର୍ଷରୁ ଊଦ୍ଧ୍ୱର୍ ସମୟ ଜେଲ୍ରେ କଟାଇ ସାରିଲେଣି । ତେଣୁ ତାଙ୍କୁ ଏହି ମାମଲାରେ ଜାମିନ୍ ପ୍ରଦାନ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ଜାମିନ ନେଇ ଅଦାଲତ ବିଭିନ୍ନ ସର୍ତ୍ତାରୋପ କରିଛନ୍ତି । ୨ ଲକ୍ଷ ଟଙ୍କା ଏବଂ ଦୁଇ ଜଣ ଜାମିନ୍ଦାରଙ୍କ ବଦଳରେ ସାରଥିଙ୍କୁ ଜାମିନ ଦିଆଯିବ । ପୀଡ଼ିତା କିମ୍ବା ଏହି ମାମଲାର ସାକ୍ଷୀଙ୍କ ସହ ସାରଥି କୌଣସି ଯୋଗାଯୋଗ କରିବେ ନାହିଁ । ତାଙ୍କ ବିରୋଧରେ ଥିବା ପ୍ରମାଣକୁ ନଷ୍ଟ କରିବାକୁ ଉଦ୍ୟମ କରିବେ ନାହିଁ ଓ ପ୍ରତି ତାରିଖରେ ବିଚାର ବେଳେ ନିମ୍ନ ଅଦାଲତରେ ହାଜର ହେବେ ବୋଲି ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଦେଇଛନ୍ତି ।
ମାମଲାର ବିବରଣୀ ଅନୁସାରେ, କେନ୍ଦ୍ରାପଡା ବାରିମୂଳସ୍ଥିତ ସାରଥି ଆଶ୍ରମରେ ଜଣେ ମହିଳା ଏବଂ ତାଙ୍କ ଝିଅ ବାବାଙ୍କ ଭକ୍ତ ଭାବେ ଆସି ଆଶ୍ରୟ ନେଇଥିଲେ । ସେମାନଙ୍କର ଜମିବାଡି ପ;ା ସାରଥି ରଖିଥିଲେ । ଝିଅର ବାହାଘର କରାଇ ଦେବାକୁ କହି ସାରଥି ସେମାନଙ୍କଠାରୁ ୧ ଲକ୍ଷ ୧୫ ହଜାର ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଥିଲା । ଏପରିକି ସେମାନଙ୍କ ନିକଟରେ ଥିବା ସୁନା ଗହଣା ବି’ ସାରଥି ହଡ଼ପ କରିଥିଲେ । କିନ୍ତୁ ସମ୍ପୃକ୍ତ ମହିଳା ତାଙ୍କ ଝିଅର ବାହାଘର କରାଇ ଦେବାକୁ ବାରମ୍ବାର କହିବାରୁ ସାରଥିଙ୍କ ପକ୍ଷରୁ ଶେଷରେ ତାଙ୍କୁ ଧମକଚମକ ଦିଆଯାଇଥିଲା । ୨୦୧୪ ମସିହା ଚୈତ୍ର ମାସରେ ସାରଥି ସମ୍ପୃକ୍ତ ମହିଳାଙ୍କ ଝିଅକୁ ରୁମ୍କୁ ଡକାଇ ତାଙ୍କ ପ୍ରତି ଅସଦାଚରଣ କରିଥିଲେ । ତେବେ କୌଣସି ପ୍ରକାରେ ଝିଅଟି ସାରଥିଙ୍କ କବଳରୁ ଖସିଆସି ଆଶ୍ରମ ଛାଡି ଗାଁକୁ ପଳାଇଥିଲେ । ତେବେ ଭୟରେ ଚୁପ୍ ରହିଥିଲେ । ଏହାପରେ ସାରଥି ଅନ୍ୟ ମାମଲାରେ ଗିରଫ ହେବାପରେ ପୀଡିତା ସାହସ ସଂଚୟ କରି କ୍ରାଇମ୍ବ୍ରାଞ୍ଚ୍ରେ ଏତଲା ଦେଇଥିଲେ । କ୍ରାଇମ୍ବ୍ରାଞ୍ଚ୍ ଏହି ଏତଲାକୁ ଗ୍ରହଣ କରି ସାରଥିଙ୍କ ବିରୋଧରେ ୨୦୧୫ ଅକ୍ଟୋବର ୧୬ ତାରିଖରେ ମାମଲା ରୁଜୁ କରିଥିଲା । କ୍ରାଇମ୍ବ୍ରାଞ୍ଚ୍ ଇନ୍ସିପେକ୍ଟର ନିଳିମାରାଣୀ ପଣ୍ଡା ସେହିବର୍ଷ ଡିସେମ୍ବର ୧୧ ତାରିଖରେ ଚାର୍ଜସିଟ୍ ଦାଖଲ କରିଥିଲେ । କେନ୍ଦ୍ରାପଡା ଏସ୍ଡିଜେଏମ୍ ଆଇପିସିର ୧୨୦(ବି)(ଅପରାଧିକ ଷଡଯନ୍ତ୍ର), ୪୨୦(ଠକିବା),୩୫୪(ମହିଳାଙ୍କ ପ୍ରତି ଅତ୍ୟାଚାର କରିବା),୫୦୬(ଆଘାତ ପହଞ୍ଚାଇବା) ଏବଂ ୩୪(ମିଳିତ ଷଡଯନ୍ତ୍ର)ରେ କଗ୍ନିଜାନ୍ସ ନେଇ ମାମଲା ବିଚାର ପାଇଁ ଗ୍ରହଣ କରିଥିଲେ । ଏହି ମାମଲାରେ ସାରଥି ଜାମିନ୍ ଆବେଦନ କରି ହାଇକୋର୍ଟକୁ ଆସିଥିଲେ । ହାଇକୋର୍ଟରେ ପ୍ରଥମ ଥର ଲାଗି ୨୦୧୬ ଅକ୍ଟୋବର ୨୭ ତାରିଖରେ ତାଙ୍କ ଜାମିନ୍ ଖାରଜ ହୋଇଥିଲା । ଏହି ଆଦେଶ ବିରୋଧରେ ସେ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେଠାରୁ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଥିଲା । ଏହାପରେ ଏକାଧିକବାର ସାରଥି ବିଭିନ୍ନ କୋର୍ଟରେ ଜାମିନ ଆବେଦନ କରିଥିଲେ । ଶେଷରେ ଆଜି ହାଇକୋର୍ଟ ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ହାଇକୋର୍ଟ ଏହି ମାମଲାର ରାୟ ପ୍ରକାଶ କରିବା ଅବସରରେ କହିଛନ୍ତି ଯେ, ସାରଥିଙ୍କ ବିରୋଧରେ ଯେଉଁ ସବୁ ଦଫା ଲାଗିଛି ଏଥିରୁ ୪୨୦ ବା ଠକେଇ ଦଫାରେ ଯଦି ଦୋଷ ପ୍ରମାଣିତ ହୁଏ ତାହେଲେ ଅଭିଯୁକ୍ତ ସର୍ବାଧିକ ୭ବର୍ଷ ଜେଲ୍ଦଣ୍ଡ ଭୋଗିବ । ଯଦି ଜଣେ ଅଭିଯୁକ୍ତ ମାମଲାର ବିଚାର ସମୟରେ ଦଣ୍ଡବିଧାନ ସମୟର ଅଧାରୁ ଅଧିକ ସମୟ ଜେଲ୍ରେ କଟାଇ ସାରିଥିବ ତାହେଲେ ତାଙ୍କୁ ଜାମିନ ପ୍ରଦାନ କରିବାର ଆଇନଗତ ବ୍ୟବସ୍ଥା ରହିଛି । ସାରଥି ଏହି ମାମଲାରେ ଇତିମଧ୍ୟରେ ଅଧାରୁ ଅଧିକ ସମୟ ଜେଲ୍ରେ କଟାଇ ସାରିଛନ୍ତି । ଅନ୍ୟପକ୍ଷରେ ସାରଥିଙ୍କ ବିରୋଧରେ ଥିବା ଅନ୍ୟ ସମସ୍ତ ମାମଲାରେ ତାଙ୍କୁ ଜାମିନ୍ ମିଳି ସାରିଥିବା ସଂପର୍କରେ ଅଦାଲତକୁ ଅବଗତ କରାଯାଇଥିଲା । ଏସବୁକୁ ବିଚାରକୁ ନେଇ ହାଇକୋର୍ଟ ସାରଥିଙ୍କୁ ଜାମିନ୍ ପ୍ରଦାନ କରିଥିଲେ । ସାରଥିଙ୍କ ପକ୍ଷରୁ ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ର, ମାନସ ଚାନ୍ଦ ପ୍ରମୁଖ ମାମଲା ପରିଚାଳନା କରୁଥିଲେ ।
Comments are closed, but trackbacks and pingbacks are open.