ବଲାଙ୍ଗିର,(ବି.ବି.ନୁ୍ୟଜ୍): ବଲାଙ୍ଗିରରେ ସୋଶାଲ ମିଡିଆରେ ଏବେ ୨ଟି ଫଟୋକୁ ନେଇ ଚର୍ଚ୍ଚା ଜୋର ଧରିଛି । ୨ଟି ଫଟୋରେ ଥିବା ବ୍ୟକ୍ତି କିନ୍ତୁ ଜଣେ । ତାଙ୍କ ନାଁ ପ୍ରମୋଦ ପଟ୍ଟନାୟକ ଓରଫ ବିଦେଶୀ । ଗୋଟିଏ ଫଟୋରେ ପୋଲିସ ତାଙ୍କୁ ଗିରପ କରିଥିବା ବେଳେ ଅନ୍ୟ ଫଟୋରେ ଜେଲ୍ ବାହାରେ ମଦ ପିଇ ସେଲିବ୍ରେସନ୍ କରୁଛନ୍ତି ଏହି ଯୁବକ । ୨ ଦିନ ଅନ୍ତରରେ ଉଠାଯାଇଥିବା ଏହି ଫଟୋକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଯିଏ ଦିନେ ବେଆଇନ୍ ମଦ ବିକ୍ରି ଅଭିଯୋଗରେ ଗିରଫ ହୋଇଥିଲେ, ସେହି ବ୍ୟକ୍ତି ଜେଲରୁ ବାହାରିବା ପରେ କରାଯାଇଛି ଫୁଲ୍ ସେଲିବ୍ରେସନ୍ । ସହରରେ ବେଆଇନ ମଦ ବିକ୍ରି ଅଭିଯୋଗରେ ପ୍ରମୋଦ ବେଶ୍ ଜଣାଶୁଣା । ଲକ୍ଡାଉନ୍ ସମୟରେ ପ୍ରମୋଦଙ୍କ ଘର ଉପରେ ଦୁଇରୁ ତିନି ଥର ଚଢ଼ାଉ କରିଥିଲେ । ବଲାଙ୍ଗିର ଅବକାରୀ ବିଭାଗ । ସେଠାରୁ ୭୦ ବୋତଲ ବିଦେଶୀ ମଦ ଜବତ କରିବା ସହିତ ଗତ ୭ ତାରିଖରେ ପ୍ରମୋଦଙ୍କୁ ଗିରପ କରି କୋର୍ଟଚାଲାଣ କରିଥିଲା । ହେଲେ ଗିରଫର ଦୁଇ ରାତି ପରେ ଶନିବାର ସକାଳେ ଜେଲ୍ରୁ ବାହାରିଥିଲେ ପ୍ରମୋଦ । ଆଉ ଜେଲରୁ ବାହାରିବା ପରେ କରିଛନ୍ତି ଫୁଲ୍ ସେଲିବ୍ରେସନ୍ । ପ୍ରମୋଦଙ୍କ ବନ୍ଧୁମାନେ ଜେଲ୍ ସମ୍ମୁଖରେ ତାଙ୍କ ବେକରେ ଫୁଲମାଳ ପକାଇ, ବିଦେଶୀ ମଦ ପିଆଇ ଫୁଲ୍ ମସ୍ତି କରିଥିଲେ । ଏନେଇ ଅବକାରୀ ବିଭାଗ କିମ୍ବା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିଲେ ବି ଏହି ଫଟୋ କିନ୍ତୁ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ।


Comments are closed, but trackbacks and pingbacks are open.