ଜେଲ ଗଲେ ୨ ଦୁର୍ଦ୍ଦାନ୍ତ ଅପରାଧୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଅଟୋରୁ ମହିଳାଙ୍କ ଠାରୁ ସୁନାଚେନ୍ ଲୁଟି ଚମ୍ପଟ ମାରୁଥିବା ବେଳେ ଲୋକଙ୍କ ହାତରେ ଧରାପଡ଼ି ନିସ୍ତୁକ ମାଡ଼ ଖାଇଥିବା ୨ ଦୁର୍ଦ୍ଦାନ୍ତ ଲୁଟେରାଙ୍କୁ ମଞ୍ଚେଶ୍ୱର ଥାନା ପୁଲିସ ଗିରଫ କରିଛି । ସେମାନେ ହେଲେ କଟକ ସଦର ଥାନା କଳପଡ଼ାର ଶୁଭ ଓରଫ ଶୁଭ୍ରାଂଶୁ ପରିଡ଼ା(୨୩) ଓ ଚନ୍ଦକା ଥାନା ଅନ୍ତର୍ଗତ କଣ୍ଟାବାଡ଼ର ମକରା ଓରଫ ବିଜୟ ମହାରଣା(୩୦) । ଉଭୟଙ୍କୁ ପୁଲିସ ଗୁରୁବାର କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।
ସୂଚନା ଥାଉକି, ଯାଜପୁର ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ପଣଶୁଆପାଳର ଶୁକଦେବ ଓଝାଙ୍କ ପତ୍ନୀ ମନୋରମା ଓଝା ଓ ତାଙ୍କ ପୁଅ ସୁବ୍ରତ ଗତ ବୁଧବାର ମଧ୍ୟାହ୍ନରେ ଏକ ଅଟୋରେ ରସୁଲଗଡ଼ରୁ ଭଗବତସନ୍ଧାନରେ ରହୁଥିବା ଜଣେ ସଂପର୍କୀୟଙ୍କ ଘରକୁ ଯାଉଥିଲେ । ଭଗବତସନ୍ଧାନ ନିକଟରେ ଏକ ହମ୍ପ୍ସ ନିକଟରେ ଅଟୋର ଗତି କମିଥିଲା । ଏହି ସମୟରେ ୩ ଲୁଟେରା ଏକ ବାଇକ୍ରେ ଆସି ମନୋରମାଙ୍କ ବେକରୁ ସୁନାଚେନ୍ ଝାମ୍ପି ନେଇ ପଳାଉଥିଲେ । ଏହା ଦେଖି ମନୋରମାଙ୍କ ପୁଅ ସୁବ୍ରତ ୩ ଲୁଟେରାଙ୍କୁ ଗୋଡ଼ାଇଥିଲେ । ପଛରେ ବସିଥିବା ଲୁଟେରାକୁ ସୁବ୍ରତ ଭିଡ଼ି ଧରିଥିଲେ । ଫଳରେ ୩ ଜଣ ବାଇକ୍ ସହ ତଳେ ପଡ଼ି ଯାଇଥିଲେ । ସେଠାରେ ଉପସ୍ଥିତ ଲୋକେ ଦୁଇ ଲୁଟେରାଙ୍କୁ କାବୁ କରିଥିବା ବେଳେ ଅନ୍ୟ ଜଣେ ଲୁଟେରା ଖସି ପଳାଇଥିଲା । ଲୋକେ ଶୁଭ ଓ ମକରାକୁ ଧରି ନିସ୍ତୁକ ମାଡ଼ ମାରିଥିଲେ । ଖବରପାଇ ମଞ୍ଚେଶ୍ୱର ଥାନା ପୁଲିସ ପହଞ୍ଚି ଶୁଭ ଓ ମକରାକୁ ଲୋକଙ୍କ କବଳରୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲା । ଘଟଣାସ୍ଥଳରୁ ପୁଲିସ ଲୁଟେରାମାନେ ବ୍ୟବହାର କରୁଥିବା ବାଇକକୁ ଜବତ କରିଥିଲା । ମନୋରମାଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁକରି ଶୁଭ ଓ ମକରାକୁ ଗିରଫ କରିଥିଲା । ସେମାନଙ୍କ ଠାରୁ ପୁଲିସ ଲୁଟ୍ ସୁନାଚେନ୍, ମଙ୍ଗଳସୂତ୍ର, ମୋବାଇଲ୍ ଫୋନ ଜବତ କରିଥିଲା ।
ଗିରଫ ଦୁଇ ଲୁଟେରାଙ୍କ ନାମରେ ରାଜଧାନୀ ସମେତ ବିଭିନ୍ନ ଜିଲ୍ଲାରେ ସଂଗୀନ ଅପରାଧିକ ମାମଲା ରହିଛି । ମକରା ନାମରେ ରାଜଧାନୀର କ୍ୟାପିଟାଲ, ଖଣ୍ଡଗିରି, ଖାରବେଳନଗର, ମଞ୍ଚେଶ୍ୱର ସମେତ ବାଲେଶ୍ୱର ରେମୁଣା ଓ ଜଗତସିଂହପୁର ଥାନାରେ ମାମଲା ରହିଛି । ଦୁଇଟି ହତ୍ୟା ସମେତ, ହତ୍ୟା ଉଦ୍ୟମ, ଲୁଟ୍, ଡକାୟତି ଆଦି ୨୩ଟି ମାମଲାରେ ମକରା ସଂପୃକ୍ତ ଅଛି । ସେହିପରି ଶୁଭ ନାମରେ କଟକ ମଙ୍ଗଳାବାଗ, ମାଲଗୋଦାମ, ବାଦାମବାଡ଼ି, କନ୍ଦରପୁର, କଟକ ସଦର ଓ ବାଲିଅନ୍ତା ଥାନାରେ ୭ରୁ ଅଧିକ ମାମଲା ଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons