କୋରାପୁଟ:ଜ୍ୱରରେ ପୀଡିତ ହୋଇ ଶନିବାର ଏଠାରେ ଜଣେ ଯୁବ ପୁଲିସ କନଷ୍ଟେବଳଙ୍କର ମୃତୁ୍ୟ ହୋଇଛି । ମୃତକ ହେଲେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ବନ୍ଦିକାର ଗାଁର ସମ୍ବରୁ ମିଣିଆକା । ଜଗତସିଂହପୁର ଜିଲ୍ଲା ଅଭୟଚନ୍ଦାପୁର ଥାନାରେ ସେ କାର୍ଯ୍ୟରତ ଥିଲେ ।
ଥାନାରେ କାର୍ଯ୍ୟରତ ଥିବାବେଳେ ସମ୍ବରୁ ଅସୁସ୍ଥ ହୋଇ ପଡିଥିଲେ । ପରେ ସେ ନିଜ ଗାଁକୁ ଚାଲି ଆସିଥିଲେ । ତାଙ୍କର ପ୍ରବଳ ଜ୍ୱର ହେଉଥିଲା । ଆବଶ୍ୟକ ଚିକିତ୍ସା ପରେ ମଧ୍ୟ ସୁସ୍ଥ ହୋଇ ନଥିଲେ । ପରିବାର ଲୋକେ ତାଙ୍କୁ ରାୟଗଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତିନିଦିନ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ । କିଛି ଦିନ ପରେ ପୁଣି ସେ ଅନୁରୂପ ଜ୍ୱରରେ ପୀଡିତ ହେଲେ । ଅବସ୍ଥା ଗମ୍ଭୀର ହେବାରୁ ପରିବାର ଲୋକେ ତାଙ୍କୁ ଲକ୍ଷ୍ମୀପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଶନିବାର ତାଙ୍କର ମୃତୁ୍ୟ ହୋଇଛି । ଖବର ପାଇ ଲକ୍ଷ୍ମୀପୁର ଥାନା ପୁଲିସ ମେଡିକାଲରେ ପହଞ୍ଚି ଏକ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲା । ବ୍ୟବଚ୍ଛେଦ ପରେ ଶବକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସମ୍ବରୁଙ୍କ ଘରେ ତାଙ୍କ ବିଧବା ମା, ପତ୍ନୀ ଓ ୩ ବର୍ଷର ଗୋଟିଏ ପୁଅ ରହିଛନ୍ତି ।
ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ
Comments are closed, but trackbacks and pingbacks are open.