ଜୟପୁରରେ ହେବନି ରଥଯାତ୍ରା

Get real time updates directly on you device, subscribe now.

ଜୟପୁର,(ବି.ବି.ନୁ୍ୟଜ୍): ଏବର୍ଷ ଜୟପୁରରେ ହେବନି ରଥଯାତ୍ରା । ରଥ ଟାଣିବାର ସୁଯୋଗ ପାଇବେନି ଭକ୍ତ । ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିର୍ଙ୍କୁ ଦର୍ଶନ କରିବା ଆଶା ମଉଳିଗଲା । କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଏ ସମ୍ପର୍କରେ ଶନିବାର ଦେବୋତ୍ତର ଅଧିକାରୀ ତଥା ତହସିଲଦାରଙ୍କୁ ଜଣାଇ ଦେଇଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରାଳୟର ନିଦେ୍ର୍ଧଶ ଏବଂ ଏସ୍ପିଙ୍କ ସହ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି । କିନ୍ତୁ ମନ୍ଦିର ପରିସରରେ ଅଳ୍ପସଂଖ୍ୟକ ସେବାୟତଙ୍କୁ ନେଇ ରଥଯାତ୍ରାର କେବଳ ନୀତିକାନ୍ତି କରାଯିବ । ସେବାୟତ ଓ ଦଇତାପତିମାନେ କୋଭିଡ-୧୯ର ଗାଇଡ୍ଲାଇନ୍ ମାନିବେ । ସାମାଜିକ ଦୂରତାରେ ରହିବା ସହ ମାସ୍କ ପିନ୍ଧିବେ । ମନ୍ଦିର ପରିସରକୁ ଯେମିତି ଶ୍ରଦ୍ଧାଳୁ ଯିବେନାହିଁ, ମନ୍ଦିର ପରିଚାଳନା କମିଟି ସେଥିପ୍ରତି କଡ଼ା ନଜର ରଖିବ ।
ଏ ସମ୍ପର୍କରେ ଆଲୋଚନା ପାଇଁ ଆଜି ସ୍ଥାନୀୟ ତହସିଲ କାର୍ଯ୍ୟାଳୟରେ ଜରୁରି ବୈଠକ ବସିଥିଲା । ଦେବୋତ୍ତର ଅଧିକାରୀ ତଥା ତହସିଲଦାର ଅଶ୍ୱିନୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଉପଦେଷ୍ଟା କମିଟିର ସଭାପତି ଲାଲମୋହନ ମିଶ୍ର, ଆଇନଜୀବୀ ନଟେନ୍ଦ୍ରନାଥ ନାୟକ, ଜ୍ୟୋତିରଞ୍ଜନ ପୂଜାରୀ, ରାମପ୍ରସାଦ ପଣ୍ଡା, ପଦ୍ମନାଭ ହୋତା, ସୁପ୍ରିତ ପୂଜାରୀ, ଭବାନୀ ଆଚାର୍ଯ୍ୟଙ୍କ ସହ ସେବାୟତମାନେ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଦେଇଥିବା ଚିଠି ସମ୍ପର୍କରେ ଆଲୋଚନା ହୋଇଥିଲା । ରଥଯାତ୍ରା ଆୟୋଜନ ପାଇଁ ମନା କରାଯାଇଥିବାରୁ ଏହାର ବିକଳ୍ପ ସମ୍ପର୍କରେ ଆଲୋଚନା ହୋଇଥିଲା । ସେବାୟତ ଓ ଉପଦେଷ୍ଟା କମିଟିର ସଦସ୍ୟଙ୍କ ମତାମତ ନିଆଯାଇଥିଲା । ସେମାନଙ୍କ ମତାମତ ଅନୁସାରେ, ଚଳିତବର୍ଷ ଜଗନ୍ନାଥ ମନ୍ଦିର ପରିସରରେ ରଥଯାତ୍ରା ଆୟୋଜନ କରାଯିବ । ଏଥିପାଇଁ ଛୋଟ ରଥ ନିର୍ମାଣ କରାଯିବ । ଏଠାକାର ପରମ୍ପରା ଅନୁସାରେ ଗୁଣ୍ଡିଚାଯାତ୍ରାର ଗୋଟିଏ ଦିନ ପରେ ହିଁ ରଥଟଣା କାର୍ଯ୍ୟକ୍ରମ ହେବ । ଶ୍ରୀଜିଉଙ୍କ ପୁରୁଣା ମନ୍ଦିରକୁ ଗୁଣ୍ଡିଚା ମନ୍ଦିର କରାଯିବ । ସେଠାକୁ ଶ୍ରୀଜିଉଙ୍କୁ ପହଣ୍ଡିରେ ନିଆଯିବ । ୧୦ ଜଣ ସେବାୟତଙ୍କ ସହ ୪୦ ଜଣ ଦଇତାପତି ଶ୍ରୀଜିଉଙ୍କ ପହଣ୍ଡି ଓ ଅନ୍ୟାନ୍ୟ ସେବା କରିବେ । ପ୍ରତିଦିନ ଶ୍ରୀଜିଉଙ୍କ ଭିନ୍ନ ଭିନ୍ନ ବେଶ କରାଯିବ । ପରମ୍ପରା ଅନୁସାରେ ମା’ ଲକ୍ଷ୍ମୀ ଠାକୁରାଣୀ ରଥକାଠ ଭାଙ୍ଗିବେ । ଏସବୁ କାର୍ଯ୍ୟକ୍ରମରେ ଯୋଗଦେବାକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅନୁମତି ନାହିଁ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।
ସୂଚନାଯୋଗ୍ୟ, ଚଳିତବର୍ଷ ରଥଯାତ୍ରା ସମ୍ପର୍କରେ ନିଷ୍ପତ୍ତି ନେବାକୁ ପୂର୍ବରୁ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା । ଏଥିରେ ଯୋଗଦେଇ କୋଭିଡ-୧୯ର ଗାଇଡ୍ଲାଇନ୍ ଏବଂ ଶାନ୍ତିଶୃଙ୍ଖଳା ସମ୍ପର୍କରେ ପୁଲିସ୍ ଅଧିକାରୀମାନେ ମତ ଦେଇଥିଲେ । ଗାଇଡ୍ଲାଇନ୍ ଅନୁସାରେ ରଥଯାତ୍ରା ହୋଇପାରିବ ନାହିଁ ବୋଲି କହିଥିଲେ । ରଥାଯାତ୍ରା ଆୟୋଜନ ହେଲେ ଲୋକଙ୍କୁ ନିୟନ୍ତ୍ରଣ କରାଯାଇପାରିବ ନାହିଁ ବୋଲି ବୈଠକରେ ମତ ଦେଇଥିଲେ ପୁଲିସ୍ ଅଧିକାରୀ । ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ରଥଯାତ୍ରା ବାତିଲ କରିବାକୁ ସେମାନେ ପ୍ରସ୍ତାବ ଦେଇଥିଲେ । ରଥଯାତ୍ରା ସମ୍ପର୍କରେ ପରବର୍ତ୍ତି ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ବୈଠକର ପ୍ରସ୍ତାବ ଦିଆଯାଇଥିଲା । ପ୍ରଶାସନ ପକ୍ଷରୁ ଅନୁମତି ମିଳିନଥିବାରୁ ରଥ ନିର୍ମାଣ ନ କରିବାକୁ ମତ ଦେଇଥିଲା କମିଟି । ଆଜି ପ୍ରଶାସନ ପକ୍ଷରୁ ଚୂଡାନ୍ତ ନିଷ୍ପତ୍ତି ନିଆଯିବା ପରେ ଭକ୍ତମାନେ ନିରାଶ ହୋଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons