ଝାରସୁଗୁଡ଼ା, ଦେବଗଡ଼ରେ କରୋନା :ପଶ୍ଚିମବଙ୍ଗ ଲିଙ୍କ୍ରେ ୧୮ ବର୍ଷର ଯୁବତୀ ଓ ଟ୍ରକ୍ ଡ୍ରାଇଭର୍

Get real time updates directly on you device, subscribe now.

ଝାରସୁଗୁଡ଼ା, (ବି.ବି.ନୁ୍ୟଜ୍): ଏଯାଏଁ କୋଭିଡ୍-୧୯ ସଂକ୍ରମଣ କ୍ଷେତ୍ରରେ ଗ୍ରୀନ୍ ଜୋନ୍ ରହିଆସିଥିବା ଝାରସୁଗୁଡ଼ା ଓ ଦେବଗଡ଼ ଜିଲ୍ଲାକୁ କରୋନା ସଂକ୍ରମଣ ଛୁଇଁଛି । ଉଭୟ ଜିଲ୍ଲାରେ ଜଣେ ଲେଖାଏଁ ରୋଗୀ କରୋନା ସଂକ୍ରମିତ ଥିବା ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି । ଉଭୟ ରୋଗୀଙ୍କ ପଶ୍ଚିମବଙ୍ଗ ଲିଙ୍କ୍ ରହିଛି । ଝାରସୁଗୁଡ଼ାର ଚିହ୍ନଟ ୧୮ ବର୍ଷିୟା ଯୁବତୀ କୋଲକାତା ନିବାସୀ ହୋଇଥିବା ବେଳେ ଦେବଗଡ଼ର ବ୍ୟକ୍ତି ଜଣକ ଜଣେ ଟ୍ରକ୍ ଡ୍ରାଇଭର ଓ ସେ ମଧ୍ୟ ପଶ୍ଚିମବଙ୍ଗକୁ ଟ୍ରକ୍ ନେଇ ଯାଇଥିବା ଜଣାପଡ଼ିଛି ।
ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରୁ ପଜିଟିଭ୍ ଥିବା ଯୁବତୀ ଜଣକ ଡ୍ରାଇଭର କାମ କରୁଥିବା ଭାଇର ଦୁର୍ଘଟଣାରେ ମୃତୁ୍ୟ ଖବର ପାଇ ପରିବାରର ସଦସ୍ୟଙ୍କ ସହ ଗତ ୨୩ ତାରିଖ ସନ୍ଧ୍ୟାରେ ବ୍ରଜରାଜନଗର ଠାରେ ପହଞ୍ଚିଥିଲେ । ତାଙ୍କ ମୂଳ ଘର ପଶ୍ଚିମବଙ୍ଗର କୋଲକାତା କାଶିପୁର ଥାନା ବଡ଼ବଜାର ଠାରେ ରହିଛି । ଜାମଶାଳା ଗେଟ୍ରେ ଓଡ଼ିଶା ମଧ୍ୟରେ ପ୍ରବେଶ ପାଇଁ ସେମାନଙ୍କୁ ବାରଣ କରାଯିବା ପରେ ସେମାନେ ବୀରମିତ୍ରପୁର ଗେଟ୍ ଦେଇ ରାଜ୍ୟରେ ପହଞ୍ଚିଥିଲେ । ଏଯାଏଁ ପ୍ରାୟ ୩୧ ଜଣଙ୍କ ସହ ଯୁବତୀ ଜଣକ ଗତ ୧୫ ଦିନ ମଧ୍ୟରେ ସମ୍ପର୍କରେ ଆସିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି । ତନ୍ମଧ୍ୟରୁ ୧୫ ଜଣ ଅତି ନିକଟତମ ପରିବାର ସଦସ୍ୟ, କେତେକ ନିକଟତମ ବନ୍ଧୁ ଆଉ କେତେ ଜଣ ପଡେ଼ାଶୀଙ୍କ ସହ ତାଙ୍କ ଅବାଧ ମିଳାମିଶା ହୋଇଛି । ବ୍ରଜରାଜନଗରଠାରେ ହୋମ କ୍ୱ୍ୱାରେଣ୍ଟାଇନରେ ଥିବା ଯୁବତୀଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଉରକେଲା କୋଭିଡ୍ ଡାକ୍ତରଖାନାକୁ ପଠାଯାଇଛି । ସମ୍ପୃକ୍ତ ଯୁବତୀ ପରିବାର ବର୍ଗଙ୍କ ସହ ଭାଇର ଶେଷକୃତ୍ୟ ସମ୍ପନ୍ନ ପାଇଁ ଆସିଥିଲେ । ସବିଶେଷ ଯାତ୍ରା ବିବରଣୀ ଏବଂ କନ୍ଟାକ୍ଟ ଟ୍ରେସିଂ ଚାଲିଛି । ମେଡିକାଲ ଟିମ ଏବଂ ପ୍ରଶାସନର ଆଉ ଏକ ଟିମ ବ୍ରଜରାଜନଗରରେ ପହଞ୍ଚି ଏହି ଘଟଣାର ବିଭିନ୍ନ ଦିଗ ଉପରେ ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତ ପୂର୍ବକ ଯଥା ସମୟରେ ପ୍ରତିକାରମୂଳକ ପଦକ୍ଷେପ ନେଇ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ ସରୋଜ କୁମାର ସାମଲ କହିଛନ୍ତି ।
ସେହିପରି ଦେବଗଡ଼ ଜିଲ୍ଲାରେ ଚିହ୍ନଟ ବ୍ୟକ୍ତି ଜଣକ ହେଲେ ଜଣେ ଟ୍ରକ୍ ଡ୍ରାଇଭର । ତାଙ୍କ ଘର ଦେବଗଡ଼ ଥାନା ତଥା ତିଳେଇବଣି ବ୍ଲକ କଲଣ୍ଡା ପଞ୍ଚାୟତରେ । ୨୦ ଦିନ ତଳେ ପ୍ରଥମେ ସେ ଗାଁକୁ ଆସିଥିଲେ । ତାଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ରେ ରହିବାକୁ ପରାମର୍ଶ ଦିଆଯାଇଥିଲା । ୧୧ ଦିନ ପରେ ସେ ପୁଣି ଚାଳିଯାଇଥିଲେ ଓ ଗତ ୨୩ ତାରିଖ ପୁନଃ ଗାଁକୁ ଫେରିଥିଲେ । ଉକ୍ତ ୩୪ ବର୍ଷିୟ ଡ୍ରାଇଭର ଜଣକ ୫ ଦିନ ହେଲା ନିଜ ସ୍ତ୍ରୀ ଓ ବିଧବା ମାଆ ସମେତ ୨ ଛୋଟ ପୁଅ ଓ ଝିଅଙ୍କୁ ନେଇ ଏକାଠି ରହୁଥିବା ବେଳେ ଆଖପାଖ ଗାଁରେ ବୁଲାବୁଲି କରୁଥିଲେ ବୋଲି ସୂଚନା ମିଳିଛି । ତାଙ୍କ ସ୍ୱାବ୍ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା ଓ ତାହା ପଜିଟିଭ୍ ଥିବା ଆଜି ଜଣାପଡ଼ିବା ପରେ ତାଙ୍କୁ ରାଉରକେଲା କୋଭିଡ୍ ହସ୍ପିଟାଲକୁ ନିଆଯାଇଛି । ଗାଁକୁ ସିଲ୍ କରାଯାଇଛି ଏବଂ ପଞ୍ଚାୟତର ବିଭିନ୍ନ ଗାଁରେ ଉକ୍ତ ଡ୍ରାଇଭରଙ୍କ କନ୍ଟାକ୍ଟ ହିଷ୍ଟ୍ରି ଖୋଜି ବାହାର କରିବାକୁ ପ୍ରଶାସନ ପଦକ୍ଷେପ ନେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons