ରେଙ୍ଗାଲି,(ବି.ବି.ନୁ୍ୟଜ୍): ସମ୍ବଲପୁର ଜିଲ୍ଲା କତରବଗା ଥାନା କିନାଲୋଇ ଗାଁରେ ଆଜି ନୂଆଁଖାଇ ଦିନ ଏକ ହୃଦୟ ବିଦାରକ ଘଟଣା ଘଟିଛି । ୬ ବର୍ଷର ଝିଅକୁ ଧରି ମା’ କୂଅକୁ ଡେଇଁ ଆତ୍ମହତ୍ୟା କରିଛି । ମୃତକ ଟିକେଶ୍ୱରୀ ଭୋଇ (୪୦) ଓ ଝିଅ ଖୁସିର ଶବକୁ ଦମକଳ କର୍ମଚାରୀ ଉଦ୍ଧାର କରିଛନ୍ତି । ପୁଲିସ୍ ଶବ ଦ୍ୱୟକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ମହିଳାଙ୍କ ସ୍ୱାମୀ ଜୟରାମ ଭୋଇ ଲଇଡ଼ା ଫାଣ୍ଡିରେ କରିଥିବା ଅଭିଯୋଗ ମତେ ସ୍ତ୍ରୀ ଟିକେଶ୍ୱରୀ ମାନସିକ ବିକୃତ ଥିଲେ । ତେଣୁ ୬ ବର୍ଷର ଝିଅକୁ ନେଇ ଗାଁର କୂଅକୁ ଡେଇଁ ଆତ୍ମହତ୍ୟା କରି ଥାଇପାରନ୍ତି । ପୁଲିସ୍ ଅପମୃତୁ୍ୟ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । କୂଅରୁ ଶବ ଉଦ୍ଧାର ସମୟରେ ସ୍ଥାନୀୟ ସରପଞ୍ଚ ଦିଲୀପ ନାଏକ, ମହିଳା ସଂଗ୍ରାମ ସମିତି ସଂଯୋଜକ ଉପେନ୍ଦ୍ର ମହାନନ୍ଦ, ୱାଡର଼୍ ସଭ୍ୟ ଘନଶ୍ୟାମ ଭୋଇ, ସରୋଜିନୀ କାଲୋ ପ୍ରମୁଖ ଉପସ୍ଥିତ ଥିଲେ ।
କରୋନା କଟକଣା ମଧ୍ୟରେ ଆଜି ଗାଁ ଲୋକେ ନିଜ ନିଜ ଘରେ ନୂଆଁଖାଇ ପାଳନ କରୁଥିଲେ । ଜୟରାମଙ୍କ ଘରେ ମଧ୍ୟ ପୂଜାର୍ଚ୍ଚନା କରାଯାଇ ପରିବାର ସଦସ୍ୟ ନୂଆଁ ଖାଇଥିଲେ । ନୂଆଁ ଖାଇ ସାରିବା ପରେ ଟିକେଶ୍ୱରୀ ଝିଅକୁ ଧରି ନିକଟରେ ଥିବା ଏକ କୂଅକୁ ଡେଇଁ ପଡ଼ିଥିଲେ । କେହି କିଛି ଜାଣିବା ପୂର୍ବରୁ ମା’ ଓ ଝିଅଙ୍କ ମୃତୁ୍ୟ ହୋଇଥିଲା । ଲୋକେ ପୁଲିସ୍ ଓ ଦମକଳ ବାହିନୀକୁ ଖବର ଦେଇଥିଲେ । ଜୟରାମଙ୍କ ଅଭିଯୋଗ ମତେ ଟିକେଶ୍ୱରୀଙ୍କ ମାନସିକ ବିକୃତି ଥିଲା । ହେଲେ ଘରୋଇ କଳହକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ ବୋଲି ଚର୍ଚ୍ଚା ହେଉଛି ।
Comments are closed, but trackbacks and pingbacks are open.