ଝିଅବିଦା କଲା କୁଶମେଲ: ବୋହୂ ହୋଇ ଛତିଶଗଡ଼ ଫେରିଲେ ମହାନଦୀ କନ୍ୟା ସୋନୀ

Get real time updates directly on you device, subscribe now.

ଝାରସୁଗୁଡ଼ା,(ବି.ବି.ନୁ୍ୟଜ): ୫ ବର୍ଷ ତଳେ ଛତିଶଗଡ଼ରୁ ମହାନଦୀର ପ୍ରଖର ସ୍ରୋତରେ ଭାସି ଆସି ଝାରସୁଗୁଡାରେ ଉଦ୍ଧାର ହୋଇଥିବା ଚର୍ଚ୍ଚିତ କନ୍ୟା ସୋନୀ ଯାଦବଙ୍କ ବିବାହ ସମ୍ପନ୍ନ ହୋଇଛି । ଛତିଶଗଡ଼ ରାୟଗଡ଼ ଜିଲ୍ଲା ଧରମଜୟଗଡ଼ ଗାଁର ପ୍ରେମ ସିଂହ ଯାଦବଙ୍କ ପୁଅ ପୁରୁଷୋତ୍ତମ ଯାଦବଙ୍କ ସହ ସୋନୀଙ୍କ ବିବାହ ହୋଇଛି । ମହାନଦୀରେ ଭାସି ଆସିଥିବା ଛତିଶଗଡ଼ର ଝିଅ ପୁଣି ଛତିଶଗଡକୁ ବୋହୂ ଭାବେ ଆଜି ଫେରିଯାଇଛନ୍ତି । ଏକ ଭାବବିହ୍ୱଳ ପରିବେଶରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ସପତ୍ନୀକ କନ୍ୟାଦାନ କରିଛନ୍ତି । ଲଖନପୁର ବ୍ଲକ ଅନ୍ତର୍ଗତ କୁସମେଲ ଗ୍ରାମବାସୀ ଆଜି ସୋନୀଙ୍କୁ ବିଦାୟ ଦେଇଛନ୍ତି ।
ଆଜି ଭୋର ସକାଳୁ ପୁରୁଷୋତ୍ତମ ଛତିଶଗଡ଼ରୁ କୁସମେଲ ଗାଁକୁ ବରଯାତ୍ରୀ ସହ ଆସିଥିଲେ । ସାଙ୍ଗରେ ଆଣିଥିଲେ ମାତ୍ର ୮ ଜଣ ବରଯାତ୍ରୀ । ଛତିଶଗଡ଼ରୁ ଆସିଥିବା ସମସ୍ତ ବରଯାତ୍ରୀଙ୍କ ଆରଟିପିସିଆର ଯାଞ୍ଚ କରାଯାଇଥିଲା । ସେମାନଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ଓଡ଼ିଶାକୁ ଆସିବାକୁ ଅନୁମତି ପ୍ରଦାନ କରାଯାଇଥିଲା । କୋଭିଡ଼ ନିୟମ ପାଳନ କରି ନିରାଡମ୍ବରରେ ବରଯାତ୍ରୀ କୁସମେଲ ଗାଁକୁ ଆସିଥିଲେ । ତାଙ୍କୁ ସମଗ୍ର କୁଶମେଲ ଗ୍ରାମବାସୀ ପାଛୋଟି ନେଇଥିଲେ । ସୋନୀର ବାହାଘର ପାଇଁ କେବଳ କୁଶମେଲ ଗାଁ ନୁହେଁ ପୁରା ବାଦିମାଲ ପଞ୍ଚାୟତ ଉତ୍ସବମୁଖର ହୋଇପଡ଼ିଥିଲେ । ବାଡ଼ୁଅପାଣିରେ ଗାଧୋଇବା ପାରେ ସୋନୀ ନିଜ ପାଳିତ ପିତା ସନ୍ୟାସୀ କାଲୋଙ୍କ ଘରୁ ବାହାମଣ୍ଡପକୁ ଗାଁରେ ଚାଲିଚାଲି ଆସିଥିଲେ । ଗାଁର ବୟୋଜ୍ୟେÂଙ୍କୁ ନମସ୍କାର କରି ବେଦୀକୁ ଯାଇଥିବା ବେଳେ ଗାଁର ମହିଳାମାନେ ହୁଳହୁଳି ଦେଇ ସୋନୀକୁ ଆଶିର୍ବାଦ କରିଥିଲେ । ବରହୋଇ ଆସିଥିବା ପୁରୁଷୋତ୍ତମକୁ ଗାଁରେ ସଂର୍କିତ୍ତନ କରି ବରଣ କରି ନିଆଯାଇଥିଲା । ବିଧାୟକ କିଶୋର ମହାନ୍ତି ଘଡ଼ିଟିଏ ପିନ୍ଧାଇ ପୁରୁଷୋତ୍ତମକୁ ବରଣ କରିଥିଲେ । ବିଧି ଅନୁସାରେ ସୋନୀ ଓ ପୁରୁଷୋତ୍ତମଙ୍କ ବାହାଘର ଅପରାହ୍ନ ୧ ଟାରେ ହୋଇଥିଲା । କନ୍ୟାପିତା ହୋଇ ନିଜେ ବିଧାୟକ କିଶୋର ମହାନ୍ତି ଓ ତାଙ୍କ ପତ୍ମୀ ଅଳକା ମହାନ୍ତି କନ୍ୟାଦନ କରିଥିଲେ । କନ୍ୟାକୁ ସୁନାହାର ସମେତ ବରକୁ ସୁନା ମୁଦି ପ୍ରଦାନ କରିଥିଲେ । ନିଜ ଝିଅପରି ବିଧାୟକ କିଶୋର ମହାନ୍ତି ଘରକରଣ ଉପହାର ପ୍ରଦାନ କରିଥିଲେ । ଗ୍ରାମବାସୀ ମିଳିତ ଭାବେ ସମସ୍ତ ପ୍ରକାର ସ୍କୁଟି, ସୁନା ଅଳଙ୍କାର, ଘରକରଣା ସାମଗ୍ରୀ ପ୍ରଦାନ କରିଥିଲେ । ବିବାହ ପରେ ସମସ୍ତ ଗ୍ରାମବାସୀ ନବଦମ୍ପତିଙ୍କୁ ଆଶିର୍ବାଦ ପ୍ରଦାନ କରିଥିଲେ । ସନ୍ଧ୍ୟା ୫ଟା ୪୫ରେ ସୋନୀଙ୍କୁ ଗ୍ରାମବାସୀ ବିଦାୟ ଦେଇଥିଲେ । ଶାଶୂ ଘରୁ ଯାଉଥିବା ସୋନୀ ବାହୁନି ବାହୁନି କାନ୍ଦୁଥିବା ବେଳେ ଗାଁର ମହିଳାଙ୍କ ଆଖିରେ ମଧ୍ୟ ଲୁହ ଭରିଯାଇଥିଲା । ବିବାହ ପାଇଁ କୁଶମେଲ ଗାଁ ଯେତେ ଉତ୍ସବମୁଖର ରହିଥିଲା ସୋନୀର ବିଦାୟ ପରେ ଗାଁରେ ଏକ ପ୍ରକାର ଭାବବିହ୍ୱଳ ବାତାବରଣ ଦେଖିବାକୁ ମିଳିଥିଲା । ସ୍ୱାମୀ ସହିତ ଗାଁ ଛାଡ଼ିବା ବେଳେ ଓଲଟି ଓଲଟି ତାର ଜୀବନ ରକ୍ଷା କରିଥିବା ବାପା ସନ୍ନ୍ୟାସୀ, ମାଁ ପରି ଆଦର କରିଥିବା ଅହଲ୍ୟା ଓ ନିଜର ଠାରୁ ଅଧିକ ସ୍ନେହ ଦେଇଥିବା କୁଶମେଲ ଗାଁକୁ ଦେଖୁଥିଲା ସୋନୀ । ସବୁଦିନ ମହାନଦୀ କନ୍ୟା ସୋନୀକୁ ମଧ୍ୟ ଝୁରିବ କୁସମେଲ ଗାଁ । ମହାନଦୀରେ ଭାସି ଆସି ସମସ୍ତ ଓଡ଼ିଶାବାସୀଙ୍କ ହୃଦୟରେ ବସିଥିବା ମହାନଦୀ କନ୍ୟା ସୋନୀର କନ୍ୟାଦାନ କରିବା ସୌଭାଗ୍ୟ ମିଳିଥିବାରୁ ସେ ନିଜକୁ ଧନ୍ୟ ମନେ କରୁଛନ୍ତି । ଆଜିର ବାହାଘର ପ୍ରକୃତରେ ଏକ ଭବ୍ୟ ଓ ଚିରସ୍ମରଣୀୟ ବୋଲି ବିଧାୟକ କହିଛନ୍ତି । ଆଜି ସୋନୀକୁ କନ୍ୟାଦାନ କରିବା ସମୟରେ ବିଧାୟକ କିଶୋର ମହାନ୍ତି ଓ ତାଙ୍କ ପନôୀ ଅଳକା ମହାନ୍ତିଙ୍କ ଆଖି ଛଳଛଳ ହୋଇ ଯାଇଥିଲା । ଆମେ ସୋନୀକୁ ଝିଅ ରୂପରେ ପାଇଛୁ । ଆମର ଆଶିର୍ବାଦ ସହିତ ଓଡ଼ିଶାର ଅଗଣିତ ଲୋକଙ୍କ ସୋନୀ ଉପରେ ଆଶିର୍ବାଦ ରହିଛି । ତାର ବୈବାହିକ ଜୀବନ ସୁଖମୟ ହେଉ ବୋଲି କିଶୋର ମହାନ୍ତି ଓ ତାଙ୍କ ଧର୍ମପନôୀ କହିଛନ୍ତି । ଗୁଜୁରାଣ ମେଣ୍ଟାଇବା ପାଇଁ ସବୁଦିନ ମହାନଦୀକୁ ମାଛ ଧରିବାକୁ ଯାଏ । ସବୁଦିନ ମାଛ ଧରି ଆଣୁଥଲି । ପାଞ୍ଚ ବର୍ଷ ପୂର୍ବେ ଏହି ମହାନଦୀରୁ ‘ଖୁସି’ ମୋ ଘରକୁ ଆଣିଥିଲି ବୋଲି ମହାନଦୀର ଅଥଳ ଜଳରାଶିରୁ ସୋନୀକୁ ଉଦ୍ଧାର କରିଥିବା ସନ୍ନ୍ୟାସୀ କାଲୋ କହିଛନ୍ତି । ସୋନୀର ବିବାହ ପାଇଁ ଯେତେ ଖୁସି ଅଛନ୍ତି ସେତିକି ଦୁଃଖୀ ମଧ୍ୟ ବୋଲି ସନ୍ନ୍ୟାସୀ କହିଛନ୍ତି । ପାଳିତା ମାଁ ଅହଲ୍ୟାକୁ ଘଡ଼ିଏ ମଧ୍ୟ ଛାଡ଼ି ରହୁନଥିଲା ସୋନୀ । ଏମିତିକି ଅହଲ୍ୟା ମଧ୍ୟ ଯେଉଁଆଡେ ଯାଉଥିଲେ ସୋନୀକୁ ନେଇ ଯାଉଥିଲେ । ଏବେ ସୋନୀ ବିନା ଘର ଖାଁ ଖାଁ ଲାଗିବ ବୋଲି କହିଛନ୍ତି ଅହଲ୍ୟା । କୁଶମେଲ ମୋର ଗାଁ । ଏବେ ମୁଁ ଛତିଶଗଡ଼ ଶାଶୂଘରକୁ ଯାଉଛି । ଯେତିକି ଖୁସି ଲାଗୁଛି ସେତିକି ଦୁଃଖ ମଧ୍ୟ ଲାଗୁଛି । ମୁଁ ସବୁଦିନ ପାଇଁ ମୋ ମାଁ-ବାପାଙ୍କୁ ଛାଡ଼ି ଯାଉନି । ଝିଅ ଭାବେ ନିୟମିତ ଯିବାଆସିବା କରିବି । ବିଧାୟକଙ୍କୁ ବାପା ଓ ତାଙ୍କ ସ୍ତ୍ରୀଙ୍କୁ ମା’ ରୂପରେ ପାଇଛି । ଏଇ ଗାଁ, ଏଇ ମାଟି, ମହାନଦୀ ଓ ମାଁ-ବାପା ସବୁଦିନ ମନେ ରହିବେ ବୋଲି ସୋନୀ ଯାଦବ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons