ଝିଲିକଙ୍କ କହ୍ନେୟା

Get real time updates directly on you device, subscribe now.

ବଙ୍ଗୀୟ ଅଭିନେତ୍ରୀ ଝିଲିକଙ୍କ ପ୍ରେମରେ ପଡ଼ିଛନ୍ତି ଓଲିଉଡର ମିଷ୍ଟର୍ କହ୍ନେୟା ଓରଫ୍ କମେଡି ଷ୍ଟାର୍ ପପୁ ପମ୍ପମ୍ । କଥାଟା ବିଶ୍ୱାସ ନହେଉଥିଲେ ବି ସତ । ଦୁହିଁଙ୍କ ଯୋଡ଼ିକୁ ତିଆରି କରିଛନ୍ତି ମନୋରଞ୍ଜନର ମାଷ୍ଟର୍ ପ୍ରଯୋଜକ ସୀତାରାମ ଅଗ୍ରୱାଲ । ଆସନ୍ତା ଗଣେଶ ପୂଜା ଉପଲକ୍ଷେ ସିଦ୍ଧାର୍ଥ ଟିଭି ଓ ସିଦ୍ଧାର୍ଥ ମ୍ୟୁଜିକ୍ର ମିଳିତ ଆନୁକୂଲ୍ୟରେ ପ୍ରସ୍ତୁତ ହେଉଛି ପ୍ରଯୋଜନା ସଂସ୍ଥାର ୨୭ତମ ନୂଆ ଓଡ଼ିଆ ସିନେମା ‘ମିଷ୍ଟର୍ କହ୍ନେୟା’ । ଦୀର୍ଘ ଏକ ବର୍ଷର ବ୍ୟବଧାନ ପରେ କମେଡି ଷ୍ଟାର୍ ପପୁ ପରଦାକୁ ଫେରିଥିବାବେଳେ ସିନେମାରେ ତାଙ୍କ ନାୟିକା ସାଜିଛନ୍ତି ଝିଲିକ । ଦୁହିଁଙ୍କ ଉପରେ ଭରସା ରଖିଛନ୍ତି ପ୍ରଯୋଜକ । ‘ଟୋକାଟା ଫସିଗଲା’ର ସଫଳତା ପରେ ଏ ସିନେମାରେ ପପୁ ଓ ସୀତାରମ ଅଗ୍ରୱାଲ କିଛି ଭିନ୍ନ କରିବେ ବୋଲି ସମସ୍ତଙ୍କ ନଜର ରହିଛି । ‘ରଙ୍ଗିଲା ଟୋକା’, ‘ଆମେ ତୋ ଟୋକା ଷଣ୍ଢ ମାର୍କା’ ପରେ ପପୁଙ୍କ ଏହା ତୃତୀୟ ସିନେମା ଯେଉଁଥିରେ ସେ ଲିଡ୍ରେ ନଜର ଆସିବେ । ୟୁଟ୍ୟୁବ୍ରେ ଗୀତଗାଇ, କମେଡି କରି ଲୋକପ୍ରିୟତା ବଢ଼ାଇ ଚାଲିଥିବା ପପୁ ଏ ଭିତରେ ସଫଳତାର ସହ ନିର୍ଦ୍ଦେଶନା ଦାୟିତ୍ୱ ବି ତୁଲାଇ ସାରିଛନ୍ତି । ସେହି ଲୋକପ୍ରିୟତା ମିଷ୍ଟର୍ କହ୍ନେୟାଙ୍କୁ ଏହି ସିନେମାରେ କେତେ ମାର୍କ ଦେଉଛି ତାହା ଦେଖିବା ବାକି ରହିଲା । ବହୁ ବଡ଼ ବଡ଼ ଷ୍ଟାର୍ଙ୍କ ସହ କାମ କରିଥିବା ଝିଲିକ ପପୁଙ୍କ ବିପକ୍ଷରେ କି ରଙ୍ଗ ଦେଖାଉଛନ୍ତି ତାକୁ ଦେଖିବାକୁ ହେବ । ଏହି ସିନେମାର ନିର୍ଦ୍ଦେଶନା ରମେଶ ରାଉତ ଦେଉଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ । କ୍ୟାମେରା ପରିଚାଳନା ପ୍ରତାପ ରାଉତ କରୁଥିବାବେଳେ ସଶ୍ଛାଦନା ଭାର ମୁଣ୍ଡାଇଛନ୍ତି ରାଜେଶ ଦାଶ । ବର୍ତ୍ତମାନ ସିନେମାର ଶୁଟିଂ ଚାଲିଛି । ସେହି ଶୁଟିଂ ସେଟ୍ରୁ କିଛି ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ତାକୁ ନେଇ ଚାରିଆଡ଼େ ଚର୍ଚ୍ଚା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons