
ଝରିଗାଁ,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ବାର କିଲୋମିଟର ଚାଲିଲେ ମିଳୁଛି ଟଙ୍କିକିଆ ଚାଉଳ । ବେଳେବେଳେ ଚାଉଳ ନେବାକୁ ଦୁଇ ଅବା ତିନିଥର ଆସିବାକୁ ପଡୁଛି । ତେଣୁ ବସ୍ ଅବା ଅନ୍ୟ କୌଣସି ଗାଡ଼ିରେ ଆସିଲେ ଘୋଡ଼ା ଛଅ ଟଙ୍କାକୁ ଦାନା ନଅ ଟଙ୍କା ଭଳି ଅବସ୍ଥା ହେଉଛି । ଦୀର୍ଘ ଦିନରୁ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କରଲାପଡା ଲୋକେ । ଅବସ୍ଥାରେ ସୁଧାର ଆସୁ ନଥିବାରୁ ଆସନ୍ତାକାଲି(ସୋମବାର) ଝରିଗାଁ ବିଡିଓଙ୍କ ପାଖରେ ଅଭିଯୋଗ କରିବାକୁ ପଞ୍ଚାୟତ ଅଧୀନ ଗାଁଗୁଡିକର ଲୋକେ ରବିବାର ଏକ ବୈଠକରେ ନିଷ୍ପତ୍ତି ନେଇଛନ୍ତି । ପ୍ରତି ମାସରେ ସରକାରଙ୍କ ଟଙ୍କିକିଆ ଚାଉଳ, ଭତ୍ତା ଓ ଅନ୍ୟାନ୍ୟ ସୁବିଧା ପ୍ରତି ମାସରେ କରଲାପଡାଠାରେ ଯୋଗାଇ ଦେବାକୁ ବିଡିଓଙ୍କ ପାଖରେ ଦାବି କରିବେ ବୋଲି ଗ୍ରାମବାସୀ କହିଛନ୍ତି ।
ଲୋକେ କହିଛନ୍ତି, ସରକାର ସୁଲଭ ମୂଲ୍ୟରେ ଚାଉଳ ଯୋଗାଇ ଦେଉଛନ୍ତି । ହେଲେ ଚାଉଳ ସଂଗ୍ରହ କରିବାକୁ ଗ୍ରାମବାସୀଙ୍କୁ ଦୀର୍ଘ ୧୨ କିମି ଦୂର ଝରିଗାଁକୁ ଆସିବାକୁ ପଡୁଛି । ବରିÂ ଓ ମହିଳାମାନେ ଏଥିଯୋଗୁ ବଡ ହଇରାଣ ହେଉଛନ୍ତି । ଅନେକ ଚାଉଳ ଗଣ୍ଡେ ପାଇଁ ହଇରାଣ ହୋଇ ଚାଲିଚାଲି ଯାଉଛନ୍ତି । ଯେଉଁମାନେ ବସ୍ ଅବା ଅନ୍ୟ ଗାଡିରେ ଯାଉଛନ୍ତି ସେମାନଙ୍କୁ ଖର୍ଚ୍ଚ କରିବାକୁ ପଡୁଛି । ଠିକଣା ସମୟରେ ଗାଡି ନମିଳିଲେ ଲୋକଙ୍କୁ ହଇରାଣ ହେବାକୁ ପଡୁଛି । ଅଧିକାଂଶ ମାସରେ ଚାଉଳ ପାଇଁ ହିତାଧିକାରୀଙ୍କୁ ଦୁଇ ଅବା ତିନି ଥର ଯିବାକୁ ପଡୁଛି । ଏଥିପାଇଁ ଜଣକୁ ଶହେରୁ ଦେଢଶହ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ଭତ୍ତା ଟଙ୍କା ପାଇଁ ବି ବୃଦ୍ଧବୃଦ୍ଧାଙ୍କୁ ହଇରାଣ ହେବାକୁ ପଡୁଛି । କେନ୍ଦ୍ରରେ ଚାଉଳ ସରିଗଲେ ଲୋକଙ୍କୁ ନିରାଶ ହୋଇ ଫେରିବାକୁ ପଡୁଛି । ଚାଉଳ ଆସିବା ଖବର ପାଇଲେ ପୁଣି ଆସୁଛନ୍ତି । ଅନ୍ୟପକ୍ଷରେ, ପ୍ରତି ମାସରେ ଚାଉଳ ନନେଲେ ହିତାଧିକାରୀ ତାଲିକାରୁ ନାମ ବାଦ୍ ଦିଆଯିବ ବୋଲି ଅଧିକାରୀମାନେ ଧମକ ଦେଉଛନ୍ତି । ଏଣୁ ଲୋକେ ବାଧ୍ୟ ହୋଇ ଟଙ୍କା ଖର୍ଚ୍ଚକରି ଚାଉଳ ନେଉଛନ୍ତି । ଏହାକୁ ନେଇ ପୂର୍ବରୁ ଅନେକ ଥର ଅଭିଯୋଗ ହୋଇଛି । କିନ୍ତୁ କୌଣସି ପଦକ୍ଷେପ ନିଆଯାଇନି । ଏହି ସମସ୍ୟା ଯୋଗୁ ଚଳିତ ମାସର ଚାଉଳ ଲୋକେ ନେଇ ନଥିବା ଗ୍ରାମବାସୀ କହିଛନ୍ତି । ଏପରିସ୍ଥଳେ, କରଲାପଡାଠାରେ ପ୍ରତି ମାସରେ ସାଧାରଣ ବଣ୍ଟନ ବ୍ୟବସ୍ଥା ଚାଉଳ ସହ ଲୋକଙ୍କୁ ଭତ୍ତା ଟଙ୍କା ଦେବା ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ଏ ସମ୍ପର୍କରେ ରବିବାର ଟେକରପାଣି, କାଣ୍ଡେଶ୍ୱର, ମଦାଙ୍ଗପଡା, ଖଇରପେଟ, ପୋଡସାହି, ସାନ୍ତାସାହି, ସୋରିସାହି, କେକତିପଡା ଆଦି ଗାଁର ଲୋକେ କରଲାପଡାଠାରେ ଏକତ୍ରିତ ହୋଇ ଏକ ବୈଠକ କରିଛନ୍ତି । ଆସନ୍ତା ସୋମବାର ବିଡିଓଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । କରଲାପଡା ୱାର୍ଡର ଲେଖି ସାନ୍ତା, ଅର୍ଜ ସାନ୍ତା, ଦିଲ୍ଲୀପ ମାଝି, ପୁନେ ଗୌଡ, କିଶୋର ହରିଜନ, ହଳଧର ଗୌଡ, ହେମ ଗୌଡ, କ୍ଷୀର ଗୌଡ, କମଳା ମାଝି ପ୍ରମୁଖଙ୍କ ସହ ଅନ୍ୟମାନେ ଝରିଗାଁ ଆସି ବିଡିଓଙ୍କୁ ଦାବିପତ୍ର ଦେବେ ବୋଲି କହିଛନ୍ତି ।


Comments are closed, but trackbacks and pingbacks are open.