ଟାଇମ୍ସ ନାଓ ଇଣ୍ଡିଆ ଇକୋନୋମିକ୍ କନ୍କ୍ଲେଭରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର:ଉର୍ଜ୍ଜା କ୍ଷେତ୍ରରେ ଚ୍ୟାଲେଞ୍ଜ୍କୁ ସାମ୍ନା କରିବାକୁ ଭାରତ ପ୍ରସ୍ତୁତ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଉର୍ଜ୍ଜାର ଆମଦାନି ଏବଂ ମୂଲ୍ୟ ସ୍ଥିର ରଖିବା ଭାରତ ବଜାରରେ ସମ୍ପ୍ରତି ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ଏହି ଦୁଇ ଚ୍ୟାଲେଞ୍ଜ୍କୁ ସାମ୍ନା କରିବାକୁ ଭାରତ ପ୍ରସ୍ତୁତ ବୋଲି ମଙ୍ଗଳବାର ମୁମ୍ୱାଇଠାରେ ଟାଇମ୍ସ ନାଓ ପକ୍ଷରୁ ଆୟୋଜିତ ଇଣ୍ଡିଆ ଇକୋନୋମିକ୍ କନକ୍ଲେଭରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ବର୍ତ୍ତମାନ ଭାରତ ଉର୍ଜ୍ଜା ଉପରେ ନିର୍ଭରଶୀଳ । ଏହା ଏକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଲଟିଛି । ବିଶ୍ୱରେ ଭାରତ ତୃତୀୟ ସର୍ବବୃହତ୍ ଉର୍ଜ୍ଜା ବ୍ୟବହାରକାରୀ ଦେଶ ହୋଇଛି । ତେବେ ଭାରତୀୟ ଅର୍ଥନୀତି ଉପରେ ଆମଦାନିର ଚାପ ପଡୁଥିବା ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଭାରତ ଏହାର ଉର୍ଜ୍ଜା ଆବଶ୍ୟକତାର ୭୦ରୁ ୮୦ଧ ବିଦେଶରୁ ଆମଦାନି କରୁଛି । ଆଗାମୀ ଦିନରେ ଭାରତ ଆଧୁନିକ ବିଜ୍ଞାନ ଏବଂ ନୂଆ ଜ୍ଞାନକୌଶଳ ମାଧ୍ୟମରେ ଆମଦାନୀକୁ ହ୍ରାସ କରିବାର ଲକ୍ଷ୍ୟ ରଖିଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଗତ ୫ ବର୍ଷରେ ରାଜସ୍ୱ ଅପେକ୍ଷା ଉତ୍ପାଦନକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଅଧିକ ଉତ୍ପାଦନ ହେଲେ ରାଜସ୍ୱ ମଧ୍ୟ ବୃଦ୍ଧି ପାଇବ । ଦେଶରେ ଗ୍ୟାସ ଉତ୍ପାଦନ ବୃଦ୍ଧି ପାଇଥିବା ବେଳେ ତୈଳ ଉତ୍ପାଦନରେ ସ୍ଥିରତା ରହିଛି । ଅନ୍ୟପକ୍ଷରେ ଭାରତ ବିକଳ୍ପ ଇନ୍ଧନ ଯଥା ଅଧିକରୁ ଅଧିକ ସିଏନ୍ଜି ଗ୍ୟାସ ଉତ୍ପାଦନ, ଜୈବ ଇନ୍ଧନ, ଜୈବ ସିଏନ୍ଜି, ଇଥାନଲ, ୨ଜି ଇଥାନଲ ଉପରେ କାର୍ଯ୍ୟ କରୁଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଦେଶର ଉଦ୍ୟୋଗପତିଙ୍କ ପାଖରେ ଟେକ୍ନୋଲୋଜି ଏବଂ ନୂଆ ବ୍ୟବସାୟିକ ମଡେଲ ଉପଲବ୍ଧ ଅଛି । ଟକ୍ନୋଲୋଜି ମାଧ୍ୟମରେ ହାଇଡ୍ରୋଜେନ୍ ଇନ୍ଧନର ପୂର୍ତ୍ତି ହୋଇପାରିଛି । ଦେଶ ଆଗକୁ ବଢିବା ନେଇ ପ୍ରସ୍ତୁତ ଅଛି । ସେହିଭଳି ଉର୍ଜ୍ଜା କ୍ଷେତ୍ରରେ ଭାରତ ନିଜ ଉପାୟରେ ପରିବର୍ତ୍ତନର ରାସ୍ତା ବାହାର କରିବା ପାଇଁ ପ୍ରସ୍ତୁତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଉର୍ଜ୍ଜାର ନିରନ୍ତର ଆବଶ୍ୟକତା ପୂରଣ ପାଇଁ ମୋଦି ସରକାର ଭାରତକୁ ଗ୍ୟାସ୍ ଆଧାରିତ ଅର୍ଥନୀତି କରିବା ପାଇଁ ଯୋଜନାବଦ୍ଧ ଉଦ୍ୟମ ଜାରି ରଖିଛନ୍ତି । ତୈଳ ବିପଣନ କମ୍ପାନିଗୁଡିକ ଗତ ୫ ବର୍ଷରେ ତୈଳ ଅପେକ୍ଷା ଏଲଏନ୍ଜି ଗ୍ୟାସର ଉତ୍ପାଦନକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ଉର୍ଜ୍ଜାର ନିରନ୍ତର ଯୋଗାଣ ସୁନିଶ୍ଚିତ କରିବା ପାଇଁ ଜୈବ ଉର୍ଜା ଉପରେ ଭାରତ ସରକାର ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ବିଶ୍ୱ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁସମ୍ପର୍କ କାରଣରୁ ଅନ୍ତର୍ଜାତୀୟସ୍ତରରେ ମଧ୍ୟ ଏହି କ୍ଷେତ୍ରରେ ସୁଧାର ଆସିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସେ କହିଛନ୍ତି, ଋଷ ଏବଂ ଋଷର ରୋଜନେଫ୍ଟରେ ଭାରତ ପୁଞ୍ଜିନିବେଶ କରୁଥିବା ବେଳେ ଭ୍ଲାଡିଭୋଷ୍ଟକରୁ ପୂର୍ବ ଭାରତ ସହ ସଂଯୋଗକୁ ଆମେ ଗୁରୁତ୍ୱ ଦେଉଛୁ । ଉର୍ଜ୍ଜା ସୁରକ୍ଷା ଉପରେ ମଧ୍ୟ ଭାରତ ଅଧିକ ଗୁରୁତ୍ୱ ଦେଉଥିବା ଶ୍ରୀ ପ୍ରଧାନ କହିଛନ୍ତି । ଅପରପକ୍ଷରେ ଭାରତରେ ଉତ୍ତମ ବ୍ୟବସାୟିକ ବାତାବରଣ ଥିବା କାରଣରୁ ବିଶ୍ୱର ଆଗଧାଡିର ତୈଳ ଓ ଗ୍ୟାସ୍ କ୍ଷେତ୍ର କମ୍ପାନିମାନେ ଏଠାରେ ପୁଞ୍ଜି ନିବେଶ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons