ଟାଙ୍ଗୀ,(ବି.ବି.ନୁ୍ୟଜ୍): ଟାଙ୍ଗୀ ଚୌଦ୍ୱାର ବ୍ଲକ୍ର ଶାଳଗାଁ ଓ କହ୍ଲେଇପୁର ପଞ୍ଚାୟତରେ ହାତୀ ଉପଦ୍ରବ ଚଳାଇଛନ୍ତି । ଧାନ କ୍ଷେତରେ ପଶି ପାଚିଲା ଧାନ ଖାଇ ନଷ୍ଟ କରୁଛନ୍ତି । କଟକ ବନଖଣ୍ଡ ଡାଳିଯୋଡା ରେଞ୍ଜ୍ରେ ପ୍ରମୋଦ ଉଦ୍ୟାନ ନିକଟରେ ୩୦ ରୁ ଅଧିକ ହାତୀ ରହିଛନ୍ତି । ସେଥିମଧ୍ୟରୁ ଦୁଇଟି ହାତୀ ଦିନ ଦୁଇ ପହରରେ ଧାନ କ୍ଷେତରେ ପଶି ଦଳି ମନ୍ଥି ନଷ୍ଟଭ୍ରଷ୍ଟ କରୁଛନ୍ତି । ହାତୀ ଦାଉରୁ ସୁରକ୍ଷା ପାଇଁ ୩୦ ତାରିଖ ଦିନ ବିଶ୍ୱାନାହାକାଣୀ ଠାରେ ଚାଷୀମାନଙ୍କୁ ନେଇ ବନ ବିଭାଗ ବୈଠକ ଡକାଇଥିଲା ଏହି ବୈଠକରେ ସ୍ଥାନୀୟ ବିଧାୟକ ଉପସ୍ଥିତ ଥିଲେ । ହାତୀ ଘଉଡେଇବା ପାଇଁ ବନ ବିଭାଗ ପକ୍ଷରୁ ସମସ୍ତ ପ୍ରତିଶ୍ରୁତି ଦିଆଯାଇଥିଲା । ହେଲେ ବନବିଭାଗ ସୁରକ୍ଷା ଦେବାରେ ବିଫଳ ହୋଇଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଲଗାଣ ବର୍ଷାରେ ଉଜୁଡା ଫସଲକୁ ସଜାଡି ଅମଳ ଆଶାରେ ଥିବା ଚାଷୀ ହାତୀ ପାଇଁ ଚିନ୍ତାରେ ପଡିଯାଇଛନ୍ତି । ଆଜି ଦିନ ଦୁଇପହରରେ ଦୁଇଟି ହାତୀ ବରପଦା, ବମ୍ୱୁରୀ, ଖାଇପଡିଆ, ଷେଣ୍ଡପଡିଆ ଅଞ୍ଚଳରେ ଥିବା ଧାନ ବିଲରେ ପଶି ଧାନ ଖାଇଛନ୍ତି । ଏ ସଂପର୍କରେ ବନ ବିଭାଗ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲା । ହାତୀ ପାଇଁ ଯେଉଁ ଚାଷୀଙ୍କର କ୍ଷୟକ୍ଷତି ହୋଇଛି, ତାହା ବନ ବିଭାଗ ଭରଣା କରିବ ବୋଲି ରେଞ୍ଜର ଅଭିରାମ ଜେନା କହିଛନ୍ତି ।
Comments are closed, but trackbacks and pingbacks are open.