ଟାର୍ଗେଟରେ ଚୀନ୍:ଅନ୍ତରୀକ୍ଷ ଯୁଦ୍ଧାଭ୍ୟାସ କରିବ ଭାରତ

Get real time updates directly on you device, subscribe now.

ନୂଆଦିଲ୍ଲୀ: ମିଶନ ଶକ୍ତିର ଅଭୂତପୂର୍ବ ସଫଳତା ପରେ ଭାରତ ଏବେ ପ୍ରଥମକରି ମହାକାଶ ଯୁଦ୍ଧାଭ୍ୟାସ ଆରମ୍ଭ କରିବାକୁ ଯାଉଛି । ଆସନ୍ତାକାଲି ଅର୍ଥାତ ଗୁରୁବାର ଓ ଶୁକ୍ରବାର ଦୁଇଦିନ ଧରି ଏହି ଯୁଦ୍ଧାଭ୍ୟାସ କରାଯିବ । ଭବିଷ୍ୟତରେ ମହାକାଶରେ ଯୁଦ୍ଧର ଆଶଙ୍କାକୁ ଦୃଷ୍ଟିରେ ରଖି ଭାରତ ଏବେଠାରୁ ନିଜକୁ ପ୍ରସ୍ତୁତି କରିବାରେ ଲାଗିଛି । ବିଶେଷକରି ଚୀନ୍ ତାର ମହାକାଶ ଶକ୍ତିକୁ ବୃଦ୍ଧି କରୁଥିବାରୁ ଭାରତ ପ୍ରତି ସର୍ବଦା ବିପଦ ରହିଛି । ତେଣୁ ଏଭଳି ବିପଦର ମୁକାବିଲା ଦିଗରେ ଭାରତ ପ୍ରୟାସ ଆରମ୍ଭ କରିଛି ।
‘ଇଣ୍ଡସ୍ପେଶଏକ୍ସ’ ନାମକ ଏହି ଯୁଦ୍ଧାଭ୍ୟାସରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ୩ ବାହିନୀର ଇଣ୍ଟିଗ୍ରେଟେଡ ଡିଫେନ୍ସ ଷ୍ଟାଫ (ଆଇଡିଏଫ) ସାମିଲ ହେବେ । ଏଥିରେ ଉଭୟ ସାମରିକ ବିଶେଷଜ୍ଞ ଓ ବୈଜ୍ଞାନିକ ସାମିଲ ଅଛନ୍ତି । ମହାକାଶରେ କିଭଳି ଯୁଦ୍ଧ କରିବାକୁ ହେବ ଓ ଶତ୍ରୁରାଷ୍ଟ୍ରକୁ କିଭଳି ମାତ୍ ଦେଇହେବ ସେହି ବିଷୟରେ ଅଭିଜ୍ଞତା ହାସଲ କରିବା ହେଉଛି ‘ଇଣ୍ଡସ୍ପେଶଏକ୍ସ’ ର ମୁଖ୍ୟ ଉଦ୍ଦେଶ୍ୟ । ଗତ ମାର୍ଚ୍ଚ ୨୭ ତାରିଖରେ ମିଶନ ଶକ୍ତି ଅଧୀନରେ ଭାରତ ଏକ ଉପଗ୍ରହ ନିରୋଧୀ (ଏ-ସାଟ୍) ଇଣ୍ଟରସେପ୍ଟର ମିଶାଇଲ ମାଡ କରି ୨୮୩ କି.ମି. ଉଚ୍ଚତାରେ ପୃଥିବୀର ନିମ୍ନକକ୍ଷ ପଥରେ ଥିବା ୭୪୦ କିଲୋଗ୍ରାମ ଓଜନ ବିଶିଷ୍ଟ ମାଇକ୍ରୋସାଟ୍-ଆର ଉପଗ୍ରହକୁ ଧ୍ୱଂସ କରିବାରେ ସଫଳ ହୋଇଥିଲା । ଏଭଳି ସଫଳତା ହାସଲ କରିବାରେ ଭାରତ ବିଶ୍ୱରେ ଚତୁର୍ଥ ରାଷ୍ଟ୍ର ପାଲଟିଛି । ବର୍ତ୍ତମାନ ଚୀନ୍ ଲଗାତାର ଭାବେ ଏ-ସାଟ୍ ଅସ୍ତ୍ରର ବିକାଶ କରିବା ସହ ମହାକାଶରେ ଆକ୍ରମଣାତ୍ମକ ଦିଗରେ ବଢ଼ିବାରେ ଲାଗିଛି । ଭାରତର ମିଶନ ଶକ୍ତି ସଫଳ ହେବା ପରେ ଚୀନ୍ ଏ-ସାଟ୍ ଶକ୍ତି ଦେଖାଇବା ଲାଗି ଯୁଦ୍ଧଜାହାଜରୁ କେତେକ ମିଶାଇଲ ପରୀକ୍ଷା କରିଥିଲା ।
ଏସିଆ ମହାଦେଶରେ ମହାକାଶ ଜଗତରେ ଚୀନ୍ ଅଧିକ ସକ୍ରିୟ ରହିଛି । ତେଣୁ ଏଭଳି ପରିସ୍ଥିତିରେ ଭାରତ ଆଉ ପଛରେ ପଡିବାକୁ ଚାହୁଁଛି । ସେଥିପାଇଁ ମହାକାଶ କ୍ଷେତ୍ରରେ ଭାରତ ଶକ୍ତିଶାଳୀ ହେବା ଜରୁରୀ ହୋଇପଡିଛି । କାରଣ ଉପଗ୍ରହ ଯୋଗାଯୋଗ, ନାଭିଗେସନ ଓ ଗୁଇନ୍ଦାଗିରି ପାଇଁ ଏବେ ମହାକାଶ ଉପରେ ଅଧିକ ନିର୍ଭର କରିବାକୁ ପଡୁଛି । ଜଳ, ସ୍ଥଳ, ବାୟୁ ପରେ ଏବେ ମହାକାଶୀୟ ଯୁଦ୍ଧ ପାଇଁ ବଡବଡ ଦେଶ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଗଲାଣି । ଆମେରିକ, ରୁଷ ଓ ଚୀନ୍ ଭଳି ଦେଶ ବହୁ ଆଗକୁ ମଧ୍ୟ ଚାଲିଗଲେଣି । ଏବେ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଉପଗ୍ରହ ଓ ଡ୍ରୋନର ବ୍ୟବହାର ଅଧିକ କରାଯାଉଛି । ଯଦି କୌଣସି ଦେଶର ସେହି ଉପଗ୍ରହ ଓ ଡ୍ରୋନକୁ ଧ୍ୱଂସ କରିଦିଆଯିବ ତେବେ ଗୋଟିଏ ଦେଶ ପଙ୍ଗୁ ପାଲଟିଯିବାର ସମ୍ଭାବନା ରହିଛି । ସେଥିପାଇଁ ପ୍ରତ୍ୟେକ ଦେଶ ନିଜର ଉପଗ୍ରହର ସୁରକ୍ଷା ପାଇଁ ମହାକାଶ କ୍ଷେତ୍ରରେ ଶକ୍ତିଶାଳୀ ହେବାର ଆବଶ୍ୟକତା ରହିଛି । ତେଣୁ ଭାରତ ଏ ଦିଗରେ ଆଗକୁ ବଢ଼ିବାକୁ ଚେଷ୍ଟା କରୁଛି । ସେଥିପାଇଁ ନିକଟରେ କେନ୍ଦ୍ର ସରକାର ଟ୍ରାଇ ସର୍ଭିସ ଡିଫେନ୍ସ ସ୍ପେଶ ଏଜେନ୍ସି ଗଠନକୁ ଅନୁମୋଦନ କରିଛନ୍ତି । ସଶସ୍ତ୍ର ବାହିନୀ ମଧ୍ୟ ନିଜର ପୂର୍ଣ୍ଣକାଳୀନ ସ୍ପେଶ କମାଣ୍ଡ ଦାବି କରୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons