
କଟକ,(ବି.ବି.ବୁ୍ୟରୋ): ଟିକାକରଣ ପାଇଁ ସ୍ଲଟ୍ ଖୋଲିବାର ୨ ମିନିଟ୍ରେ ସବୁ ବୁକିଂ ଶେଷ । ଯଦି ଇଣ୍ଟରନେଟ୍ କିମ୍ବା ମୋବାଇଲ୍ରେ କୌଣସି ତ୍ରୁଟି ଦେଖାଯାଏ ତେବେ ବୁକିଂ କରିବାକୁ ଚାହିଁ ବସୁଥିବା ବ୍ୟକ୍ତି ସେଦିନ ସ୍ଲଟ୍ ବୁକିଂ କରିପାରୁନାହାନ୍ତି । କିନ୍ତୁ ପ୍ରଶାସନ କହୁଛି, ୧୮ ରୁ ୪୪ବର୍ଷ ମଧ୍ୟରେ ଦୈନିକ କଟକରେ ୧୪ ହଜାରରୁ ଅଧିକ ଲୋକ ଟିକା ନେଉଛନ୍ତି । ତେଣୁ ଅନେକଙ୍କ ମନରେ ପ୍ରଶ୍ନ ଉଠୁଛି, ଟିକାକରଣରେ ହେରଫେର କରାଯାଇ ବଡ଼ବଡ଼ିଆଙ୍କ ପାଇଁ ସ୍ଲଟ୍ ସଂଚୟ କରି ରଖି ଦିଆଯାଉଛି । କିନ୍ତୁ ବାସ୍ତବ ଚିତ୍ର ଆଉ କିଛି । ଗ୍ରାଉଣ୍ଡ୍ ଜିରୋକୁ ଯାଇ ସ୍ଥିତି ପରଖିବାରୁ ଏକ ଅଜବ ଚିତ୍ର ସାମ୍ନାକୁ ଆସିଛି ।
ଦୈନିକ କଟକ ସହରକୁ ପଡେ଼ାଶୀ ଜିଲ୍ଲାରୁ ଶହ ଶହ ସଂଖ୍ୟାରେ ଲୋକେ ଆସି ଟିକା ନେଇ ଫେରୁଛନ୍ତି । ଅନୁଗୁଳ, ଢେଙ୍କାନାଳ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ସକାଳ ହେଲେ ଶତାଧିକ ଗାଡ଼ି କଟକମୁହାଁ ହେଉଛି । ଏଠି ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ, ପଡେ଼ାଶୀ ଜିଲ୍ଲାରୁ କଟକ ଆସି କେମିତି ଟିକା ନେଇପାରିବେ? ଏଠାରେ ସ୍ପଷ୍ଟ କରିଦିଆଯାଇପାରେ ଯେ, କୋ-ୱିନ୍ ଆପ୍ରେ ଏ ନେଇ କୌଣସି ପ୍ରତିବନ୍ଧକ ନାହିଁ । ଆପ୍ରେ ସ୍ଲଟ୍ ବୁକ୍ କରୁଥିବା ଲୋକେ ନିଜର ଟିକାକରଣର ସ୍ଥାନ କଟକ ସ୍ଥିର କରିପାରିବେ । ଗୋଟିଏ ଫୋନ୍ ନମ୍ବରରେ ଏକାଧିକ ସ୍ଲଟ୍ ବୁକ୍ ହେଉଥିବା ବେଳେ ପରିବାର ସହ ଲୋକେ କଟକ ଆସି ଟିକା ନେଇ ଫେରୁଛନ୍ତି । ଲକ୍ଡାଉନ୍ ଓ ସଟ୍ଡାଉନ୍ରେ ଟିକା ନେବାକୁ ଗାଡ଼ି ନେଇ ଆସିବାରେ କୌଣସି କଟକଣା ଲାଗୁ ହେଉନାହିଁ ।
“ମୁଁ ଓ ମୋ ସ୍ତ୍ରୀ କଟକ ଯାଇ ଇନଡୋର୍ ଷ୍ଟାଡିୟମ୍ରେ ପ୍ରଥମ ଡୋଜ୍ ଟିକା ନେଲୁ । ଅନୁଗୁଳରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଥିବା ବେଳେ ୧୮ ରୁ ୪୪ ବର୍ଷର ଲୋକଙ୍କୁ ଟିକା ଦେବା ଅତି ଜରୁରି ହୋଇପଡ଼ିଛି । ଅନୁଗୁଳ ଜିଲ୍ଲା ପ୍ରଶାସନ ଏଥିପ୍ରତି ତୁରନ୍ତ ବ୍ୟବସ୍ଥା କରନ୍ତୁ ।’ ଅନୁଗୁଳର ମାନସ ରଞ୍ଜନ ନାୟକ ନାମକ ବ୍ୟକ୍ତି କଟକ ଆସି ଟିକା ନେବା ପରେ ଫଟୋ ସହ ଏଭଳି ପୋଷ୍ଟ୍ କରି ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । କେବଳ ମାନସ ନୁହନ୍ତି, ଅନୁଗୁଳ, ଢେଙ୍କାନାଳ, କେନ୍ଦ୍ରାପଡା ଜିଲ୍ଲାର ଅଧିକାଂଶ ଯୁବକ ଏବେ ଟିକା ପାଇଁ କଟକ ଉପରେ ଭରସା କରୁଛନ୍ତି । ଉପରୋକ୍ତ ତିନି ଜିଲ୍ଲାରେ ଏବେ ସୁଦ୍ଧା ୧୮ ରୁ ୪୪ ବର୍ଷ ବର୍ଗ ପାଇଁ ଟିକାକରଣ ଆରମ୍ଭ ହୋଇପାରିନାହିଁ । ତେଣୁ ସେମାନେ କୋ-ୱିନ୍ ଆପ୍ରେ କଟକ ଜିଲ୍ଲାରେ ସ୍ଲଟ୍ ବୁକିଂ କରି ଏଠାକୁ ଆସି ଟିକା ନେଇ ଫେରୁଛନ୍ତି । ତେବେ ଏହାଦ୍ୱାରା କଟକ ଜିଲ୍ଲାବାସୀ ଟିକାର ସ୍ଲଟ୍ ପାଉନଥିବା ଅଭିଯୋଗ ହେଉଛି । ସ୍ଲଟ୍ ଖୋଲିବାର କିଛି ମିନିଟ୍ରେ ସବୁ ବୁକିଂ ଶେଷ ହୋଇଯାଉଛି ।
କିନ୍ତୁ ପ୍ରଶାସନର ତଥ୍ୟ ଅନୁଯାୟୀ, ଦୈନିକ କଟକରେ ପ୍ରାୟ ୧୪ ହଜାରରୁ ଅଧିକ ୧୮ ରୁ ୪୪ବର୍ଷର ଲୋକ ଟିକା ନେଉଛନ୍ତି । ଗତକାଲି ସୁଦ୍ଧା(୨୮ତାରିଖ) ୧୮ ରୁ ୪୪ବର୍ଷ ମଧ୍ୟରେ ୯୩ ହଜାର ୧୧୩ ଜଣ ଲୋକ ଟିକା ନେଇସାରିଲେଣି । ୬୨ଟି କେନ୍ଦ୍ରରେ ଲୋକେ ଟିକା ନେଇଛନ୍ତି । ଏଥିରେ କିଛି ଘରୋଇ ଅନୁÂାନ, ହସ୍ପିଟାଲ୍ ରହିଛି । ସାଧାରଣ ଲୋକଙ୍କ ପାଇଁ ପାଖାପାଖି ୨୦ଟି କେନ୍ଦ୍ର ରହିଛି, ଯେଉଠି ସ୍ଲଟ୍ ବୁକିଂ କରି ଲୋକେ ଟିକା ନେଇପାରିବେ । ସେଥିରୁ ଇଣ୍ଡୋର ଷ୍ଟାଡିୟମ୍ରେ ଏବେ ସୁଦ୍ଧା ସର୍ବାଧିକ ୧୪ହଜାର ୧୮୩ ଜଣ, ଏସ୍ସିବିରେ ୧୦ହଜାର ୧୯୨ଜଣ, ସିଡିଏ ସହରାଞ୍ଚଳ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୩ହଜାର ୫୨୬ଜଣ, ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୨ହଜାର ୮୬୯ଜଣ ଭଳି ବିଭିନ୍ନ କେନ୍ଦ୍ରରେ ଲୋକେ ଟିକା ନେଉଛନ୍ତି । କଟକ ଜିଲ୍ଲାରେ ଗତ ମେ’ ୧୧ ତାରିଖରୁ ୧୮ ରୁ ୪୪ବର୍ଷର ବୟସ ବର୍ଗ ପାଇଁ ଟିକାକରଣ ଆରମ୍ଭ ହୋଇଛି । ୧୯ଦିନ ଭିତରେ ୯୩ ହଜାରରୁ ଅଧିକ ଲୋକେ ଟିକା ନେଇସାରିଛନ୍ତି । ଦୈନିକ ୧ହଜାର ୯୨୯ ଡୋଜ୍ରୁ ଆରମ୍ଭ ହୋଇଥିବା ଟିକାଦାନ ଏବେ ଦୈନିକ ୧୪ହଜାର ଟପିଛି । ଗତକାଲି ୨୮ତାରିଖରେ କଟକ ଜିଲ୍ଲାରେ ୧୪ହଜାର ୫୫୫ ଜଣ ପ୍ରଥମ ଡୋଜ୍ ନେଇଛନ୍ତି । କିନ୍ତୁ ସ୍ଲଟ୍ ବୁକିଂ ସମସ୍ୟା ଏବେଯାଏ ତୁଟୁନାହିଁ । ତେବେ ଅନୁଗୁଳ, ଢେଙ୍କାନାଳ ଓ କେନ୍ଦ୍ରାପଡା ଜିଲ୍ଲାରେ ୧୮ ରୁ ୪୪ବର୍ଷ ବୟସ ବର୍ଗର ଟିକାକରଣ ଆରମ୍ଭ ହେଲେ ଏ ସମସ୍ୟା ରହିବ ନାହିଁ ବୋଲି କୁହାଯାଉଛି । ସେ ପର୍ଯ୍ୟନ୍ତ ଲୋକେ କଟକ ସ୍ଲଟ୍ରେ ଟିକା ବୁକିଂ କରି ଟିକା ନେଉଥିବେ ଏବଂ କଟକବାସୀ ସ୍ଲଟ୍ ପାଇଁ ସମସ୍ୟାରେ ପଡୁଥିବେ ବୋଲି କୁହାଯାଉଛି ।
Comments are closed, but trackbacks and pingbacks are open.